ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ପଣ୍ଡ : ଆଇଏସଆଇଏସ ମଡ୍ୟୁଲର ୧୦ ସଦସ୍ୟ ଗିରଫ

ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ବ଼ଡ ଧରଣର ଆକ୍ରମଣ ଯୋଜନା ପଣ୍ଡ । ଦିଲ୍ଲୀ ଓ ଉତ୍ତର ପ୍ରଦେଶର ୧୭ଟି ସ୍ଥାନରେ ଚଢଉ କରି ୧୦ଜଣଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା-ଏନଆଇଏ।। ଉତ୍ତର ଭାରତ ସମେତ ବିଭିନ୍ନ ସ୍ଥାନରେ ଏମାନେ ଫିଦାୟିନ ଆକ୍ରମଣ କରିବା ପାଇଁ ଯୋଜନା କରିଥିବା ଏନଆଇଏ ଆଇଜି ଅଶୋକ ମିତ୍ତଲ କହିଛନ୍ତି। ଗିରଫ ଅଭିଯୁକ୍ତମାନେ ଆଇଏସଆଇଏସ ମଡ୍ୟୁଲର ହରକତ-ଉଲ- ହର୍ବ- ଏ- ଇସଲାମ ସଂଗଠନର ସଦସ୍ୟ । ସେମାନଙ୍କ ଠାରୁ ବିପୁଳ ପରିମାଣର ବିସ୍ଫୋରକ, ମାରଣାସ୍ତ୍ର, ରକେଟ ଲଞ୍ଚର ସହ ସାଢ଼େ ସାତ ଲକ୍ଷ ଟଙ୍କା, ୧୦୦ରୁ ଅଧିକ ମୋବାଇଲ ଫୋନ, ୧୩୫ ଟି ସିମ କାର୍ଡ ଓ ଲାପଟପ ଜବତ ହୋଇଛି।
ଆଜି ଏନଆଇଏ, ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଓ ଉତ୍ତର ପ୍ରଦେଶ ଏଟିଏସ ଏକସଙ୍ଗେ ୧୭ଟି ସ୍ଥାନରେ ରେଡ କରିଥିଲେ । ଚଢ଼ାଉ ବେଳେ ୫ ଜଣଙ୍କୁ ଦିଲ୍ଲୀରୁ ଏବଂ ଅନ୍ୟ ୫ଜଣଙ୍କୁ ଉତ୍ତର ପ୍ରଦେଶର ଅଲମୋଡ଼ା ଜିଲ୍ଲାରୁ ଗିରଫ କରାଯାଇଛି। ଏଥିସହ ଅନ୍ୟ କେତେଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ଏନଆଇଏ । କେତେକ ବିଶେଷ ଜାଗା ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ସିରିଆଲ ବୋମା ବିସ୍ଫୋରଣ ନେଇ ଆଇଏସଆଇଏସ ମଡ୍ୟୁଲର ହରକତ-ଉଲ- ହର୍ବ- ଏ- ଇସଲାମ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ରହିଥିଲା।
ଅନେକ ଭିଆଇପି ଓ ରାଜନେତା ମଧ୍ୟ ଟାର୍ଗେଟରେ ରହିଥିଲେ ବୋଲି ଜଣାପଡ଼ିଛି। ଦିଲ୍ଲୀର ମୁଫତି ସୋହେଲ ଏହି ସଂଗଠନକୁ ପରିଚାଳନା କରୁଥିବା କହିଛି ଏନଆଇଏ। ବିଦେଶରେ ଏହାର ମାଷ୍ଟର ମାଇଣ୍ଡ ଥିବା ସୂଚନା ମିଳିଛି। କିନ୍ତୁ ତା’ର ପରିଚୟ ମିଳିପାରିନାହିଁ। ଗତ କିଛି ଦିନ ଧରି ସଂଗଠନର ସନ୍ଦେହଜନକ ଗତିବିଧି ପରେ ଏନଆଇଏ ଚଢଉ କରିଥିଲା।