Below header

ପାକିସ୍ତାନର କୃଷି ମଧ୍ୟ ସମ୍ଭାଳିବେ ସେନା, ୧୦ ଲକ୍ଷ ଏକର ଜମି କରିବେ ଅଧିଗ୍ରହଣ

ବର୍ତ୍ତମାନ ପାକିସ୍ତାନର ସର୍ବ ଶକ୍ତିଶାଳୀ ସେନା କେବଳ ଦେଶର ସୀମା ନୁହେଁ, କୃଷି ମଧ୍ୟ ସମ୍ଭାଳିବେ । ଏକ ରିପୋର୍ଟ ଅନୁସାରେ, ପାକିସ୍ତାନର ସେନା ଦାରିଦ୍ର୍ୟ ସହ ସଂଘର୍ଷ କରୁଥିବା ଦେଶବାସୀଙ୍କ ପାଇଁ ଖାଦ୍ୟଶସ୍ୟ ଉତ୍ପାଦନ ନିମନ୍ତେ ସରକାରୀ ଜମିର ବଡ଼ ଭାଗ ଉପରେ କବ୍‌ଜା କରୁଛି।

ବର୍ତ୍ତମାନ ପାକିସ୍ତାନର ସର୍ବ ଶକ୍ତିଶାଳୀ ସେନା କେବଳ ଦେଶର ସୀମା ନୁହେଁ, କୃଷି ମଧ୍ୟ ସମ୍ଭାଳିବେ । ନିକ୍କେଇ ଏସିଆର ଏକ ରିପୋର୍ଟ ଅନୁସାରେ, ପାକିସ୍ତାନର ସେନା ଦାରିଦ୍ର୍ୟ ସହ ସଂଘର୍ଷ କରୁଥିବା ଦେଶବାସୀଙ୍କ ପାଇଁ ଖାଦ୍ୟଶସ୍ୟ ଉତ୍ପାଦନ ନିମନ୍ତେ ସରକାରୀ ଜମିର ବଡ଼ ଭାଗ ଉପରେ କବ୍‌ଜା କରୁଛି।

ରିପୋର୍ଟରେ କୁହାଯାଇଛି, ପାକିସ୍ତାନର ସେନା ପଞ୍ଜାବ ପ୍ରଦେଶରେ ୧୦ ଲକ୍ଷ ଏକର (୪୦୫,୦୦୦ ହେକ୍ଟିୟର) ଜମି ଅଧିଗ୍ରହଣ କରିବ, ଯାହାକି ଦିଲ୍ଲୀଠାରୁ ପ୍ରାୟ ତିନି ଗୁଣ ବଡ । ଏହି ଯୋଜନାକୁ ସମର୍ଥନ କରୁଥିବା ଲୋକମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏହାଦ୍ୱାରା ଫସଲ ଭଲ ଅମଳ ହେବ ଏବଂ ଜଳ ମଧ୍ୟ ସଞ୍ଚୟ ହୋଇପାରିବ। ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ଏବଂ କମୋଡିଟିର ମୂଲ୍ୟ ବୃଦ୍ଧି ହେତୁ ପାକିସ୍ତାନକୁ ଏହାର ଅତ୍ୟନ୍ତ ଆବଶ୍ୟକତା ରହିଛି।

ସେନାକୁ ଗହମ, କପା, ଆଖୁ, ପନିପରିବା ଏବଂ ଫଳମୂଳ ଉତ୍ପାଦନ ପାଇଁ ୩୦ ବର୍ଷ ପର୍ଯ୍ୟନ୍ତ ଲିଜ ଦିଆଯିବ । ଫସଲ ବିକ୍ରୟରୁ ହେବାକୁ ଥିବା ଲାଭର ପ୍ରାୟ ୨୦% କୃଷି ଅନୁସନ୍ଧାନ ଏବଂ ବିକାଶ ପାଇଁ ରଖାଯିବ । ବାକି ସେନା ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟା ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି। ତେବେ ବିଭିନ୍ନ କାରଣରୁ ଏହି ଯୋଜନାକୁ ସମାଲୋଚନା କରାଯାଉଛି।

ସେପଟେ ବ୍ଲୁ ପ୍ରିଣ୍ଟ ସମ୍ବନ୍ଧୀୟ ଅସ୍ପଷ୍ଟତା ଚିନ୍ତାକୁ ଆହୁରି ବଢାଇ ଦେଇଛି । ଚାଷଜମିଗୁଡିକ ସମ୍ପୂର୍ଣ୍ଣ ଭାବରେ କେବେ କାର୍ଯ୍ୟକ୍ଷମ ହେବ, ସେ ସମ୍ପର୍କିତ ଅନେକ ବିବରଣୀ ବ୍ଲୁ ପ୍ରିଣ୍ଟରେ ଅସ୍ପଷ୍ଟ ରହିଛି।

ରିପୋର୍ଟ ଅନୁଯାୟୀ, ଅଧିକାଂଶ ଜମି ଚୋଲିସ୍ତାନ ମରୁଭୂମିରେ ଅଛି, ଯାହାକି ଶୁଷ୍କ ଅଞ୍ଚଳ। ତେବେ ଏହି ଶୁଷ୍କ ମରୁଭୂମିକୁ ସେନାମାନେ କିପରି ଉର୍ବର କୃଷି ଜମିରେ ପରିଣତ କରିବେ, ତାହା ମଧ୍ୟ ପ୍ରଶ୍ନ ଉଠୁଛି । ରିପୋର୍ଟରେ କୁହାଯାଇଛି ଯେ ୧୧୦,୦୦୦ ଏକର ଅତିରିକ୍ତ ଜମି ସ୍ଥାନାନ୍ତର ପାଇଁ ସଂଲଗ୍ନ ଜିଲ୍ଲାମାନଙ୍କରେ ଅଛି । ଲାହୋର ହାଇକୋର୍ଟ ପୂର୍ବରୁ ଜମି ହସ୍ତାନ୍ତର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଜୁଲାଇ ମାସରେ ଏହି ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ । ଏହା ମଧ୍ୟ ସ୍ପଷ୍ଟ ନୁହେଁ ଯେ ସେନାକୁ ହସ୍ତାନ୍ତର କରାଯାଉଥିବା ଜମିରେ ପୂର୍ବରୁ ଚାଷ କରାଯାଉଛି କି ନାହିଁ ।

ପାକିସ୍ତାନ ସରକାରଙ୍କ ଅନୁଯାୟୀ, କ୍ଷୁଦ୍ର ଚାଷୀଙ୍କୁ ବିନିଯୋଗ କରି ସେମାନଙ୍କୁ ଆବଶ୍ୟକୀୟ କୌଶଳ ପ୍ରଦାନ କରି ଖାଦ୍ୟ ନିରାପତ୍ତାକୁ ଉନ୍ନତ କରାଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.