Below header

ପ୍ରତିଶୋଧର ନିଆଁରେ ମାଙ୍କଡ, ପାଖାପାଖି ୨୫୦ କୁକୁର ଛୁଆଙ୍କୁ ମାରି ସାରିଲେଣି

କେନ୍ୟୁଜ ଓଡିଶା : ଆପଣମାନେ ମଣିଷ ମଣିଷ ଭିତରେ ଗୋଷ୍ଠୀ ସଂଘର୍ଷ ଓ ପ୍ରତିଶୋଧ ନେବାର ଘଟଣା ଦେଖିଥିବେ । ହେଲେ କେବେ ଦେଖିଛନ୍ତି କି ପଶୁ ଜାତି ଭିତରେ ଏଭଳି ଘଟେ ବୋଲି ? ଏଠି ପ୍ରତିଶୋଧର ନିଆଁରେ ଜଳୁଥିବା ପଶୁଟେ ଜୀବନ ନେବାକୁ ବି ପଛାଇ ନାହିଁ । ପ୍ରତିଦିନ ତାର କ୍ରୋଧ ନେଇ ଚାଲିଛି କଅଁଳ ଜୀବନ ସବୁ। ଘଟଣା ଅନୁସାରେ ମାଙ୍କଡ଼ମାନେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟାଇ ଚାଲିଛନ୍ତି । ମାରି ଚାଲିଛନ୍ତି କୁକୁରଙ୍କୁ । ଗତ ଏକ ମାସ ମଧ୍ୟରେ ମାଙ୍କଡମାନେ ପ୍ରାୟ ୨୫୦କୁକୁର ଛୁଆଙ୍କୁ ମାରି ସାରିଲେଣି । ସେମାନେ କୁକୁର ଛୁଆଙ୍କୁ ଧରି ନେଇ ଗଛ କିମ୍ବା କୋଠା ଉପରକୁ ଚଢ଼ି ଯାଉଛନ୍ତି । ଆଉ ତା ପରେ ତଳକୁ ଫିଙ୍ଗି ହତ୍ୟା କରୁଛନ୍ତି । ଶୁଣିବାକୁ ଠିକ ଲାଗୁନଥିଲେ ବି ଏଘଟଣା ସତ । ଏହି ଅଭୁତ କଥା ମହାରାଷ୍ଟ୍ର ବିଡ ଜିଲ୍ଲାର ମଜଲଗାଓଁରେ ଘଟିଛି । ସେହି ଅଞ୍ଚଳରେ ମାଙ୍କଡମାନେ ଏକାଠି ହୋଇ ରହିଥାନ୍ତି । ଯେଉଁ କୁକୁର ଛୁଆଙ୍କୁ ଦେଖନ୍ତି ତାକୁ ଉପରକୁ ନେଇ ତଳକୁ ଫିଙ୍ଗି ଦିଅନ୍ତି। ଏମିତି ଅତି କମରେ ୨୫୦ଟି କୁକୁର ଛୁଆଙ୍କୁ ହତ୍ୟା କଲେଣି ବୋଲି କୁହାଯାଉଛି ।

ମଜଲଗାଁଓ ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଲାଭୋଲ ନାମକ ଏକ ଗାଁ ରହିଛି । ଯାହାର ଜନସଂଖ୍ୟା ପ୍ରାୟ ୫ ହଜାର। ଏହି ଗାଁରେ ବର୍ତ୍ତମାନ ଗୋଟିଏ ବି କୁକୁର ଛୁଆ ବାକି ନାହାନ୍ତି। ଗ୍ରାମବାସୀ ଏସବୁ ଘଟଣା ଦେଖିବା ପରେ ବନ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ । ଅଭିଯୋଗ ପାଇବା ପରେ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ଗାଁରେ ପହଞ୍ଚିଥିଲେ । ହେଲେ ଗୋଟିଏ ବି ମାଙ୍କଡ଼ଙ୍କୁ ଧରିବାରେ ସକ୍ଷମ ହୋଇନଥିଲେ । ଲଗାତର ଚେଷ୍ଟା ପରେ ଆଜି ସୁଦ୍ଧା ୨ଟି ହତ୍ୟାକାରୀ ମାଙ୍କଡକୁ ଧରିବାରେ ସେମାନଙ୍କୁ ସଫଳତା ମିଳିଛି ।

ଗ୍ରାମବାସୀ କହିଛନ୍ତି ଯେ ମାଙ୍କଡମାନେ କୁକୁରଙ୍କ ଉପରେ ପ୍ରତିଶୋଧ ନେଉଛନ୍ତି । କୁକୁରମାନେ ମିଶି ଗୋଟେ ମାଙ୍କଡ ଛୁଆକୁ ମାରି ଦେଇଥିଲେ । ତାରି ପରେ ଆରମ୍ଭ ହୋଇଥିଲା ମାଙ୍କଡ଼ଙ୍କ ପ୍ରତିଶୋଧ । ମାଙ୍କଡମାନେ କୁକୁର ଛୁଆଗୁଡ଼ିକୁ ଦେଖିବା ମାତ୍ରେ ସେମାନଙ୍କୁ ଧରି ନେଇ ଗଛ କିମ୍ବା କୋଠା ଉପରୁ ଫିଙ୍ଗି ମାରିବା ଆରମ୍ଭ କଲେ । ଯେତେବେଳେ ବନ ବିଭାଗର ଅଧିକାରୀମାନେ ମାଙ୍କଡ ଧରିବାରେ ବିଫଳ ହେଲେ, ଗ୍ରାମବାସୀ କୁକୁର ଛୁଆମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ମାଙ୍କଡ଼ମାନଙ୍କ ଭିତରେ ପ୍ରତିଶୋଧର ନିଆଁ ଏତେ ଜୋରରେ ଜଳୁଥିଲା ଯେ ସେମାନେ ମଣିଷଙ୍କୁ ବି ଛାଡ଼ିଲେ ନାହିଁ । ରାଗରେ ଜଳୁଥିବା ଏହି ମାଙ୍କଡମାନେ କିଛି ଲୋକଙ୍କୁ କୋଠା ତଳକୁ ପେଲି ଦେଇଥିଲେ ଆଉ ସେମାନେ ମଧ୍ୟ ଆହତ ହୋଇଥିଲେ ।

ମାଙ୍କଡମାନେ ଗାଁର ପ୍ରାୟ ସମସ୍ତ କୁକୁର ଛୁଆଙ୍କୁ ମାରି ଦେଇଛନ୍ତି । ତଥାପି ସେମାନଙ୍କ ରାଗ ଶାନ୍ତ ହୋଇ ନାହିଁ । ଗାଁର ଛୋଟପିଲାଙ୍କୁ ବି ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି ଏମାନେ । ସ୍କୁଲ ଯାଉଥିବା ପିଲାଙ୍କୁ ବି ଆକ୍ରମଣ କରୁଛନ୍ତି । ଯାହାଫଳରେ ଗାଁରେ ଏବେ କୋକୁଆ ଭୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.