ମିଆଁମାର ସେନା ଖେଳିଲା ରକ୍ତର ହୋଲି: ମହିଳା ଓ ପିଲାଙ୍କ ସମେତ ୩୦ ଲୋକଙ୍କୁ ମାରିବା ପରେ ମୃତଦେହରେ ଲଗାଇଲା ନିଆଁ

ମିଆଁମାରରେ ବର୍ଷ ଆରମ୍ଭ ନ ହେଉଣୁ ରକ୍ତ ହୋଲି ଖେଳିଛି ସେନା। ମିଆଁମାର ସେନା ଅମାନୁଷିକ ଭାବେ ଲୋକଙ୍କୁ ମାରୁଛି। ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସେନାଙ୍କ ଘୃଣ୍ୟ କାମରୁ ବଞ୍ଚିପାରୁନାହିଁ। ଏଠାରେ ପାଖାପାଖି ୩୦ ଜଣଙ୍କୁ ମାରି ହତ୍ୟା କରିବା ପରେ ମୃତଦେହକୁ ନିଆଁ ଲଗାଇଛି। ଏଥିରେ କିଛି ପିଲା ଏବଂ ମହିଳା ମଧ୍ୟ ସାମିଲ ରହିଛନ୍ତି।

ସୂଚନା ଯୋଗ୍ୟ, ଏହି ଘଟଣା ମିଆଁମାରର କାୟା ପ୍ରଦେଶର ହପ୍ରୁସୋ ସହର ବାହାରେ ଥିବା ଗାଁରେ ହୋଇଥିଲା। ଆଉ ଏହି ହତ୍ୟାକାଣ୍ଡର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯାହା ପରେ ଶାସନରେ ଥିବା କାବିଜ ସେନା ବିରୋଧରେ ଲୋକଙ୍କ ଆକ୍ରୋଶ ବଢିବାରେ ଲାଗିଛି। ସେନା ଆକ୍ରମଣରୁ ବଞ୍ଚିବା ପାଇଁ ଶରଣାର୍ଥୀ ଏକ ଗାଁରେ ଆଶ୍ରୟ ନେଇଥିଲେ।

ଭାଇରଲ ହେଉଥିବା ଭିଡିଓରେ ତିନିଟି ଗାଡି ସହିତ ୩୦ରୁ ଅଧିକ ଜଳୁଥିବା ଶବ ଦେଖିବାକୁ ମିଳିଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ମୋସୋ ପାଖରେ ଥିବା ଅନେକ ଗାଁ ନିକଟରେ ସଶସ୍ତ୍ର ବଳ ଏବଂ ମିଆଁମାର ସେନା ମଧ୍ୟରେ ସଂଘର୍ଷରୁ ବଞ୍ଚିବା ପାଇଁ ଶୁକ୍ରବାର ଦିନ ପଳାୟନ କରିଥିଲେ। ଯାହାଙ୍କୁ ସେନା ଯବାନ ଗିରଫ କରିଥିଲେ। ଏହା ପରେ ତାଙ୍କୁ ସେନା ପକ୍ଷରୁ ହତ୍ୟା କରାଯାଇଥିଲା। ସେମାନେ ଶରଣାର୍ଥୀଙ୍କ ଶିବିରକୁ ଯିବା ସମୟରେ ସେମାନଙ୍କୁ ଗିରଫ କରାଯାଇଥିବା ବୋଲି ସୂଚନା ମିଳିଛି। ମିଆଁମାରର ଏଭଳି ଅବସ୍ଥା ଗତ ଫେବୃଆରୀରୁ ବିଗିଡି ରହିଛି।