ରାହୁଲ ଗାନ୍ଧୀଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ, ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ ପଠାଇଲା ଲୋକସଭା ହାଉସିଂ କମିଟି

ଲୋକସଭାରୁ ଅଯୋଗ୍ୟ ଘୋଷିତ ହେବା ପରେ ଏବେ ଲୋକସଭା ଆବାସ କମିଟି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ ପଠାଇଛି।

ଲୋକସଭାରୁ ଅଯୋଗ୍ୟ ଘୋଷିତ ହେବା ପରେ ଏବେ ଲୋକସଭା ଆବାସ କମିଟି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ ପଠାଇଛି। ସଂସଦ ସଦସ୍ୟତା ଯିବା ପରେ ଏବେ ରାହୁଲ ଗାନ୍ଧୀଙ୍କୁ ସରକାରୀ ବଙ୍ଗଳା ବି ଖାଲି କରିବାକୁ ହେବ।

ଗତ ଶୁକ୍ରବାର ଲୋକସଭା ସଚିବାଳୟ କଂଗ୍ରେସ ସାଂସଦ ଥିବା ରାହୁଲ ଗାନ୍ଧୀଙ୍କର ଲୋକସଭାରୁ ସଦସ୍ୟତା ରଦ୍ଦ କରିଦେଇଥିଲା। ରାହୁଲ କେରଳର ଓ୍ଵାୟନାଡରୁ ସାଂସଦ ଥିଲେ।

କାହିଁକି ଗଲା ସଦସ୍ୟତା

ମୋଦି ସରନେମ୍‌ ସହ ଜଡ଼ିତ ମାନହାନି ମକଦ୍ଦମାରେ ସୁରଟର ସେଶନ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ମାନହାନି ମାମଲାରେ ରାହୁଲଙ୍କୁ ଆଇପିସି ଧାରା ୪୯୯ ଓ ୫୦୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି। ଯଦିଓ କୋର୍ଟ ଏହି ଦଣ୍ଡରେ ୩୦ ଦିନ ରୋକ୍‌ ଲଗାଇ ତାଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିଛନ୍ତି।

ଜନପ୍ରତିନିଧି ଆଇନ ମୁତାବକ, ଯଦି ସାଂସଦ ଏବଂ ବିଧାୟକମାନେ କୌଣସି ମାମଲାରେ ୨ ବର୍ଷରୁ ଅଧିକ ସମୟ ପାଇଁ ଦଣ୍ଡିତ ହୁଅନ୍ତି, ତେବେ ସେମାନଙ୍କ ସଦସ୍ୟତା (ସଂସଦ ଏବଂ ବିଧାନସଭାରୁ) ବାତିଲ ହୋଇଥାଏ। କେବଳ ଏତିକି ନୁହେଁ, ଦଣ୍ଡ ଅବଧି ଶେଷ ହେବା ପରେ ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାକୁ ସେମାନେ ଅଯୋଗ୍ୟ ମଧ୍ୟ ହୁଅନ୍ତି।

କହି ରଖୁଛୁ, ରାହୁଲ ଗାନ୍ଧୀ ଲୁଟିୟଂସ ଦିଲ୍ଲୀରେ ୧୨, ତୁଗଲକ ଲେନ୍‌ସ୍ଥିତ ସରକାରୀ ବଙ୍ଗଳାରେ ରୁହନ୍ତି। ଏହି ସରକାରୀ ବଙ୍ଗଳା ୨୦୦୪ରୁ ହିଁ ରାହୁଲ ଗାନ୍ଧୀଙ୍କ ନାମରେ ଆବଣ୍ଟିତ ରହିଛି। ଏହି ବଙ୍ଗଳା ରାହୁଲଙ୍କୁ ପ୍ରଥମ ଥର ସେତେବେଳେ ମିଳିଥିଲା, ଯେତେବେଳେ ସେ ୨୦୦୪ରେ ଅମେଠିରୁ ପ୍ରଥମ ଥର ସାଂସଦ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.