Below header

ପର୍ଯ୍ୟଟକଙ୍କ ପାଇଁ ଖୁସିଖବର, ଏବେ ପ୍ରତିଦିନ ୧୦,୦୦୦ ଲୋକ ଉପଭୋଗ କରିପାରିବେ ତାଜମହଲର ସୌନ୍ଦର୍ଯ୍ୟ

କରୋନା ମହାମାରୀ ଯୋଗୁ ତାଜମହଲ ବୁଲିପାରୁନଥିବା ପର୍ଯ୍ୟଟକଙ୍କ ପାଇଁ ଖୁସିଖବର। ସଂସ୍କୃତି ମନ୍ତ୍ରାଳୟ ତରଫରୁ ତାଜମହଲ ବୁଲିବା ପାଇଁ ଟିକେଟ୍‌ ସଂଖ୍ୟା ବୃଦ୍ଧି କରାଯାଇଛି। ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶରେ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ବିଭାଗ ଓ ଜିଲ୍ଲା ପ୍ରଶାସନ ତାଜମହଲ ବୁଲିବା ଟିକେଟ୍‌ ସଂଖ୍ୟାକୁ ବଢ଼ାଇ ଦୁଇଗୁଣ କରି ଦେଇଛନ୍ତି।

ନୂଆ ବ୍ୟବସ୍ଥା ଅନୁସାରେ ଏବେ ପ୍ରତିଦିନ ୧୦ ହଜାର ପର୍ଯ୍ୟଟକ ତାଜମହଲର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିପାରିବେ। ଏହା ପୂର୍ବରୁ ଏହି ସଂଖ୍ୟା ମାତ୍ର ୫ ହଜାର ଥିଲା। ଅନ୍ୟପଟେ ଆଗ୍ରା କିଲ୍ଲା ଦେଖିବା ଲୋକଙ୍କ ସଂଖ୍ୟା ମଧ୍ୟ ୨୫୦୦ରୁ ବଢ଼ାଯାଇ ୪୦୦୦ କରାଯାଇଛି। ତେବେ ପର୍ଯ୍ୟଟକ ଏବେ କେବଳ ଅନ୍‌ଲାଇନ୍‌ରେ ହିଁ ଟିକେଟ୍‌ ବୁକ୍‌ କରିପାରିବେ ବୋଲି ପ୍ରଶାସନ ତରଫରୁ କୁହାଯାଇଛି।

ଏନେଇ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣର ମୁଖ୍ୟ ଡା.ବସନ୍ତ କୁମାର ସ୍ୱର୍ଣ୍ଣକାର କହିଛନ୍ତି, ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶରେ ପ୍ରତିଦିନ ତାଜମହଲରେ ପର୍ଯ୍ୟଟକଙ୍କ ସଂଖ୍ୟା ୧୦ ହଜାର ଓ ଆଗ୍ରା କିଲ୍ଲାରେ ୪୦୦୦ କରାଯାଇଛି। କରୋନା ଗାଇଡ୍‌ଲାଇନ୍‌ର ଅନୁପାଳନ କରି ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିପାରିବେ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.