କୋଭିଡ୍‌ର ନୂଆ ଗାଇଡଲାଇନ: ୫ ବର୍ଷ ଓ ଏହାଠୁ କମ୍‌ ବୟସର ପିଲାଙ୍କୁ ପିନ୍ଧାନ୍ତୁ ନାହିଁ ମାସ୍କ; ପୋଷ୍ଟ କୋଭିଡ୍‌ କେୟାର ଉପରେ ରଖନ୍ତୁ ଧ୍ୟାନ

କରୋନା ଭାଇରସ୍ ବୟସ୍କଙ୍କ ସହିତ ପିଲାମାନଙ୍କୁ ମଧ୍ୟ ଶୀଘ୍ର ନିଜ କବଳକୁ ନେଇ ଯାଉଛି। କେନ୍ଦ୍ର ଗୁରୁବାର ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ କୋଭିଡ ସମ୍ବନ୍ଧୀୟ ନୂଆ ନିର୍ଦ୍ଦେଶନାମା ଜାରି କରିଛି। ଓମିକ୍ରନ୍ ଭାରିଆଣ୍ଟ କାରଣରୁ କରୋନା ମାମଲା ହୁ ହୁ ହୋଇ ବଢ଼ି ଚାଲିଛି। ଏହା ଉପରେ ଏକ ବିଶେଷଜ୍ଞ ଗୋଷ୍ଠୀ ପ୍ରଥମ ଗାଇଡ୍‌ଲାଇନର ସମୀକ୍ଷା କରିଥିଲା, ଯାହାପରେ ପିଲାମାନଙ୍କ ପାଇଁ ଏହି ଗାଇଡଲାଇନରେ କେତେକ ନୂଆ ଜିନିଷ ସାମିଲ କରାଯାଇଛି।

କ’ଣ କହୁଛି ନୂଆ ଗାଇଡଲାଇନ

ନୂଆ ଗାଇଡଲାଇନ ଅନୁସାରେ, ଯଦି ଷ୍ଟେରଏଡ ବ୍ୟବହାର କରାଯାଉଛି, ତା’ ହେଲେ ୧୦-୧୪ ଦିନ ମଧ୍ୟରେ ଏହାର ଡୋଜକୁ କମ୍‌ କରିଦେବା ଉଚିତ। କେନ୍ଦ୍ର କୋଭିଡ ପରବର୍ତ୍ତୀ ଦେଖାଶୁଣା ଉପରେ ଅଧିକ ଗୁରୁତ୍ୱ ଦେଇଛି। ୫ ବର୍ଷ ଏବଂ ଏହାଠୁ କମ୍‌ ବୟସର ପିଲାମାନଙ୍କ ପାଇଁ ମାସ୍କ ଆବଶ୍ୟକ ନାହିଁ। ୬ରୁ ୧୧ ବର୍ଷ ବୟସର ପିଲାମାନେ ନିଜ ବାପା, ମା’ଙ୍କ ତତ୍ତ୍ୱାବଧାନରେ ସଠିକ୍ ଭାବରେ ମାସ୍କ ପିନ୍ଧିବା ଉଚିତ। ୧୨ ବର୍ଷ ଏବଂ ଏହାଠୁ ଅଧିକ ବୟସର ପିଲାମାନେ ବଡ଼ମାନଙ୍କ ଭଳି ମାସ୍କ ପିନ୍ଧିବା ଉଚିତ୍। ମନ୍ତ୍ରଣାଳୟ କହିଛି ଯେ ଏସିମ୍ଟୋମେଟିକ ଏବଂ ସାମାନ୍ୟ ମାମଲାରେ ଥେରାପି କିମ୍ବା ପ୍ରୋଫିଲାକ୍ସିସ୍ ପାଇଁ ଆଣ୍ଟିମାଇକ୍ରୋବିୟଲ୍ ଔଷଧର ପରାମର୍ଶ ଦିଆଯାଇ ନାହିଁ। ସଂକ୍ରମଣ ଗମ୍ଭୀର ଥିଲେ ସୁଦ୍ଧା ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଆଣ୍ଟିଭାଇରାଲ୍ କିମ୍ବା ମୋନୋକ୍ଲୋନଲ୍ ଆଣ୍ଟିବଡି ବ୍ୟବହାର ଲାଗି ପରାମର୍ଶ ଦିଆଯାଇ ନାହିଁ।

ନୂଆ ଗାଇଡଲାଇନରେ କ’ଣ ରହିଛି ଖାସ୍‌

କରୋନା ରୋଗୀ ତିନି ଲେୟାର ଯୁକ୍ତ ମାସ୍କ ପିନ୍ଧିବା ଉଚିତ୍। ଷ୍ଟେରଏଡ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇ ନାହିଁ। କୋଭିଡ୍‌-୧୯ର ଏସିମ୍ଟୋମେଟିକ ଏବଂ ସାମାନ୍ୟ ମାମଲାରେ ଷ୍ଟେରଏଡ ହାନିକାରକ ବୋଲି କୁହାଯାଇଛି। ଷ୍ଟେରଏଡକୁ ସଠିକ୍ ସମୟରେ, ସଠିକ୍ ଡୋଜରେ ଏବଂ ନିର୍ଦ୍ଦିଷ୍ଟ ଦିନ ପାଇଁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ହାଲୁକା ଏବଂ ଗମ୍ଭୀର ମାମଲାରେ କାର୍ଟିକୋଷ୍ଟେରଏଡ୍ସ ବ୍ୟବହାର କରାଯାଇ ପାରିବ। ଚିକିତ୍ସା ଆଧାରରେ ଏହାକୁ ପାଞ୍ଚରୁ ସାତ ଦିନ ପର୍ଯ୍ୟନ୍ତ ଜାରି ରଖାଯାଇ ପାରିବ। ଗାଇଡଲାଇନ ମୁତାବକ, ଲକ୍ଷଣ ଆରମ୍ଭ ହେବାର ପ୍ରଥମ ତିନିରୁ ପାଞ୍ଚ ଦିନ ମଧ୍ୟରେ ଷ୍ଟେରଏଡରୁ ଦୂରେଇ ରହିବା ଉଚିତ। କାହିଁକି ନା, ଏହା ଭାଇରାଲ ଶେଡିଙ୍ଗକୁ ଲମ୍ବେଇଥାଏ।

ପୋଷ୍ଟ କୋଭିଡ କେୟାର

ଯେଉଁ ପିଲାମାନଙ୍କଠାରେ ଏସିମ୍ଟୋମେଟିକ ଏବଂ ହାଲୁକା ଲକ୍ଷଣ ଥିବ, ସେମାନଙ୍କୁ ଉପଯୁକ୍ତ ଯତ୍ନ, ଟିକାକରଣ (ଯଦି ଯୋଗ୍ୟ ଥିବେ) ତଥା ନ୍ୟୁଟ୍ରିଶନର ଧ୍ୟାନ ରଖିବା ଉଚିତ। ହସ୍ପିଟାଲରୁ ଡିସଚାର୍ଜ ସମୟରେ କୋଭିଡ ପୀଡିତ ପିଲାମାନଙ୍କର ମା’, ବାପା କିମ୍ବା ଦେଖାଶୁଣା କରୁଥିବା ବ୍ୟକ୍ତିଙ୍କ ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ଉପରେ ଲଗାତାର ନଜର ରଖିବା ଉଚିତ୍। ପିଲାମାନଙ୍କୁ ସାମାନ୍ୟ ରୁଟିନକୁ ଫେରାଇ ଆଣିବା ପାଇଁ ଚେଷ୍ଟା କରାଯିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.