ନ୍ୟୁୟର୍କରେ ପାକିସ୍ତାନ ଦୂତାବାସ ଆଗରେ ଭାରତୀୟଙ୍କ ବିକ୍ଷୋଭ, ୨୬/୧୧ ଆକ୍ରମଣକୁ ମନେ ପକାଇ ସ୍ଲୋଗାନ ଦେଲେ

କେନ୍ୟୁଜ୍‌ ବ୍ୟୁରୋ: ଏବେ ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଶକୁ ୧୪ ବର୍ଷ ପୁରିଛି । ଏହି ସମୟରେ ଆମେରିକାର ନ୍ୟୁୟର୍କରେ ଥିବା ପାକିସ୍ତାନର ବାଣିଜ୍ୟ ଦୂତାବାସ ଆଗରେ ଭାରତୀୟ ସମୁଦାୟର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆକ୍ରମଣ କରିଥିବା ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଦାବି କରିଥିଲେ ଏବଂ ସବୁ ଦେଶକୁ ପାକିସ୍ତାନ ଉପରେ ପ୍ରତିବନ୍ଧକ ଲଗାଇବା ପାଇିଁ ଆହ୍ଵାନ କରିଛନ୍ତି । ବିକ୍ଷୋଭକାରୀମାନେ ‘ଭାରତ ମାତା କି ଜୟ’ ଏବଂ ‘ବନ୍ଦେ ମା’ତରମ୍‌’ର ସ୍ଲୋଗାନ ଦେଇଛନ୍ତି । ପ୍ଲା କାର୍ଡ ଧରିଛନ୍ତି, ଯେଉଁଥିରେ ଲେଖା ହୋଇଛି , ମୁମ୍ବାଇ ୨୬/୧୧ର ଘଟଣାକୁ ଆମେ କ୍ଷମା ଦେବୁ ନାହିଁ, ଆମେ ଭୁଲିବୁ ନାହିଁ ଏବଂ ‘#Sanction Pakistan.’ ।

ସେଠାରେ ଏକ ଡିଜିଟାଲ ଗାଡ଼ି ବି ଠିଆ ହୋଇଥିଲା, ଯେଉଁଥିରେ ମାଷ୍ଟାମାଇଣ୍ଡ ହାପିଜ୍‌ ସଇଦ ଏବଂ ଆତଙ୍କବାଦୀ ଅଜମଲ କଶାବରର ଫଟୋ ସହିତ ମୁମ୍ବାଇର ତାଜ୍‌ ହୋଟେଲରେ ନିଆଁ ଜଳୁଥିବାର ଦୃଶ୍ୟ ଦେଖା ଯାଉଥିଲା । ବିଶ୍ୱର ସବୁ ପ୍ରାନ୍ତରେ ଏହି ପରି ବିରୋଧ ପ୍ରଦର୍ଶନ କରିବାର ଦେଖିବାକୁ ମିଳୁଛି ।

ତାଜ୍‌ ହୋଟେଲର ଲୋମ ଟାଙ୍କୁରା ଦୃଶ୍ୟ:

ଘଟଣା ଘଟିଥିଲା ୨୬ ନଭେମ୍ବର ୨୦୦୮ ମସିହାରେ , ପାକିସ୍ତାନର ଲସ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନର ୧୦ ଜଣ ସଦସ୍ୟ ସମୁଦ୍ରରେ ମୁମ୍ବାଇ ମଧ୍ୟର ତାଜ୍‌ ହୋଟେଲରେ ପ୍ରବେଶ କରିଥିଲେ । ସେଠାରେ ସେମାନେ ୨୬ ନଭେମ୍ବରରୁ ୨୮ ନଭେମ୍ବର ପର୍ଯ୍ୟନ୍ତ ଧ୍ୱଂସ ଲୀଳା ରଚିଥିଲେ । ଏହି ଆତଙ୍କୀ ଆକ୍ରମଣରେ ୨୬ ଜଣ ବିଦେଶୀ ନାଗରିକଙ୍କ ସହିତ ୧୬୬ ଜଣ ମୃତ୍ୟୁ ବରଣ କରିଥିଲେ । ପାଖା ପାଖି ୩୦୦ରୁ ଅଧିକ ଜଣ ଭୟଙ୍କର ଭାବରେ ଆହତ ହୋଇଥିଲେ । ଭାରତୀୟ ସୁରକ୍ଷା ବଳ ଦ୍ୱାରା ହୋଇଥିବା ସ୍ପେସିଆଲ ଅପରେସନରେ ଲସ୍କର ଆତଙ୍କବାଦୀ ସଂଗଠନର ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଅପରେସନରେ ଏକ ମାତ୍ର ଆତଙ୍କବାଦୀ ଅଜମଲ କଶାବକୁ ଜୀବନ୍ତ ଗିରଫ କରାଯାଇଥିଲା । ୪ ବର୍ଷ ପରେ ୨୧ ନଭେମ୍ବର ୨୦୧୨ରେ ତାକୁ ଫାଶୀ ଦିଆ ଯାଇଥିଲା ।

ସେଠାରେ ବିରୋଧ ପ୍ରଦର୍ଶନ କରୁଥିବା ଶଶାଙ୍କ ତୋଲକିକର କହିଥିଲେ, ଆତଙ୍କବାଦକୁ ବିରୋଧ କରୁଥିବା ସବୁ ଦେଶକୁ ଆମେ ଅନୁରୋଧ କରୁଛୁ ସମସ୍ତେ ଆମ ସହିତ ଏକାଠି ହୁଅନ୍ତୁ । ସମସ୍ତେ ମିଶି ଆତଙ୍କବାଦୀମାନଙ୍କୁ ନ୍ୟାୟର କାଠଗଡ଼ାରେ ଛିଡ଼ା କରାଇଦେବା । ଅନ୍ୟ ଜଣେ ବିକ୍ଷୋଭକାରୀ କହିଥିଲେ ପାକିସ୍ତାନର ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଏବଂ ତାର କୁକର୍ମ ପାଇଁ ପାକିସ୍ତାନର ବାଣିଜ୍ୟ ଦୂତାବାସ ଆଗରେ ଆମେ ବିକ୍ଷୋଭ କରୁଛୁ । ଆମେ ସେ ଦିନର ଘଟଣାକୁ କେବେ ଭୁଲିବୁ ନାହିଁ ଏବଂ ତାଙ୍କୁ କେବେ କ୍ଷମା କରିବୁ ନାହିଁ ।

ଜାତିସଂଘର ସ୍ଥାୟୀ ପ୍ରତିନିଧି କଣ କହିଥିଲେ :

ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ ଗୋଟିଏ ସପ୍ତହ ପୂର୍ବରୁ ଆତଙ୍କବାଦ ବିରୋଧରେ କଡ଼ା ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ, ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ପାଇଁ ଆତଙ୍କବାଦ ଏକ ବଡ଼ ବିପଦ ହୋଇ ଛିଡ଼ା ହୋଇଛି । ଆତଙ୍କବାଦୀ ବିଶେଷ କରି ଆଇଏସଆଇଏସ ଏବଂ ଅଲ-କାଏଦା ସଂଗଠନ ଦ୍ୱାରା ପ୍ରେରିତ ହେଉଛନ୍ତି । ଏହି ସଂଗଠନର ଆତଙ୍କବାଦୀ ଏସିଆ ଓ ଆଫ୍ରିକାରେ ସାଧାରଣ ଜନତା ଏବଂ ଦେଶର ସୁରକ୍ଷା ବଳ ଉପରେ ଆକ୍ରମଶ କରୁଛି । ରୁଚିରା କମ୍ବୋଜ ୨୦୦୮ର ମୁମ୍ବାଇ,ତାଜ୍‌ ହୋଟେଲ ଘଟଣାର ବର୍ବରତାଙ୍କୁ ମଧ୍ୟ ମନେ ପକାଇଥିଲେ । ଲସ୍କର-ଇ-ତୋଏବା ସଂଗଠନର ଆତଙ୍କବାଦୀ କେମିତି ନରସଂହାର କରିଥିଲେ । ଯେଉଁଥିରେ ୨୬ ବିଦେଶୀ ନାଗରିକଙ୍କ ସହିିତ ମୋଟ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.