ଭାରତ ସହ କଥାବାର୍ତ୍ତା ମାଧ୍ୟମରେ ହୋଇପାରିବ ସବୁ ସମସ୍ୟାର ସମାଧାନ: ନେପାଳ ବିଦେଶ ମନ୍ତ୍ରୀ ପ୍ରଦୀପ କୁମାର ଗୱାଲିଆ

ଭାରତ ଅଧୀନରେ ଥିବା କଳାପାଣି, ଲିପୁଲେଖ ଓ ଲିମ୍ପିଆଧୁରା ଅଂଚଳକୁ ନିଜ ମାନଚିତ୍ରରେ ସାମିଲ କରିବାର କିଛି ଦିନ ଭିତରେ ହିଁ ନେପାଳ ବିଦେଶ ମନ୍ତ୍ରୀ ପ୍ରଦୀପ କୁମାର ଗୱାଲିଆ ଭାରତକୁ ନିଜର ଏକ ବନ୍ଧୁ ରାଷ୍ଟ୍ର ଭାବେ ନିଜ ବୟାନରେ ଉଲ୍ଲେଖ କରିଛନ୍ତି । ତାଙ୍କ ଅନୁଯାୟୀ କାହିଁ କେଉଁ କାଳରୁ ନେପାଳ ସହ ଭାରତର ଏକ ଘନିଷ୍ଠ ବନ୍ଧୁତା ରହି ଆସିଛି । ସେ ଏହା ମଧ୍ୟ କହିଛନ୍ତିକି କଳାପାଣିକୁ ନେଇ ଉଠିଥିବା ବିବାଦ ଆପୋଷ ବୁଝାମଣା ଭିତରେ ସମାଧାନ ହୋଇଯାଇ ପାରିବ । ନେପାଳ ବିଦେଶ ମନ୍ତ୍ରୀଙ୍କ ଏପରି ବୟାନରୁ ଏହି ମାମଲାରେ ନେପାଳ କିଛିଟା ନରମ ପଡିଥିବା ଜଣାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତିକି ଶାନ୍ତି ପୂର୍ଣ୍ଣ ଭାବେ ନେପାଳ, ସୀମା ବିବାଦର ସମାଧାନ କରିବାକୁ ଚାହେଁ | ଦ୍ୱିପାକ୍ଷିକ କଥାବାର୍ତ୍ତାରେ ହିଁ ଏହା ସମ୍ଭବ ହୋଇପାରିବ ।

nepal

ଅବଶ୍ୟ ନିଜ ଏହି ବୟାନରେ ବିଦେଶ ମନ୍ତ୍ରୀ ଲିମ୍ପିଆଧୁରା ଓ ଲିପୁଲେଖକୁ ନେଇ କିଛି ବି କହିନାହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତିକି, ଭାରତ ସହ ବନ୍ଧୁତ୍ତ୍ୱପୁର୍ଣ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି ନେପାଳ । ଅବଶ୍ୟ ଏଯାବତ ଏହି ବିବାଦକୁ ନେଇ କୌଣସି ଔପଚାରିକ କଥାବାର୍ତ୍ତା ଏପର୍ଯ୍ୟନ୍ତ ହୋଇନାହିଁ । କହିରଖିବା ଉଚିତ ହେବକି, ଗତ ୮ ତାରିଖରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉତ୍ତରାଖଣ୍ଡର ଲିପୁଲେଖ ସହ ଧାରକୁଲାକୁ ଯୋଡୁଥିବା ୮୦ କିମି ରାସ୍ତାର ଉଦ୍ଘାଟନ କରିବା ପରେ ହିଁ ନେପାଳ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇ ଥିଲା । ନେପାଳ ପକ୍ଷରୁ କୁହାଯାଇଥିଲାକି, ଏହି ସଡକ ନେପାଳ ସୀମା ଦେଇ ହିଁ ଯାଉଛି । ଯେବେକି ଭାରତ ପକ୍ଷରୁ ନେପାଳର ଏହି ଅଭିଯୋଗକୁ ଖାରଜ କରାଯାଇ ଏହି ସଡକ ସମ୍ପୁର୍ଣ୍ଣ ରୂପେ ଭାରତ ସୀମାରେ ଅଛି ବୋଲି ଜବାବରେ କୁହାଯାଇ ଥିଲା ।

nepal

ନେପାଳ ସରକାର ବୁଧବାର ଏକ ସଂଶୋଧିତ ରାଜନୈତିକ ଓ ପ୍ରଶାସନିକ ନକ୍ସା ଜାରି କରିବା ସହିତ ଏଗୁଡିକ ଉପରୋକ୍ତ ତିନୋଟି ଅଂଚଳକୁ ନିଜ ଭୂ-ଭାଗରେ ଅଛି ବୋଲି ଦର୍ଶାଇଥିଲେ । ଭାରତୀୟ ବିଦେଶ ମନ୍ତ୍ରାଳୟ ସଚିବ ଅନୁରାଗ ଶ୍ରୀବାସ୍ତବ ଏହି ଏକପାକ୍ଷିକ କାର୍ଯ୍ୟକୁ ଖାରଜ କରିଛନ୍ତି । ଏହା ପୂର୍ବରୁ ୨୦୧୯ ମସିହା ନଭେମ୍ବର ୨ ତାରିଖରେ ଭାରତ ଦ୍ୱାରା ଜାରି ହୋଇଥିବା ନୂଆ ରାଜନୈତିକ ନକ୍ସାକୁ ନେଇ ବି ନେପାଳ ବିରୋଧ ପ୍ରଦର୍ଶନ କରିଥିଲା । କହି ରଖିବା ଉଚିତ ହେବକି, ପୂର୍ବରୁ ୨୦୧୫ ମସିହାରେ ଭାରତ ଓ ଚୀନ ନିଜ ନିଜ ସୀମା ମଧ୍ୟବର୍ତ୍ତୀ ଅଂଚଳରେ ଥିବା ସଡକ ଖୋଲିବାକୁ ଚେଷ୍ଟା କରିଥିବା ବେଳେ ନେପାଳ ଏହାର ବିରୋଧ କରିଥିଲା । ବର୍ତ୍ତମାନ ସମୟରେ ଉଠିଥିବା ସୀମା ବିବାଦକୁ ନେଇ ଭାରତୀୟ ସେନା ପ୍ରମୁଖ ଜେନେରାଲ ଏମଏମ ନରବନେ କହିଛନ୍ତିକି, ଅନ୍ୟ ଦେଶ କଥାରେ ପଡି ହିଁ ନେପାଳ ଏପରି ଭାରତ ବିରୋଧୀ ପଦକ୍ଷେପ ନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.