ମଧ୍ୟପ୍ରଦେଶ : ତିନି ପିଲା ଓ ପତ୍ନୀଙ୍କୁ ଧରି ୬ ଶହ କ.ମି ହାତ ତିଆରି ରିକ୍ସା ଚଳାଇ ଆସିଲେ ଦିଲ୍ଲୀରୁ ମଧ୍ୟପ୍ରଦେଶ

ଭୋପାଳ : କରୋନା କନ୍ଦାଉଛି । କେଉଁଠି ଭୋକ ଉପବାସରେ ପଡ଼ି ଲୋକେ କାନ୍ଦୁଛନ୍ତି ତ କେଉଁଠି ପରିବାର ଲୋକଙ୍କୁ ହରାଇ । ସବୁଠୁ ଦଃଖଦ ଘଟଣା ଘଟୁଛି ପ୍ରବାସୀ ଶ୍ରମିକଙ୍କ କ୍ଷେତ୍ରରେ । ଯେଉଁମାନେ ହଜାର ହଜାର କ.ମି ଚାଲି ଚାଲି ଆସୁଛନ୍ତି ।

ଏହି ଅବସ୍ଥାରେ କେହି କେହି ବାଟରେ ବି ପ୍ରାଣ ତ୍ୟାଗ କରୁଛନ୍ତି । ଏମିତି ଏକ ଘଟଣା ଦୃଷ୍ଟିକୁ ଆସିଛି ଯେଉଁଠି ଜଣେ ଶ୍ରମିକ ଦିଲ୍ଲୀରୁ ମଧ୍ୟପ୍ରଦେଶ ୬୦୦ କି.ମି ନିଜ ହାତ ତିଆରି ରିକ୍ସାରେ ପରିବାରକୁ ଧରି ଆସିଛନ୍ତି । ଏହି ଶ୍ରମିକ ହେଉଛନ୍ତି ମଧ୍ୟପ୍ରଦେଶ ଛତ୍ରପୁର ଜିଲ୍ଲା ହରପଲପୁର ତହସିଲ୍‌ ମଇଆ ଗାଁର ।

ସେ କିଛି ବର୍ଷ ଧରି ଦିଲ୍ଲୀରେ ଏକ ନିର୍ମାଣ ସଂସ୍ଥାରେ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ଲକ୍‌ଡାଉନ୍‌ ଯୋଗୁ କାମ ବନ୍ଦ ହୋଇଯିବାରୁ କିଛି ଦିନ ଦୁଃଖେ କଷ୍ଟେ ଚଳିଲେ । ଟଙ୍କା ପଇସା ସରିଯିବାରୁ ଅନ୍ୟ ଉପାୟ ନପାଇ ଘରକୁ ଆସିବାକୁ ଚିନ୍ତା କଲେ ।

ଫଳରେ ଅଳିଆ ନେବା ଟ୍ରଲି ଟିଏ ପାଇବାରୁ ସେଥିରେ ନିଜର ସାଇକେଲ୍‌ ଓ କବାଡିରୁ ଆଣିଥିବା ଅନ୍ୟାନ୍ୟ ଯନ୍ତ୍ର ସଂଯୋଗ କରି ଏକ ରିକ୍ସା ବନାଇଲେ । ସେଥିରେ ପତ୍ନୀ ଓ ୬ ବର୍ଷର ଝିଅ, ୩ ବର୍ଷର ଦୁଇ ପୁଅ ଓ ୮ ବର୍ଷର ପୁତୁରାକୁ ବସାଇ ଦୀର୍ଘ ୬୦୦ କି.ମି ଯାତ୍ରା କରିବା ପରେ ଗାଁରେ ପହଞ୍ଚିଥିଲେ ।

ଗାଁରେ ପହଞ୍ଚିବାକୁ ତାଙ୍କୁ ୫ ଦିନ ସମୟ ଲାଗିଥିଲା । ଏହି ୫ ଦିନ ଯାତ୍ରା ମଧ୍ୟରେ ବହୁତ କିଛି ଅସୁବିଧା ଦେଇ ଗତି କରିଥିଲେ ମଧ୍ୟ ଇଶ୍ୱରଙ୍କ ଦୟାରୁ ଘରେ ପହଞ୍ଚିଥିବାରୁ ସେ ଇଶ୍ୱରକୁ ଧନ୍ୟବାଦ ଦେଇଛନ୍ତି । ଆଉ କେବେ ବି କାମ ପାଇଁ ବଡ଼ ସହରକୁ ଯିବେନି ବୋଲି ସେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.