ନିର୍ଭୟା ଦୋଷୀଙ୍କୁ ଆସନ୍ତାକାଲି ଫାଶୀ ହେବ ନା ଘୁଞ୍ଚିବ?, କିଛି ସମୟ ପରେ ଆସିବ ରାୟ

କେନ୍ୟୁଜ୍(ବ୍ୟୁରୋ):   ନିର୍ଭୟା ଦୋଷୀଙ୍କୁ ଆସନ୍ତାକାଲି ଫାଶୀ ହେବ ନା ଘୁଞ୍ଚିବ । ଆଉ କିଛି ସମୟ ପରେ ଆସିବ ରାୟ । ଡେଥ୍‌ ୱାରେଣ୍ଟ ଉପରେ ରହିତାଦେଶ ପାଇଁ ଦାୟର ଆବେଦନର ଆଜି ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ତାପୂର୍ବରୁ ତିହାର୍‌ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ରିପୋର୍ଟ ମାଗିଛନ୍ତି କୋର୍ଟ । କାରଣ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଛି ଦୋଷୀ ବିନୟ ଶର୍ମା । ଏପଟେ ଫାଶୀ ପୂର୍ବରୁ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛି ଦୋଷୀ ପୱନ । ଓକିଲ ଏ ପି ସିଂଙ୍କ ଜରିଆରେ ଏହି ରିଭ୍ୟୁ ପିଟିସନ ଦାଖଲ ହୋଇଛି । ପୂର୍ବରୁ ଗତକାଲି ଦୋଷୀ ଅକ୍ଷୟ ସିଂହର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ କରିଥିଲେ ସୁପ୍ରିମକୋର୍ଟ । ଜଷ୍ଟିସ ରମନ୍ନାଙ୍କୁ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ଅକ୍ଷୟ ଆବେଦନକୁ ଖାରଜ କରିଛନ୍ତି । ପୂର୍ବରୁ ଅନ୍ୟ ଦୁଇ ଦୋଷୀଙ୍କ କ୍ୟୁରେଟିଭ୍‌ ପିଟିସନକୁ ଖାରଜ କରି ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ତେବେ ଫାଶୀରୁ ବର୍ତ୍ତିବା ପାଇଁ ଅକ୍ଷୟ ପାଖରେ ରାଜକ୍ଷମା ଆବେଦନ କରିବାର ବିକଳ୍ପ ରହିଛି । ଆବେଦନ କଲେ ଫାଶୀ ଦଣ୍ଡ ବିଳମ୍ବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସେପଟେ ଦିଲ୍ଲୀ କୋର୍ଟରେ ତାରିଖ ଘୁଞ୍ଚାଇବାକୁ ଦୋଷୀଙ୍କ ଓକିଲ ଆବେଦନ କରିଛନ୍ତି । ରାଜକ୍ଷମା ଆବେଦନ ଖାରଜ ହେଲେ ମଧ୍ୟ ଜେଲ ମାନୁଆଲ ଅନୁସାରେ ଦୋଷୀଙ୍କୁ ଫାଶୀ ପୂର୍ବରୁ ୧୪ ଦିନର ସମୟ ଦିଆଯାଇଥାଏ । ତେଣୁ ଫେବ୍ରୁଆରୀ ୧ରେ ଫାଶୀ ଦଣ୍ଡ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.