ପୋଲାଭରମ ପ୍ରକଳ୍ପକୁ ନେଇ ଓଡ଼ିଶାର ଦାବିକୁ କେନ୍ଦ୍ରର ଅଣଦେଖା

ଭୁବନେଶ୍ବର : ପୋଲାଭରମ ଏକ ଜାତୀୟ ପ୍ରକଳ୍ପ । ଏହାକୁ ଶେଷ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ । ଆନ୍ଧ୍ରବାସୀଙ୍କ ଉନ୍ନତି ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ । ଏହି ପ୍ରକଳ୍ପ ଆନ୍ଧ୍ରର ଚାଷୀଙ୍କୁ ନୂଆ ଜୀବନ ଦେବ । ଆଜି ପୋଲାଭରମ ପ୍ରକଳ୍ପ ବୁଲି କାମର ସମୀକ୍ଷା କରିବା ପରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନୀତିନ ଗଡକରୀ ଏହା କହିଛନ୍ତି । ସେହିପରି ଉନ୍ନତିମୂଳକ ପ୍ରକଳ୍ପକୁ ନେଇ ରାଜନୀତି କରାନଯାଉ ବୋଲି ଗଡକରୀ କହିବା ସହ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଜାରି ରହିବ ବୋଲି ଘୋଷଣା କରିଛନ୍ତି । ଦ୍ରୁତଗତିରେ ପୋଲାଭରମ୍‌ ପ୍ରକଳ୍ପ କାମ ଚାଲିଛି ୨୦୧୯ ଫେବୃଆରୀ ଶେଷ ସୁଦ୍ଧା ପ୍ରକଳ୍ପ କାମ ଶେଷ ହେବ ବୋଲି ଗଡାକାରୀ ଆଶା ରଖିଛନ୍ତି । ସେପଟେ ଶୀଘ୍ର ପ୍ରକଳ୍ପ କାମ ଶେଷ କରିବାକୁ ଗଡକରୀଙ୍କୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅନୁରାଧ କରିଛନ୍ତି ।

ଅନ୍ଯପଟେ  ଆନ୍ଧ୍ରର ପୋଲାଭରମ ପ୍ରକଳ୍ପକୁ ନେଇ ବିବାଦ ଲାଗି ରହିଥିବା ବେଳେ ପୁଣି ଥରେ ଓଡ଼ିଶାର ଦାବିକୁ କେନ୍ଦ୍ରର ଅଣଦେଖା । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ପ୍ରକଳ୍ପର ଷ୍ଟପ୍‌ ୱାର୍କ ଅର୍ଡରକୁ ପୁଣି ବର୍ଷକ ପାଇଁ ସ୍ଥଗିତ ରଖାଯାଇଛି । ଫଳରେ ଆଉ ବର୍ଷେ ପର୍ଯ୍ୟନ୍ତ ଏହି ବହୁମୁଖୀ ପ୍ରକଳ୍ପର କାମରେ ବାଧା ନାହିଁ । ଷ୍ଟପ୍‌ ୱାର୍କ ଅର୍ଡର ବର୍ଷକ ପାଇଁ ସ୍ଥଗିତ ରଖାଯିବା ନେଇ ଜୋର୍‌ ଧରିଛି ରାଜ୍ୟ ରାଜନୀତି । କାମ ଚାଲୁ ରଖିବା ପାଇଁ ଆନ୍ଧ୍ରକୁ ଅନୁମତି ଦେବା କେନ୍ଦ୍ରର ଦୋମୁହାଁ ନୀତି ବୋଲି ବିଜେଡି କହିଛି। ସେହିପରି ପ୍ରକଳ୍ପ କାମକୁ ବିରୋଧ କରାଯିବ ବୋଲି କହିଛି କଂଗ୍ରେସ ।

ପୋଲାଭରମ ପ୍ରକଳ୍ପ ଦ୍ୱାରା ଓଡ଼ିଶା କ୍ଷତିଗ୍ରସ୍ତ ହେବା ନେଇ ରାଜ୍ୟ ସରକାରଙ୍କ ତରଫରୁ ଆନ୍ଧ୍ର ଓ କେନ୍ଦ୍ରକୁ ବାରମ୍ବାର ଅବଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ କାମ ବନ୍ଦ କରିବା ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବାକୁ ମଧ୍ୟ ଦାବି ହୋଇଛି । ଏହାସତ୍ତ୍ୱେ ବର୍ଷେ ଲାଗି ପ୍ରକଳ୍ପ କାମ ପାଇଁ ପୁଣି ଅନୁମତିକୁ ନେଇ ବିରୋଧ ବଢୁଛି । ବିଜେପି କହିଛି, ଏନେଇ ରାଜ୍ୟ ସରକାର ଠିକ ଭାବେ ଜନଶୁଣାଣି କରିନାହାନ୍ତି । କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥାରେ କାମ କରୁଛନ୍ତି ବୋଲି ବିଜେପି କହିଛି।

୨୦୧୧ ଫେବ୍ରୁଆରୀ ୮ରେ ଗୋଦାବରୀ ନଦୀରେ ନିର୍ମାଣ ହେଉଥିବା ପୋଲାଭରମ ପ୍ରକଳ୍ପ ଉପରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ଷ୍ଟପ୍‌ ୱାର୍କ ଅର୍ଡର ଲାଗୁ କରିଥିଲା । ପରେ ୨୦୧୫ ଜୁନ ୨୩ରେ ବର୍ଷକ ପାଇଁ ଏହି ଅର୍ଡରକୁ ସ୍ଥଗିତ ରଖିବାକୁ ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିଲା । ପରବର୍ତ୍ତୀ ସମୟରେ ଲଗାତର ତିନି ବର୍ଷ ହେଲା ଏହି ସ୍ଥଗିତାଦେଶ ଅବଧି ବଢ଼ାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.