Below header

ନବୀନ ସରକାରଙ୍କ ପଞ୍ଚମ ପାଳିର ଦ୍ୱିତୀୟ ବଜେଟ୍‌, ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ନବୀନ ସରକାରଙ୍କ ପଞ୍ଚମ ପାଳିର ଦ୍ୱିତୀୟ ବଜେଟ୍‌ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ୧୯-୨୦ ଆର୍ଥିକ ବର୍ଷରୁ ୧୧ ହଜାର କୋଟି ଟଙ୍କା ଅଧିକ। ୧୯-୨୦ରେ ଏକ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ୍‌ ଉପସ୍ଥାପିତ ହୋଇଥିଲା। ଏଥର ୬୫ ହଜାର ୬୫୫ କୋଟି ଟଙ୍କା ପ୍ରଶାସନିକ ବ୍ୟୟ ରହିଛି। ଗତ ବଜେଟରେ ଏହି ପରିମାଣ ଥିଲା ୫୭ ହଜାର ୩୧୦ କୋଟି ଟଙ୍କା। ଏଥର ୭୪ ହଜାର କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ ବରାଦ କରାଯାଇଛି, ଗତ ବଜେଟ୍‌ରେ ଏହି ପରିମାଣ ଥିଲା ୭୪ ହଜାର ୬ଶହ କୋଟି ଟଙ୍କା। ଏଥର ୩ ହଜାର ୨ଶହ କୋଟି ଟଙ୍କା ବିପର୍ଯ୍ୟୟ ପ୍ରଶମନ ବ୍ୟୟ ବରାଦ କରାଯାଇଛି। ଗତଥର ଏହି ପରିମାଣ ଥିଲା ୪ ହଜାର ୬ଶହ କୋଟି ଟଙ୍କା। ଏଥର ୭ ହଜାର ୧୪୫ କୋଟି ଟଙ୍କା ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର କରାଯିବ ।

ମନ୍ଦିର ଓ ଐତିହ୍ୟ ସ୍ଥଳ ପାଇଁ ଏଥର ବଜେଟ୍‌ରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ପୁରୀକୁ ହେରିଟେଜ୍‌ ସିଟି କରିବାକୁ ବ୍ୟୟ ଅଟକଳ ରହିଛି ୩ ହଜାର ୨୦୮ କୋଟି ଟଙ୍କା। ୨୦୨୦-୨୧ରେ ଅବଢ଼ା ଯୋଜନାରେ ଖର୍ଚ୍ଚ ହେବ ୬୯୫ କୋଟି ଟଙ୍କା। ସେହିପରି ଲିଙ୍ଗରାଜ ମନ୍ଦିର ବିକାଶ ପାଇଁ ଏକାମ୍ର ଯୋଜନାରେ ୭ ଶହ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ୨୦୨୦-୨୧ରେ ୧୫୦ କୋଟି ଟଙ୍କା ବଜେଟରେ ବ୍ୟୟ ବରାଦ ହୋଇଛି। କଟକ ସହର ପାଇଁ ଡିକଞ୍ଜେସନ ପ୍ଲାନ ପାଇଁ ମଧ୍ୟ ବ୍ୟୟ ବରାଦ ହୋଇଛି।

ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟୟ ବରାଦ ହୋଇଛି ୭ହଜାର ୭ଶହ କୋଟି ଟଙ୍କା। ଗତ ୫ ବର୍ଷ ଭିତରେ ଏହା ଦ୍ୱିଗୁଣିତ ହୋଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ଖର୍ଚ୍ଚ ହେବ ୧୧୦୮ କୋଟି ଟଙ୍କା। ଗତ ବଜେଟ୍‌ରେ ଏହା ଥିଲା ୧୨୦୩ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନରେ ୫୭୮ କୋଟି ଟଙ୍କା, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ୧୬୫୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏସ୍‌ସିବିକୁ ଏମ୍‌ସ୍‌ ପ୍ଲସ ଭଳି ଅନୁଷ୍ଠାନ କରିବାକୁ ୨ ବର୍ଷ ପାଇଁ ୧ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ହେବ। ଏଥର ବଜେଟ୍‌ରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଜିଲ୍ଲାଗୁଡିକରେ ହୃଦ୍‌ରୋଗ ସେବାର ସମ୍ପ୍ରସାରଣ ପାଇଁ ଓଡ଼ିଶା କାର୍ଡିଆକ୍‌ କେୟାର ପ୍ରୋଗ୍ରାମ ନାଁରେ ନୂଆ ଯୋଜନା ଆରମ୍ଭ ହେବ। ଝାରସୁଗୁଡ଼ାରେ ପିପିପି ମୋଡ୍‌ରେ ପ୍ରତିଷ୍ଠା ହେବା ଏକ ହୃଦ୍‌ରୋଗ ଚିକିତ୍ସା କେନ୍ଦ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.