ଯୁବକଙ୍କ ସୁନ୍ଦର ପେଣ୍ଟିଂ, ମାସ୍କ ଉପରେ ବନାଇଲେ ଭାରତର ୪୪ ଜଣ ଡାକ୍ତରଙ୍କ ଚିତ୍ର
ନୀମଚ : କରୋନା ଯୁଦ୍ଧରେ ଆମ ଦେଶର ନାଗରିକ ପୁରା ତାକତର ସହ ଲଢ଼ିଛନ୍ତି । ତେବେ ଏଥିରେ ଡାକ୍ତରଙ୍କ ଭୂମିକା ସର୍ବୋପରି । ଦେଶର ନାଗରିକ ଏହି କରୋନା ଯୋଦ୍ଧାଙ୍କୁ ବିଭିନ୍ନ ଢ଼ଙ୍ଗରେ ସମ୍ମାନ ପ୍ରଦର୍ଶନ କରିଛନ୍ତି । ମଧ୍ୟପ୍ରଦେଶର ଜଣେ ଯୁବକ କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରି ଏମିତି କିଛି କରିଛନ୍ତି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ମଧ୍ୟ ପ୍ରଦେଶ ନୀମଚ ଜିଲ୍ଲାର କୁଚଦୌଡ ନାମକ ଏକ ଛୋଟ ଗାଁରେ ରୁହନ୍ତି ୩୦ ବର୍ଷୀୟ ରାହୁଲ ଲୋହାର । ରାହୁଲ ଏକ ମାସ୍କ ଉପରେ ୪୪ ଜଣ ଡାକ୍ତରଙ୍କ ଚିତ୍ର ଆଙ୍କିଛନ୍ତି ଯେଉଁମାନେ କରୋନା ଯୁଦ୍ଧରେ ଲଢ଼ି କରି ସହିଦ ହୋଇଯାଇଛନ୍ତି । ଚୀନ୍ର ବୁହାନରେ ସହିଦ ହୋଇଥିବା ଡାକ୍ତରଙ୍କ ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ଭାଗରେ ସହିଦ ହୋଇଥିବା ୪୪ ଜଣ ଡାକ୍ତରଙ୍କ ପୋଟ୍ରେଟ୍ ଅତି ସୁନ୍ଦର ଭାବରେ ଏକ ମାସ୍କ ଉପରେ ଆଙ୍କିଛନ୍ତି । କରୋନା ସମୟରେ ବିଭିନ୍ନ ପ୍ରକାର ମାସ୍କ ଡିଜାଇନ୍ କରାଯାଇଛି ।
ତେବେ ଲୋହାରଙ୍କ ଏହି ପେଣ୍ଟିଂ ମାସ୍କ କିଛି ଭିନ୍ନ ପ୍ରକାରର । ରାହୁଲ ପ୍ରାୟ ୧୨ ଘଣ୍ଟା ପରିଶ୍ରମ କରି ଏହି ପେଣ୍ଟିଂ ବନାଇଛନ୍ତି । ସେ ଏଥିରେ ଇକୋ ଫ୍ରେଣ୍ଡ୍ଲି ଓ୍ଵାଟର କଲର୍ ବ୍ୟବହାର କରିଛନ୍ତି । ରାହୁଲଙ୍କ ଏହି ମାସ୍କ ଇଣ୍ଟରନେଟ୍ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବା ପରେ ଏହାକୁ ଖୁବ୍ ପ୍ରଶଂସା କରାଯାଇଛି ।
ରାହୁଲ ଏକ ମଧ୍ୟମ ବର୍ଗ ପରିବାରରୁ ଆସିଥିବା ବେଳେ ପିଲାଦିନରୁ ତାଙ୍କର ପେଣ୍ଟିଂ ପ୍ରତି ଆକର୍ଷଣ ଥିଲା । ଆଜି ସେ ଏକ ୫x ୮ ଇଞ୍ଚ୍ର ମାସ୍କରେ ୧୨ ଘଣ୍ଟା ପରିଶ୍ରମ କରି ଏହି ସୁନ୍ଦର ମାସ୍କ ତିଆରି କରିପାରିଛନ୍ତି । ରାହୁଲ ଏହି ପେଣ୍ଟିଂ ମାଧ୍ୟମରେ ସବୁଠି ପରିଚିତ ହେବାକୁ ଲାଗିଛନ୍ତି ।