ନୂଆ ମୋଟରଯାନ ଆଇନ୍‌କୁ ମଞ୍ଜୁରୀ, ୧୦ ଗୁଣ ଯାଏଁ ବଢ଼ିଲା ଜରିମାନା

ହିମାଚଳ ପ୍ରଦେଶ କ୍ୟାବିନେଟ୍‌ କେନ୍ଦ୍ର ସରକାରଙ୍କ ସଂଶୋଧିତ ମୋଟରଯାନ ଆଇନ-୨୦୧୯କୁ ମଞ୍ଜୁରୀ ଦେଇଛନ୍ତି। ହିମାଚଳ ପ୍ରଦେଶରେ ଏବେ ନାବାଳକ ମୋଟରଯାନ ନିୟମ ଉଲ୍ଲଂଘନ କଲେ ଅଭିଭାବକ କିମ୍ବା ଗାଡ଼ି ମାଲିକକୁ ଦୋଷୀ ଭାବେ ଧରାଯିବ ଓ ତାଙ୍କ ୨୫,୦୦୦ ଟଙ୍କା ଜରିମାନା ସହ ତିନି ବର୍ଷ ଜେଲ ହେବ। ନାବାଳକ ଉପରେ ଜୁଭେନାଇଲ ଜଷ୍ଟିସ୍‌ ଆକ୍ଟରେ ମକଦ୍ଦମା ହେବ ତଥା ସମ୍ପୃକ୍ତ ଗାଡ଼ିର ପଞ୍ଜିକରଣ ମଧ୍ୟ ରଦ୍ଦ କରିଦିଆଯିବ। ସରକାର ଦାବି କରିଛନ୍ତି ଯେ ଏହି ଆକ୍ଟ ସଡ଼କ ଦୁର୍ଘଟଣାକୁ ରୋକିବାରେ ସଫଳ ହେବ।

ଜୟରାମ ମନ୍ତ୍ରିମଣ୍ଡଳ ମୋଟରଯାନ (ସଂଶୋଧନ) ଅଧିନିୟମ, ୨୦୧୯ର ଧାରା ୨୧୦-ଏ ଅନୁସାରେ ଦଣ୍ଡ ଓ ଜରିମାନାକୁ ସଂଶୋଧିତ କରିବାର ପ୍ରସ୍ତାବ ସହ ଅଧିନିୟମର ଧାରା-୨୦୦ ଅନ୍ତର୍ଗତ ଅଧିକାରୀଙ୍କୁ ଜରିମାନା ଲଗାଇବା ଅଧିକାର ବି ଦେଇଛି। ଏହି ଆକ୍ଟ ଲାଗୁ ହେଲେ ଜରିମାନା ୧୦ ଗୁଣ ପର୍ଯ୍ୟନ୍ତ ବଢ଼ିଯିବ। ଏନେଇ ପରିବହନ ବିଭାଗ ସରକାରଙ୍କୁ ଦୁଇ ଥର ପ୍ରସ୍ତାବ ପଠାଇଥିଲା। ସୂଚନାଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ପଞ୍ଜିକୃତ ଛୋଟ ଓ ବଡ଼ ଗାଡ଼ି ରହିଛି।

କେତେ ଜରିମାନା ଲାଗିବ:

ନାବାଳକ ଗାଡ଼ି ଚଲାଇଲେ- ୨୫,୦୦୦ ଟଙ୍କା ସହ ଗାଡ଼ିର ପଞ୍ଜିକରଣ ରଦ୍ଦ ହେବ
ଦୁଇ ଚକିଆ ଗାଡ଼ିରେ ୩ ଜଣ ଗଲେ- ୫୦୦ ଟଙ୍କା ଚାଲାଣ
ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଲାଇଲେ-୫୦୦୦ ଟଙ୍କା
ଦ୍ରୁତ ଗତିରେ ଗାଡ଼ି ଚଲାଇଲେ-୫୦୦୦ ଟଙ୍କା
ଡ୍ରାଇଭିଂ ବେଳେ ମୋବାଇଲ ବ୍ୟବହାର- ୫୦୦୦ ଟଙ୍କା
ସିଟ୍‌ବେଲ୍ଟ ନ ବାନ୍ଧି ଗାଡ଼ି ଚଲାଇଲେ- ୧୦୦୦ ଟଙ୍କା
ମଦ ପିଇ ଗାଡ଼ି ଚଲାଇଲେ-୧୦,୦୦୦ ଟଙ୍କା
ବିନା ବୀମାରେ ଗାଡ଼ି ଚଲାଇଲେ-୨୦୦୦ ଟଙ୍କା
ବିନା ହେଲମେଟ୍‌ରେ ଗାଡ଼ି ଚଲାଇଲେ- ୧୦୦୦ ଟଙ୍କା ଓ ୩ ମାସ ଯାଏଁ ଲାଇସେନ୍ସ ରଦ୍ଦ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.