ମୁସ୍‌ଲିମ୍‌ ମହିଳାଙ୍କୁ ନ୍ୟୁଜିଲାଣ୍ଡ ପୋଲିସର ବଡ଼ ଉପହାର, ୟୁନିଫର୍ମରେ ସାମିଲ ହେଲା ହିଜାବ୍‌

ମୁସଲିମ୍‌ ମହିଳାଙ୍କ ପାଇଁ ନ୍ୟୁଜିଲାଣ୍ଡ ପୋଲିସ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଏବେ ନ୍ୟୁଜିଲାଣ୍ଡ ପୋଲିସରେ କାର୍ଯ୍ୟରତ ମୁସଲମାନ ମହିଳାଙ୍କୁ ୟୁନିଫର୍ମରେ ହିଜାବ୍‌କୁ ଅନୁମତି ମିଳିଛି। ଏହି ନିୟମ ଲାଗୁ ହେବା ପରେ କନେଷ୍ଟବଳ ଜୀନା ଅଲ୍ଲୀ ନ୍ୟୁଜିଲାଣ୍ଡ ପୋଲିସର ପ୍ରଥମ କର୍ମଚାରୀଭାବେ ୟୁନିଫର୍ମରେ ହିଜାବ୍‌ ପିନ୍ଧିଛନ୍ତି। ଏହି ୟୁନିଫର୍ମକୁ ଏକ ଖାସ୍‌ ଢଙ୍ଗରେ ତିଆରି କରାଯାଇଛି। ମୁସଲିମ୍‌ ମହିଳାଙ୍କୁ ପୋଲିସ ବଳରେ ଭର୍ତ୍ତି ହେବାକୁ ଉତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାଯାଇଛି।

ଜୀନା ଅଲ୍ଲୀ (୩୦) ଗତବର୍ଷ ହୋଇଥିବା ଚର୍ଚ୍ଚ ଆତଙ୍କବାଦୀ ଆକ୍ରମଣ ପରେ ମୁସଲିମ୍‌ ସମ୍ପ୍ରଦାୟକୁ ସାହାଯ୍ୟ କରିବାକୁ ପୋଲିସ ବିଭାଗରେ ଯୋଗ ଦେଇଥିଲେ। ଏହି ୟୁନିଫର୍ମ ତିଆରି କରିବାରେ ମଧ୍ୟ ତାଙ୍କ ବଡ଼ ହାତ ରହିଛି। ସେ ନିଜେ ଏହି ୟୁନିଫର୍ମକୁ ଡିଜାଇନ୍‌ କରିବାରେ ପୋଲିସକୁ ସାହାଯ୍ୟ କରିଛନ୍ତି। ସେ ନିଜ ଧର୍ମ ଓ କାର୍ଯ୍ୟକୁ ଦୃଷ୍ଟିରେ ରଖି ଏହାକୁ ତିଆରି କରିଛନ୍ତି। ସେ କହିଛନ୍ତି ଯେ ଏହି ୟୁନିଫର୍ମ ଯୋଗୁ ମହିଳାମାନେ ପୋଲିସରେ ସାମିଲ ହେବାକୁ ଉତ୍ସାହିତ ହେବେ।

ପ୍ରକାଶ ଯେ ୨୦୦୮ ମସିହାରେ ନ୍ୟୁଜିଲାଣ୍ଡ ପୋଲିସ ପଗଡ଼ିକୁ ମଧ୍ୟ ୟୁନିଫର୍ମରେ ସାମିଲ କରିଥିଲା। ନେଲସନ୍‌ କନେଷ୍ଟବଳ ଜଗମୋହନ ମାଲ୍‌ହି ଡ୍ୟୁଟିରେ ପଗଡ଼ି ପିନ୍ଧିଥିବା ପ୍ରଥମ ଅଧିକାରୀ ଥିଲେ। ଏହା ପୂର୍ବରୁ ଡ୍ୟୁଟି ବେଳେ ତାଙ୍କୁ ପଗଡ଼ି ଓହ୍ଲାଇବାକୁ ପଡ଼ୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.