ଚୋରି ଅଭିଯୋଗରେ ଜାତୀୟ ସ୍ତରର ସ୍ନୁକର ଖେଳାଳି ଗିରଫ, ଜବତ ହେଲା ୧୭ ଲକ୍ଷ ଟଙ୍କାର ସୁନା

ଚୋରି ଅଭିଯୋଗରେ ଗିରଫ ହୋଇଛନ୍ତି ଜାତୀୟ ସ୍ତରର ସ୍ନୁକର ଖେଳାଳି। ବୁଧବାର ଗୋଆ ପୋଲିସ ଅଭିଯୁକ୍ତ ସ୍ନୁକର ଖେଳାଳି ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି।

ଚୋରି ଅଭିଯୋଗରେ ଗିରଫ ହୋଇଛନ୍ତି ଜାତୀୟ ସ୍ତରର ସ୍ନୁକର ଖେଳାଳି। ବୁଧବାର ଗୋଆ ପୋଲିସ ଅଭିଯୁକ୍ତ ସ୍ନୁକର ଖେଳାଳି ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି। ପୋଲିସ ଦ୍ୱାରା ଗିରଫ ହୋଇଥିବା ଖେଳାଳି ନିକଟରେ ଅନୁଷ୍ଠିତ ଏକ ଜାତୀୟ ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ, ସ୍ନୁକର ଖେଳାଳି ସୁଲେମାନ ଶେଖ ଏବଂ ତାଙ୍କ ସହଯୋଗୀ ଶବୀରସାହେବ ଶାଲାୱାଡି। ସୁନା ଓ ଦୁଇ ଚକିଆ ଗାଡ଼ି ଚୋରି ଅଭିଯୋଗରେ ସେମାନଙ୍କ ନାମରେ ମାମଲା ହୋଇଛି।

ଉତ୍ତର ଗୋଆ ପୋଲିସ ଅଧୀକ୍ଷକ ନିଧିନ ଭଲ୍‌ସନ କହିଛନ୍ତି ଯେ ସୁଲେମାନ ଶେଖ ଏବଂ ତାଙ୍କ ସହଯୋଗୀ ଶବୀରସାହେବ ଲୋକଙ୍କ ଘରେ ପଶି ଦୁଇ ଚକିଆ ଗାଡ଼ି ଓ ଅନ୍ୟାନ୍ୟ ଜିନିଷ ଚୋରି କରୁଥିଲେ। ଏହି ଅଭିଯୋଗ ଆଧାରରେ ସେମାନଙ୍କୁ ଗିରଫ କରାଯାଇଛି। ସୁଲେମାନ ଶେଖ ଜାତୀୟ ଖେଳ ୨୦୨୩ରେ ଗୋଆର ପ୍ରତିନିଧିତ୍ୱ କରିଥିଲେ।

ପୋଲିସ ଅଧିକାରୀ କହିଛନ୍ତି, ଅଭିଯୁକ୍ତମାନେ ବାଇକ୍‌ ଓ ସୁନା ଚୋରିରେ ସମ୍ପୃକ୍ତ ଥିଲେ। ସେମାନଙ୍କ ନିକଟରୁ ୧୭ ଲକ୍ଷ ଟଙ୍କା ମୂଲ୍ୟର ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ପାଖାପାଖି ୫୦ଟି ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରିଛି।

ସୁଲେମାନ ଓ ଶବୀରସାହେବଙ୍କୁ ପନ୍‌ଜୀର ବାହ୍ୟ ଅଞ୍ଚଳ ପୋରଭୋରିମରେ ଗିରଫ କରାଯାଇଥିଲା। ରାସ୍ତାରେ ଅଟକାଇ ସେମାନଙ୍କୁ ପଚରାଉଚରା ବେଳେ ସେମାନେ ଖସିଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ ସେମାନଙ୍କୁ ଗୋଡ଼ାଇ କାବୁ କରି ନେଇଥିଲା। ଏ ନେଇ ଅଧିକ ତଦନ୍ତ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.