ଚାଲବାଜ ନିରବ ମୋଦି ! ଦଣ୍ଡ ରୁ ମୁକୁଳିବା ପାଇଁ ଲଣ୍ଡନ କୋର୍ଟରେ କରୁଛନ୍ତି ବାହାନା ପରେ ବାହାନା

ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ନେଇ ବିଦେଶକୁ ଖସି ପଳାଇଥିବା ହୀରା ବ୍ୟବସାୟୀ ନିରବମୋଦିଙ୍କ ଲଣ୍ଡନ ଅଦାଲତରେ ଶୁଣାଣି ଜାରି ରହିଛି । ତାଙ୍କୁ ଦଣ୍ଡରୁ ମୁକ୍ତ କରିବା ପାଇଁ ନିରବଙ୍କ ଓକିଲ ଅଦାଲତରେ ବିଭିନ୍ନ ପ୍ରକାର ବାହାନା କରିଆସୁଥିବା ଦେଖାଦେଉଛି । ପ୍ରଥମ ଶୁଣାଣିରେ ନିରବଙ୍କ ଓକିଲ ତାଙ୍କ ମାନସିକ ଅବସ୍ଥା ସୁସ୍ଥ ନଥିବା ଓ ଏହି ରୋଗୀଙ୍କ ପାଇଁ ମୁମ୍ବାଇ ସ୍ଥିତ ଆର୍ଥର ରୋଡ଼ ଜେଲରେ କୌଣସି ପ୍ରକାର ସୁବିଧା ନଥିବା ଦର୍ଶାଇ ଏକ ଦଳିଲ ଦାଖଲ କରିଥିଲେ । ଏବେ ଆଉ ଏକ ବାହାନା ବାହାର କରିଛନ୍ତି ନିରବଙ୍କ ଓକିଲ । ଦ୍ଵିତୀୟ ଶୁଣାଣି ସମୟରେ ତାଙ୍କ ଓକିଲ କହିଛନ୍ତିକି, ମୁମ୍ବାଇ ଜେଲରେ ବହୁଳ ପରିମାଣରେ ମୂଷା ଓ ବିଭିନ୍ନ ପ୍ରକାର ପୋକ ଅଛନ୍ତି । ଆଉ ମଧ୍ୟ କଏଦୀଙ୍କ ପାଇଁ ସେଠାରେ କୌଣସି ପ୍ରକାର ଗୋପନୀୟତା ନାହିଁ ।

nirav

ନିରବଙ୍କ ଓକିଲ ଏହା ମଧ୍ୟ ଦର୍ଶାଇଛନ୍ତିକି ଯଦି ଏପରି ପରିବେଶରେ ନିରବଙ୍କୁ ସେଠାରେ ରଖାଯାଏ ତେବେ ଏହା ନିହାତି ଭାବେ ତାଙ୍କ ମାନବିକ ଅଧିକାରର ଉଲ୍ଲଙ୍ଘନ ହେବ । ନିଜ ଦଲିଲରେ ଓକିଲ ଜଣଙ୍କ ଏହା ମଧ୍ୟ ଦର୍ଶାଇଛନ୍ତିକି, ଜେଲର ଅତି ନିକଟରେ ଅନେକ ନାଳ ରହିଛି, ଏହା ସହ ଜେଲ ନିକଟରେ ଏକ ବସ୍ତି ବି ଅଛି । ଯେଉଁଠି ଦିନ ରାତି ପାଟି ତୁଣ୍ଡ ଲାଗିରହିଥାଏ । ଏପରି ପରିବେଶରେ ନିରବଙ୍କୁ ରଖିବା ଉଚିତ ହେବ ନାହିଁ । ଅନ୍ୟ ପକ୍ଷରେ ଭାରତୀୟ ଏଜେନ୍ସିଙ୍କ ତରଫରୁ ସ୍ପଷ୍ଟ କରାଯାଇଛିକି, ନିରବ ଫେରିଲେ ତାଙ୍କୁ ଆର୍ଥର ରୋଡ଼ ଜେଲର ବାରାକ ନମ୍ବର ୧୨ରେ ହିଁ ତାଙ୍କୁ ରଖାଯିବ । କହିରଖିବା ଉଚିତ ହେବକି, ଜେଲର ଏହି ୱାର୍ଡରେ ଆର୍ଥିକ ଅପରାଧ ସହ ଜଡିତ ଅପରାଧୀ ମାନଙ୍କୁ ହିଁ ରଖାଯାଇଥାଏ ।

ନିରବଙ୍କ ଓକିଲଙ୍କ ଦଲିଲକୁ ମିଥ୍ୟା ପ୍ରମାଣିତ କରିବା ପାଇଁ ଭାରତୀୟ ଏଜେନ୍ସିଙ୍କ ତରଫରୁ ଆର୍ଥର ରୋଡ଼ ଜେଲର ଏକ ଭିଡିଓ ମଧ୍ୟ ଅଦାଲତରେ ଦାଖଲ କରାଯାଇଛି । ଜାରି ହୋଇଥିବା ଏହି ଭିଡିଓଟିରେ ଜେଲରେ କୌଣସି ମୂଷା ନଥିବା ଦର୍ଶାଯାଇଥିବା ବେଳେ ଜେଲ ପାଖାପାଖି ଅଂଚଳରେ କୌଣସି ନାଳ ମଧ୍ୟ ନାହିଁ । ବାରାକରେ ପ୍ରତ୍ୟକ କଏଦୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଥିବା କଥା ବି ଏହି ଭିଡିଓ ଜରିଆରେ ଦର୍ଶାଯାଇଛି । କୋର୍ଟ ଦୁଇ ପକ୍ଷଙ୍କ ଅପିଲ ଶୁଣିବା ପରେ “କ୍ରାଉନ ପ୍ରସିକ୍ୟୁସନ ସର୍ଭିସ”କୁ ଆର୍ଥର ରୋଡ଼ ଜେଲ ବାବଦରେ ତାଜା ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ଆର୍ଥର ରୋଡ଼ ଜେଲର ଏହି ରିପୋର୍ଟକୁ ଆସନ୍ତା ସେପ୍ଟେମ୍ବର ମାସରେ ଶୁଣାଣୀ କରାଯିବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.