ମାତ୍ର ୨୦ ଟଙ୍କା ପାଇଁ ୨୨ ବର୍ଷ ଲଢ଼ିଲେ ବ୍ୟକ୍ତି, ଏବେ ରେଳବାଇକୁ ଭରିବାକୁ ହେବ ସୁଧ ମୂଳ ସହ ୧୫ ହଜାର ଟଙ୍କା

ମଥୁରା : ଲକ୍ଷ୍ୟ ଦୃଢ଼ ହେଲେ ବିଜୟ ପ୍ରାପ୍ତ ନିଶ୍ଚିତ ହୋଇଥାଏ । ନ୍ୟାୟ ପାଇଁ ଲଢ଼େଇ ଶେଷରେ ବିଜୟ ଆଣିଛି । ସଚ୍ଚୋଟ ବ୍ୟକ୍ତି କେବେ ସ୍ୱାଭିମାନ ସହ ସାଲିସ କରନ୍ତି ନାହିଁ । ଏପରି ଏକ ମାମଲା ନଜରକୁ ଆସିଛି ଉତ୍ତର ପ୍ରଦେଶରେ ମଥୁରାରେ । ଜଣେ ବ୍ୟକ୍ତି ମାତ୍ର ୨୦ ଟଙ୍କା ପାଇଁ ରେଳବାଇ ବିଭାଗ ସହିତ ଦୀର୍ଘ ୨୨ ବର୍ଷ ଧରି କେସ ଲଢ଼ୁଥିଲେ । ଶେଷରେ ତାଙ୍କର ବିଜୟ ହୋଇଛି ।

ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶ ମଥୁରାରେ ରହୁଥିବା ତୁଙ୍ଗନାଥ ଚତୁର୍ବେଦୀ ପେଶାରେ ଜଣେ ଓକିଲ । ସେ ମାତ୍ର ୨୦ ଟଙ୍କା ପାଇଁ ଭାରତୀୟ ରେଳବାଇ ସହ କେସ ଲଢ଼ି ୨୨ ବର୍ଷ ପରେ ରେଳବାଇ ବିରୋଧରେ ବିଜୟ ଲାଭ କରିଛନ୍ତି ।

କ’ଣ ଥିଲା ଏହି ୨୦ ଟଙ୍କାର ମାମଲା :

ମଥୁରାର ଏହି ଓକିଲ ତୁଙ୍ଗନାଥ ଚତୁର୍ବେଦୀଙ୍କ ଠାରୁ ରେଳବାଇ ବୁକିଂ କ୍ଲର୍କ ୨୦ ଟଙ୍କା ଅଧିକ ନେଇଥିଲେ । ଏହି ମାମଲାରେ ତୁଙ୍ଗନାଥ ଉପଭୋକ୍ତା ଫୋରମରେ କେସ ଦାୟର କରିଥିଲେ । ଏହି ମାମଲା ଥିଲା ୧୯୯୯ ମସିହାର । ତୁଙ୍ଗନାଥ ମଥୁରା କାଣ୍ଟନମେଣ୍ଟ ରେଳବାଇ ଷ୍ଟେସନରୁ ମୁରଦାବାଦ ୨ଟି ଟିକେଟ କାଟିଥିଲେ । ହେଲେ ରେଳବାଇ ତାଙ୍କ ଠାରୁ ଭଡ଼ା ବାବଦରେ ୭୦ ଟଙ୍କା ଯାଗାରେ ୯୦ ଟଙ୍କା ଟିକେଟ ପାଇଁ ନେଇଥିଲେ । ସେତେବେଳେ ମଥୁରାରୁ ମୁରଦାବାଦ ଗୋଟିଏ ବ୍ୟକ୍ତି ପାଇଁ ରେଳ ଭଡ଼ା ଥିଲା ୩୫ ଟଙ୍କା । ତେଣୁ ୨ ଜଣଙ୍କ ପାଇଁ ୭୦ ଟଙ୍କା ବଦଳରେ ରେଳବାଇ ୯୦ ଟଙ୍କା ନେଇଥିଲା ।

୨୨ ବର୍ଷ ପରେ ମିଳିଲା ନ୍ୟାୟ :

ଏ କଥାକୁ ନେଇ ରେଳବାଇ ବୁକିଂ କ୍ଲର୍କ ସହ ଝଗଡ଼ା ମଧ୍ୟ ହୋଇଥିଲା । ହେଲେ କ୍ଲର୍କ ତାଙ୍କୁ ଟଙ୍କା ଫେରାଇ ନଥିଲା । ଏହି ସମୟରେ ତାଙ୍କର ଟ୍ରେନ ଆସିଯାଇଥିବାରୁ ସେ ଚାଲିଯାଇଥିଲେ । ହେଲେ ଏହି ଅନ୍ୟାୟ ବିରୋଧରେ ସେ ଲଢ଼ିବାକୁ ମନସ୍ଥ କରି ଜିଲ୍ଲା ଉପଭୋକ୍ତା ଫୋରମରେ ରେଳବାଇ ଗୋରଖପୁର ଜେନେରାଲ ମ୍ୟାନେଜର ଓ ଉକ୍ତ ବୁକିଂ କ୍ଲର୍କ ବିରୋଧରେ କେସ ଦାୟର କଲେ । ଏଥିରେ ସରକାରଙ୍କୁ ମଧ୍ୟ ପାର୍ଟି କରିଥିଲେ । ୨୦ ଟଙ୍କା ପାଇଁ ତାଙ୍କର ଏହି ଲଢ଼େଇ ୨୨ ବର୍ଷ ପରେ ବିଜୟ ଆଣି ଦେଇଛି ।

ଉପଭୋକ୍ତା ଫୋରମ ରେଳବାଇକୁ ୨୦ ଟଙ୍କାର ଏପର୍ଯ୍ୟନ୍ତ ୧୨ ପ୍ରତିଶତ ସୁଧ ହିସାବରେ ଟଙ୍କା ଦେବା ସହ ମାନସିକ ଅଶାନ୍ତି ଓ କେସ ଖର୍ଚ୍ଚ ପାଇଁ ସବୁ ମିଶି ୧୫ ହଜାର ଟଙ୍କା ୩୦ ଦିନ ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏପରି କରାନଯାଏ ତେବେ ରେଳବାଇ ପ୍ରତିବର୍ଷ ଏହି ଟଙ୍କାର ୧୫ ପ୍ରତିଶତ ସୁଧ ହିସାବରେ ତୁଙ୍ଗନାଥଙ୍କୁ ଅର୍ଥ ଫେରସ୍ତ କରିବ ବୋଲି ଉପଭୋକ୍ତା ଫୋରମ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.