ରୁଷ-ୟୁକ୍ରେନ ଯୁଦ୍ଧରେ ଶାନ୍ତିର ଦୂତ ହୋଇ ପାରିବେ ମୋଦି : ଲଉରା ହେମ୍
ଫ୍ରାନ୍ସ : ରୁଷ-ୟୁକ୍ରେନ ଯୁଦ୍ଧରେ ଶାନ୍ତିର ଦୂତ ହୋଇ ପାରିବେ ଭାରତର ପ୍ରଧାନମନ୍ତ୍ରୀ । ଉଭୟ ଦେଶଙ୍କୁ ଆଲୋଚନା ଟେବୁଲକୁ ଆଣିପାରିବେ ମୋଦି। କେବଳ ସେ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ପାରିବେ ବୋଲି କହିଛନ୍ତି ଫ୍ରାନ୍ସର ବରିଷ୍ଠ ସାମ୍ବାଦିକ ଲଉରା ହେମ୍ । ପିଟିଆଇକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଯୁଦ୍ଧରେ ମାତିଥିବା ରୁଷ ଓ ୟୁକ୍ରେନ କେହି କାହା ସହ ଆଲୋଚନା ପାଇଁ ପ୍ରସ୍ତୁତ ନାହାନ୍ତି ।
ପରସ୍ପରକୁ ଦୋଷାରୋପ କରୁଛନ୍ତି । ୟୁକ୍ରେନ ଆଲୋଚନା ଚାହୁନି । ପୁଟିନଙ୍କୁ ଅନ୍ତର୍ଜାତୀୟ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବାକୁ ଚାହୁଁଛି। ରୁଷ ମଧ୍ୟ ୟୁକ୍ରେନକୁ ଦୋଷାରୋପ କରୁଛି। ଯୁଦ୍ଧରେ ହତ୍ୟାକୁ ନେଇ ଉଭୟ ଉଭୟଙ୍କୁ ଦାୟୀ କରୁଛନ୍ତି । ଉଭୟଙ୍କୁ ଆଲୋଚନା ଟେବୁଲକୁ ଆଣିବା ଅତ୍ୟନ୍ତ ଜଟିଳ ବ୍ୟାପାର। ଏଭଳି ସ୍ଥିତିରେ ମଧ୍ୟସ୍ଥତା ପାଇଁ ଜଣଙ୍କର ଆବଶ୍ୟକତା ରହୁଛି। ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଇ ପାରିବେ।
ସେ ହିଁ ଶାନ୍ତି ଆଲୋଚନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ବୋଲି ଫରାସୀ ସାମ୍ବାଦିକା କହିଛନ୍ତି । ଏଥିସହ ଆମେରିକାରେ ଲୋକେ ରୁଷ-ୟୁକ୍ରେନ ଯୁଦ୍ଧ ସଂପର୍କରେ ଆଦୌ କଥାବାର୍ତ୍ତା ହେଉନଥିବା ତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିବା କହିଛନ୍ତି ।