ଡୋଡା ଆଟାକ୍: ୪ ଆତଙ୍କବାଦୀଙ୍କ ସ୍କେଚ୍ ଜାରି, ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା ପୁରସ୍କାର

ଜମ୍ମୁ-କାଶ୍ମୀରର ରିୟାସୀ, କଠୁଆ ଏବଂ ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜମ୍ମୁ ପୋଲିସ ୪ ଆତଙ୍କୀଙ୍କ ସ୍କେଚ୍ ଜାରି କରିଛି । କୁହାଯାଉଛି ଯେ ଏହି ଆତଙ୍କବାଦୀମାନେ ଡୋଡା ଜିଲ୍ଲାର ଭଦ୍ରଓ୍ଵାହ, ଥାଥରି ଓ ଗଣ୍ଡୋହର ଉପର ଅଞ୍ଚଳରେ ସକ୍ରିୟ ରହିଛନ୍ତି । ଜମ୍ମୁ-କାଶ୍ମୀର ପୋଲିସ ଏହି ଆତଙ୍କବାଦୀଙ୍କ ବିଷୟରେ ସୂଚନା ପ୍ରଦାନକାରୀଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛି । ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୁପ୍ତ ରଖାଯିବ ।
ଜମ୍ମୁ-କାଶ୍ମୀର ପୋଲିସ ନିଜ ‘X’ ଆକାଉଣ୍ଟରେ ଏହି ୪ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି । ପ୍ରତ୍ୟେକ ଆତଙ୍କବାଦୀଙ୍କ ପିଛା ୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ଦିଆଯିବ । ଏହାର ଅର୍ଥ ହେଉଛି, ଯଦି ୪ ଆତଙ୍କୀଙ୍କ ବିଷୟରେ କେହି ଜଣେ ପୋଲିସକୁ ସୂଚନା ଦିଅନ୍ତି, ତେବେ ତାଙ୍କୁ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ।
କହି ରଖୁଛୁ ଯେ ଗତ ୪ ଦିନ ଭିତରେ ଜମ୍ମୁ ଡିଭିଜନର ବିଭିନ୍ନ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ମାମଲା ସାମ୍ନାକୁ ଆସିିଛି । କଠୁଆର ହୀରାନଗରରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ । ପରେ ହୋଇଥିବା ଏନ୍କାଉଣ୍ଟରରେ ସୁରକ୍ଷା ବାହିନୀ ୨ ଆତଙ୍କୀଙ୍କୁ ନିପାତ କରିଦେଇଥିଲେ । ଏହିପରି ବୁଧବାର ସନ୍ଧ୍ୟାରେ ଜମ୍ମୁର ଡୋଡା ଜିଲ୍ଲାର କୋଟା ଟପ୍ରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ କନଷ୍ଟେବଳ ଫରୀଦ ଅହମ୍ମଦ ଆହତ ହୋଇଥିଲେ ।
ରିୟାସୀ ଆକ୍ରମଣ ପରଠାରୁ କ୍ରମାଗତ ଭାବେ ଆତଙ୍କୀ ଘଟଣା ବଢ଼ି ଯାଇଛି । ଜମ୍ମୁର ରିୟାସୀରେ ଜୁନ୍ ୯ ତାରିଖ ରବିବାର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଶିବଖୋଡ଼ିରୁ ଯାତ୍ରୀଙ୍କୁ ଧରି ଫେରୁଥିବା ଏକ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏଥିରେ ୯ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ୪୧ରୁ ଅଧିକ ଆହତ ହୋଇଥିଲେ । ଏହି ଘଟଣା ପରେ କଠୁଆ ଓ ଡୋଡାରେ ମଧ୍ୟ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।