କରୋନା ରୋକିବାକୁ ଲାଗୁ ହୋଇଥିବା ଲକଡାଉନକୁ ତୀବ୍ର ବିରୋଧ, ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ

କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ସରକାର ଲକଡାଉନ ଜାରି କରିଥିବା ବେଳେ ଏହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋକେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନେଦରଲ୍ୟାଣ୍ଡରେ। ଏଠାରେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଏନେଇ ସରକାରୀ ଅଧିକାରୀ କହିଛନ୍ତି, ଆମ୍ସଡ୍ରମ୍ ଠାରୁ ୧୪୦ କିଲୋମିଟର ଦୂର ଲ୍ୟୁୱାର୍ଡନରେ ହଜାର ହଜାର ସଂଖ୍ୟାରେ ଲୋକ ଜମା ହୋଇ ଲକଡାଉନକୁ ବିରୋଧ କରି ଆନ୍ଦୋଳନ କରିଛନ୍ତି।

ଏନେଇ ଆନ୍ଦୋଳନକାରୀ କହିଛନ୍ତି, ସରକାର ଏଭଳି ଭାବେ ଲକଡାଉନ ଲାଗୁ କରିବା ଦ୍ୱାରା ଆମ ସାମାଜିକ ଜୀବନ ବାଧା ପ୍ରାପ୍ତ ହେଉଛି। ଲକଡାଉନ ଯୋଗୁ ବାର୍ ବି ବନ୍ଦ ରହୁଛି, ଫଳରେ ଆମେ ନିଜ ଇଚ୍ଛାରେ ବଞ୍ଚିପାରୁନୁ। ଆନ୍ଦୋଳନରତ ଜଣେ ଛାତ୍ର କହିଛନ୍ତି, ଲକଡାଉନ ଲାଗୁ ହେବା ଦ୍ଵାରା ଆମ ପାଠ ପଢ଼ା ବ୍ୟାହତ ହେଉଛି। ଆମେ ବାହାରକୁ କୁଆଡ଼େ ବାହାରି ପାରୁନାହୁଁ। ଏଣୁ ସରକାର ଏନେଇ ପୁନର୍ବିଚାର କରିବାକୁ ସେ ଦାବି କରିଛନ୍ତି।

ପ୍ରକାଶ ଯେ ଦେଶରେ ପାଖାପାଖି ୮୫ ପ୍ରତିଶତ ଲୋକଙ୍କୁ ଟିକା ଦିଆସରିଲାଣି। କିନ୍ତୁ ଗୁରୁବାର ଦିନ ଦେଶରେ ୨୪ ଘଣ୍ଟାରେ ୧୬,୩୬୪ ଟି ନୂଆ ମାମଲା ସାମ୍ନାକୁ ଆସିଥିଲା। ଦେଶରେ ଏହା ସର୍ବାଧିକ ସଂକ୍ରମଣ। ଏଣୁ ନେଦରଲ୍ୟାଣ୍ଡରେ ଲକଡାଉନ ଲାଗୁ କରିବାକୁ ସରକାର ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ଏବେ ଯାଏଁ ନେଦରଲ୍ୟାଣ୍ଡରେ କରୋନାରେ ୧୮,୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.