ଉତ୍ତର ଆଫ୍ରିକାରେ ପ୍ରକୃତିର ତାଣ୍ଡବ, ମରକ୍କୋରେ ଭୟାବହ ଭୂକମ୍ପ ପରେ ପୂର୍ବ ଲିବ୍ୟାରେ ପ୍ରଳୟଙ୍କରୀ ବନ୍ୟା
ଉତ୍ତର ଆଫ୍ରିକାରେ ପ୍ରକୃତିର ତାଣ୍ଡବ । ମରକ୍କୋରେ ଭୟାବହ ଭୂକମ୍ପ ପରେ ପୂର୍ବ ଲିବ୍ୟାରେ ପ୍ରଳୟଙ୍କରୀ ବନ୍ୟା । ବାତ୍ୟା ପରେ ବର୍ଷାରେ ଭୁଶୁଡ଼ିଲା ଡ୍ୟାମ । ଧୋଇଗଲା ଡୋରନା ସହର । ୩ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

ଉତ୍ତର ଆଫ୍ରିକାରେ ପ୍ରକୃତିର ତାଣ୍ଡବ । ମରକ୍କୋରେ ଭୟାବହ ଭୂକମ୍ପ ପରେ ପୂର୍ବ ଲିବ୍ୟାରେ ପ୍ରଳୟଙ୍କରୀ ବନ୍ୟା । ବାତ୍ୟା ପରେ ବର୍ଷାରେ ଭୁଶୁଡ଼ିଲା ଡ୍ୟାମ । ଧୋଇଗଲା ଡୋରନା ସହର । ୩ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ୧୦ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି । ପୁରା ସହରର ଭିତ୍ତିଭୂମି ଛାରଖାର ହୋଇଯାଇଛି।
ଲିବ୍ୟାରେ ପ୍ରଳୟଙ୍କରୀ ବର୍ଷା। ବାତ୍ୟା ପରେ ପ୍ରବଳ ବର୍ଷା ଆଣିଲା ମହାବିପତ୍ତି। ମୂଷଳଧାରା ବର୍ଷାରେ ଡ୍ୟାମ ଭୁଶୁଡ଼ି ୩ ହଜାରରୁ ଅଧିକ ମୃତ। ୧୦ହଜାର ଲୋକ ନିଖୋଜ। ଡ୍ୟାମ ହଠାତ ଭୁଶୁଡ଼ିବା ଫଳରେ ପୂର୍ବ ଲିବ୍ୟାର ଡେର୍ ନା ସହର ଜଳମୟ ହୋଇଥିଲା। ପାଣିର ପ୍ରଖର ସ୍ରୋତରେ ଆପାର୍ଟମେଣ୍ଟଗୁଡ଼ିକ ବୁଡିବା ସହ ଗାଡ଼ିମଟର ରାସ୍ତାରେ ଭାସିଥିଲା। ମାଟିରେ ମିଶିଛି ଅନେକ କୋଠା।
ଭୂମଧ୍ୟ ସାଗରକୁ ମୁହଁ କରିଥିବା ଏକ ବିଶାଳ ପ୍ରାଚୀର ଧସିଯିବାରୁ ବହୁ ଲୋକଙ୍କୁ ଭସାଇ ନେଇଥିଲା ଜଳସ୍ରୋତ। ଡାନିଏଲ ବାତ୍ୟା ଫଳରେ ପୂର୍ବ ଲିବ୍ୟାରେ ହୋଇଥିଲା ମୂଷଳାଧାରା ବର୍ଷା। ଏହା ପରେ ଡ୍ଯାମ ଭୁଶୁଡ଼ିବା ସହ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୬୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଡେରନା ସହର ବନ୍ୟାରେ ଧ୍ବଂସସ୍ତୁପରେ ପରିଣତ ହୋଇଛି।
୨ହଜାର ଲୋକ ପ୍ରାଣ ହରାଇଥିବା କୁହାଯାଉଥିବା ବେଳେ ଏହି ସଂଖ୍ୟା ଢେର ବଢିବ ବୋଲି କହିଛନ୍ତି ଲିବ୍ୟା ନ୍ୟାସନାଲ ଆର୍ମୀ ମୁଖପାତ୍ର। ୨୦ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଡେରନାର ବିଭିନ୍ନ ସ୍ଥାନରେ ମୃତଦେହ ଭାସୁଥିବା ଦେଖାଯାଇଛି। ସେଠାକାର ସ୍ଥିତି ଅତ୍ୟନ୍ତ ବିପଦପୂର୍ଣ୍ଣ ଓ ହୃଦୟ ବିଦାରକ ଥିବା ଲିବ୍ୟା ସ୍ବାସ୍ଥ୍ୟମନ୍ତ୍ରୀ ଓଥମାନ ଅବଦୁଲ ଜଲିଲ। କେବଳ ଭୂମଧ୍ୟସାଗରକୁ ଭାସି ଯାଇଥିବା ଏକହଜାରରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଛି।
ଡେରନାରେ ସ୍ଥାନାନ୍ତର ହୋଇଥିବା ଲୋକଙ୍କୁ ସହାୟତା ପାଇଁ ରାଜଧାନୀ ତ୍ରିପୋଲିରୁ ଖାଦ୍ୟ, ଔଷଧ ଓ ଅତ୍ୟାବଶ୍ୟକ ସାମଗ୍ରୀ ପଠାଯାଉଛି। ତେବେ ଅନେକ ସ୍ଥାନରେ ରାସ୍ତା ଧୋଇ ଯାଇଥିବାରୁ ସେଠାକୁ ସହାୟତା ପଠାଇବାରେ ବହୁ ବାଧା ଉପୁଜୁଛି। ରାସ୍ତା ଓ ପୋଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଏହାର ନିର୍ମାଣ ପାଇଁ ପ୍ରାୟ ୮ହଜାର କୋଟି ଟଙ୍କା ଆବଶ୍ୟକ ବୋଲି ଲିବ୍ୟାନ ଗଭର୍ଣ୍ଣମେଣ୍ଚ ଅଫ ନ୍ୟାସନାଲ ୟୁନିଟି ପକ୍ଷରୁ କୁହାଯାଇଛି।
ସପ୍ତାହକ ମଧ୍ୟରେ ଉତ୍ତର ଆଫ୍ରିକୀୟ ରାଷ୍ଟ୍ରରେ ଦୁଇ ଦୁଇଟି ବଡ଼ ବିପତ୍ତି। ମରକ୍କୋରେ ପ୍ରଳୟଙ୍କରୀ ଭୂମିକଂପ ପରେ ଲିବ୍ୟାରେ ବନ୍ୟାର କରାଳରୂପ। ମରକ୍କୋରେ ବଢୁଛି ମୃତ୍ୟୁସଂଖ୍ୟା। ଏଯାଏ ମୃତକଙ୍କ ସଂଖ୍ୟା ୨୮୦୦ ପାର କଲାଣି। ଗତ ୬୦ ବର୍ଷରେ ମରକ୍କୋରେ ଏହା ସବୁଠାରୁ ବଡ଼ ଭୂମିକଂପ।
୪ଦିନ ପରେ ବି ଧ୍ବଂସାବଶେଷ ତଳୁ ଚାଲିଛି ଜୀବନ ଖୋଜା। ଭଗ୍ନାବଶେଷ ତଳେ ନିଜ ପରିବାର ସଦସ୍ୟଙ୍କୁ ଆକୁଳ ହୋଇ ଖୋଜିଚାଲିଛନ୍ତି ପ୍ରଭାବିତ। ରେସକ୍ଯୁ କାମ ଚଳାଇଛନ୍ତି ସେନା ଓ ଉଦ୍ଧାରକାରୀ ଦଳ। ସ୍ପେନ, ବ୍ରିଟେନ, କାତାର ଓ ୟୁଏଇ ଆଦି ଦେଶରୁ ସହାୟତା ଯୋଗାଇ ଦିଆଯାଇଛି।