ଶ୍ରୀଲଙ୍କା ସ୍ଥିତି: ୧୯ ସୁଦ୍ଧା ପ୍ରାର୍ଥିପତ୍ର ଦାଖଲ, ୨୦ରେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

ସାଂଘାତିକ ହେଉଛି ଶ୍ରୀଲଙ୍କା ସ୍ଥିତି । ଜୀବନ ବଞ୍ଚାଇବାକୁ ବାସଭବନ ଛାଡ଼ି ପଳାଇଲେ ରାଷ୍ଟ୍ରପତି ଗୋଟାବାୟା ରାଜ୍‌ପାକ୍‌ସେ। ଜୁଲାଇ ୯ରେ ରାଷ୍ଟ୍ରପତି ଭବନକୁ ସାଧାରଣ ଜନତା ଦଖଲ କରିବା ପରେ ସେ ନୌସେନାର ଏକ ଜାହଜରେ ଆତ୍ମଗୋପନ କରିଥିଲେ। କେଉଁଠି ଅଛନ୍ତି ଜଣାପଡିନଥିଲେ ମଧ୍ୟ ସେନା ମୁଖ୍ୟାଳୟରେ ଆଶ୍ରୟ ନେଇଥିବା ଅନୁମାନ କରାଯାଉଛି।  ତେବେ ୨୦ରେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି । ୧୯ ସୁଦ୍ଧା ପ୍ରାର୍ଥିପତ୍ର ଦାଖଲ ହେବ । ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକରେ ସବୁ ଦଳର ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ । ପ୍ରାର୍ଥୀ କାହାକୁ କରାଯିବ, ସେନେଇ ଦଳ ଗୁଡିକ ଆଲୋଚନା କରି ନିଷ୍ପତ୍ତି ନେବେ ।

ରାଷ୍ଟ୍ରପତି ଗୋଟାବାୟା ପଦରୁ ଇସ୍ତଫା ଦେବାନେଇ ଆସନ୍ତାକାଲି ଘୋଷଣା କରିପାରନ୍ତି । ସର୍ବଦଳୀୟ ସରକାର ଗଠନ ପୂର୍ବରୁ ସମସ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। କ୍ଷମତା ହସ୍ତାନ୍ତର ସହ ନୂଆ ସରକାରକୁ ସହଯୋଗ କରିବାକୁ ସହମତି ହୋଇଛି। ଶ୍ରୀଲଙ୍କାରେ ଆର୍ଥିକ ବିପର୍ଯ୍ୟୟ ପରେ ମାର୍ଚ୍ଚ ମାସରୁ ଦେଶରେ ବିକ୍ଷୋଭ ଜାରି ରହିଛି। ଗତ ଶନିବାର ଏହା ଉଗ୍ରରୂପ ଧାରଣ କରିଥିଲା। ହଜାର ହଜାର ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନ ଘେରାଉ କରି ଏହାକୁ ଦଖଲକୁ ନେଇଥିଲେ। ଗତ ୨ଦିନ ଧରି ଶାନ୍ତ ରହିଛି ଶ୍ରୀଲଙ୍କାର ସ୍ଥିତି।

ଶ୍ରୀଲଙ୍କାରେ ଆର୍ଥିକ ସ୍ଥିତି ଭୁଶୁଡ଼ି ପଡ଼ିବା ପରେ ମାର୍ଚ୍ଚ ମାସରୁ ଦେଶବ୍ୟାପୀ ପ୍ରତିବାଦର ସ୍ୱର ତେଜୁଛି। ସାତ ଦଶନ୍ଧି ମଧ୍ୟରେ ସବୁଠାରୁ ଦୁର୍ଦ୍ଦିନରେ ଗତି କରୁଛି ଦେଶ । ପୂରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ସହ ତୈଳ ସଙ୍କଟ ଉତ୍କଟ । ମିଳୁନି ଖାଦ୍ୟ ପଦାର୍ଥ, ଔଷଧ । ତୈଳ ଅଭାବ ଯୋଗୁ ପରିବହନ ସେବା ଠପ୍‌ । ଦେଶର ଦୁର୍ଗତି ପାଇଁ ରାଷ୍ଟ୍ରପତି ଗୋଟାବାୟା ଓ ତାଙ୍କ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍‌ସେଙ୍କ ପରିବାରକୁ ଦାୟୀ କରିଛନ୍ତି ସିଂହଳୀବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.