ନାଟୋର ପରମାଣୁ ପରାକ୍ରମ ଦେଖିବ ରୁଷ୍‌: ସାମିଲ ହେବେ ୧୪ ଦେଶ, ୬୦ ଏୟାରକ୍ରାଫ୍ଟ

କେନ୍ୟୁଜ୍(ବ୍ୟୁରୋ): ୟୁରୋପ ଆକାଶରେ ଗର୍ଜିବ ନାଟୋର ପରମାଣୁ ଅସ୍ତ୍ରବାହୀ ଯୁଦ୍ଧ ବିମାନ । ଆସନ୍ତାକାଲିଠୁ ନାଟୋର ପରମାଣୁ ସମରାଭ୍ୟାସ -ଷ୍ଟେଡ୍‌ଫାଷ୍ଟ ନୁନ୍‌ । ସାମିଲ ହେବେ ୧୪ ଦେଶ ଓ ୬୦ ଏୟାରକ୍ରାଫ୍ଟ । ନର୍ଥ ଡାକୋଟାର ମିନଟ୍‌ ଏୟାରବେସ୍‌ରୁ ଉଡ଼ିବେ ବୋମାବର୍ଷି ବିମାନ । ଚତୁର୍ଥ ଓ ପଞ୍ଚମ ଜେନେରେସନ୍‌ର ଫାଇଟର ଜେଟ୍‌ ଦେଖାଇବେ ରଣ କୌଶଳ । ଏହା ଭିତରେ ରହିଛି ଆମେରିକାର B-52 ଲଙ୍ଗ୍‌ ରେଞ୍ଜ୍‌ ବମ୍ବର । ପରମାଣୁ ଅସ୍ତ୍ରକୁ ପ୍ରତିହତ କରିବାର ଡ୍ରିଲ କରିବେ ୧୪ ଦେଶର ଲଢ଼ୁଆ ବିମାନ। ଅକ୍ଟୋବର ୩୦ ପର୍ଯ୍ୟନ୍ତ ଦୀର୍ଘ ୧୭ ଦିନ ଧରି ଚାଲିବ ନ୍ୟୁକ୍ଲିଅର ଏକ୍ସରସାଇଜ୍‌। ତେବେ ଯୁଦ୍ଧାଭ୍ୟାସ ବେଳେ କୌଣସି ଜୀବନ୍ତ ଅସ୍ତ୍ର ବ୍ୟବହାର ହେବ ନାହିଁ। ନାଟୋ କହିଛି ଏହା ନିୟମିତ ସମରାଭ୍ୟାସ ।

ସାଂପ୍ରତିକ ସମୟର କୌଣସି ଘଟଣା ସହ ଏହାର ଲିଙ୍କ୍‌ ନାହିଁ । ନାଟୋର ଆଣବିକ ଅସ୍ତ୍ରଶସ୍ତ୍ର ସୁରକ୍ଷିତ ଓ ପ୍ରଭାବୀ କି ନାହିଁ ଏହାକୁ ନିଶ୍ଚିତ କିରବାକୁ ପ୍ରତିବର୍ଷ ଏହି ଏକ୍ସରସାଇଜ୍‌ ହୋଇଥାଏ ବୋଲି ନାଟୋ ମୁଖ୍ୟ କହିଛନ୍ତି । କିନ୍ତୁ ପୁଟିନ୍‌ଙ୍କ ପରମାଣୁ ଧମକ ପରେ ନାଟୋର ପରମାଣୁ ଯୁଦ୍ଧାଭ୍ୟାସ ଆରମ୍ଭ ହେଉଥିବାରୁ ଏହାକୁ ଅତି ଗୁରୁତ୍ୱପୂର୍ଣ୍ଣ ବିଚାର କରାଯାଉଛି । ପୁଟିନ୍‌ କହିଛନ୍ତି ନାଟୋ ସହ ରୁଷିଆର ସିଧାସଳଖ ଯୁଦ୍ଧ ହେଲେ ପୃଥିବୀରେ ମହା ବିପର୍ଯ୍ୟୟ ସୃଷ୍ଟି ହେବ। ଏବେ ଶାନ୍ତି ଆଲୋଚନା ଦେଖାଯାଉ ନାହିଁ ବୋଲି କହିଛନ୍ତି ପୁଟିନ୍‌ । ଆମେରିକା ନେତୃତ୍ୱାଧୀନ ନାଟୋ ଓ ରୁଷ ମଧ୍ୟରେ ଶୀର୍ଷରେ ପହଞ୍ଚିଲାଣି ଉତ୍ତେଜନା। ଯେ କୌଣସି ସମୟରେ ପ୍ରତ୍ୟକ୍ଷ ଯୁଦ୍ଧର ରୂପ ନେଇପାରେ ପରୋକ୍ଷ ଯୁଦ୍ଧ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.