‘ମାସିକ ଧର୍ମ ବେଳେ ଖାଦ୍ୟ ରାନ୍ଧୁଥିବା ମହିଳା ଆର ଜନ୍ମରେ କୁକୁର ହେବେ’
‘ଋତୁସ୍ରାବ ବେଳେ ମହିଳାମାନେ ଖାଦ୍ୟ ତିଆରି କଲେ ଆରଜନ୍ମରେ କୁକୁର ହୋଇ ଜନ୍ମ ନେବେ’, ଏଭଳି ଏକ ବିବାଦୀୟ ବୟାନ ଦେଇଛନ୍ତି ଗୁଜରାଟର ସ୍ୱାମୀନାରାୟଣ ଭୂଜ ମନ୍ଦିରର ସ୍ୱାମୀ କୃଷ୍ଣସ୍ୱରୂପ ଦାସଜୀ। ଏହି ମନ୍ଦିରର ପାଣ୍ଠିରେ ଚାଲିଥିବା ସ୍କୁଲର ହଷ୍ଟେଲରେ ଗତ କିଛି ଦିନ ତଳେ ଝିଅଙ୍କ ଅଣ୍ଡର ୱେୟାର ଖୋଲାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ପିରିୟଡ୍ସର ଯାଞ୍ଚ ଲାଗି ଝିଅମାନଙ୍କୁ ପୋଷାକ ଖୋଲିବାକୁ ବାଧ୍ୟ କରାଯାଇଥିଲା।
ସ୍ୱାମୀନାରାୟଣ ଭୂଜ ମନ୍ଦିରର ୟୁଟ୍ୟୁବ୍ ପେଜ୍ରେ ସେୟାର କରାଯାଇଥିବା ଏକ ଭିଡିଓରେ ସ୍ୱାମୀ କୃଷ୍ଣସ୍ୱରୂପ ଦାସଜୀ କହିଛନ୍ତି ଯେ ଯେଉଁ ପୁରୁଷ ଋତୁସ୍ରାବ ହେଉଥିବା ମହିଳାଙ୍କ ହାତ ତିଆରି ଖାଦ୍ୟ ଖାଇଥାନ୍ତି ସେମାନେ ଆର ଜନ୍ମରେ ଷଣ୍ଢ ହୋଇ ଜନ୍ମ ନେବେ। କୃଷ୍ଣସ୍ୱରୂପଙ୍କ କହିବାନୁସାରେ ଭୁଲରେ ବି ଯଦି କେହି ଏଭଳି କରିଥାନ୍ତି ତେବେ ଆସନ୍ତା ଜନ୍ମରେ ସେ ପଶୁ ଭାବେ ଜନ୍ମ ହେବା ଥୟ।
ଭିଡିଓରେ କୃଷ୍ଣସ୍ୱରୂପ କହିଛନ୍ତି ଯେ ଏହା ଶୁଣିବା ପରେ ଆପଣଙ୍କୁ ଯେମିତି ବି ଲାଗୁ, କିନ୍ତୁ ଶାସ୍ତ୍ରରେ ଏଭଳି ନିୟମ ରହିଛି। ଆପଣଙ୍କୁ ଲାଗୁଥିବ ଯେ ମୁଁ ବହୁତ କଠୋର, ମହିଳାମାନେ ଆର ଜନ୍ମରେ କୁକୁର ହେବେ ଶୁଣି କାନ୍ଦୁଥିବେ ମଧ୍ୟ, କିନ୍ତୁ ଆପଣଙ୍କୁ ଏମିତି ହିଁ ହେବାକୁ ପଡ଼ିବ।
ତେବେ ମହିଳାକୁ ନେଇ ସ୍ୱାମୀଜୀଙ୍କ ଏଭଳି ବିବାଦୀୟ ବୟାନ ପରେ ଲୋକମାନେ ଏହାକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି। କିଛି ଲୋକ ସ୍ୱାମୀଜୀଙ୍କ ମତିଭ୍ରମ ହୋଇଥିବା କହିଛନ୍ତି।