ପ୍ରେସକ୍ରିପସନ୍‌ ରେ ଆଣ୍ଟି ବାୟୋଟିକ୍‌ ଲେଖିଲେ ଡାକ୍ତରଙ୍କୁ କହିବାକୁ ପଡ଼ିବ କାରଣ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବଡ଼ ପଦକ୍ଷେପ

ଚିକିତ୍ସକମାନଙ୍କୁ ଆଣ୍ଟି ବାୟୋଟିକ୍‌ ଲେଖିବା ଠାରୁ ଦୂରେଇ ରହିବାକୁ ସରକାର କହିଛନ୍ତି ଏବଂ ଯଦି ଡାକ୍ତରମାନେ ପ୍ରେସକ୍ରିପସନ୍‌ ରେ ଆଣ୍ଟି ବାୟୋଟିକ୍‌ ଲେଖୁଛନ୍ତି ତେବେ ବାଧ୍ୟତାମୂଳକ ଭାବେ ଏହାର ନିର୍ଦ୍ଦିଷ୍ଟ କାରଣ ବୁଝାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୋଟିସ ଜାରି କରିଛି ।

ଶୀତଦିନେ ଥଣ୍ଡା, କାଶ ଏବଂ ଜ୍ୱର ହେବା ସ୍ୱାଭାବିକ୍‌ ଏବଂ ବର୍ତ୍ତମାନ ଏହା ଦ୍ରୁତଗତିରେ ବୃଦ୍ଧି ପାଉଛି । କିଛି ଲୋକମାନଙ୍କ ମଧ୍ୟରେ ଜ୍ୱର ଅନେକ ଦିନ ଧରି ରହିଥାଏ ଏବଂ ଯେତେ ମେଡିସିନ୍‌ ଖାଇଲେ ମଧ୍ୟ ଜ୍ୱର ଛାଡ଼ିବାର ନାଁ ନିଏନି । ତେଣୁ ଆଣ୍ଟି ବାୟୋଟିକ୍‌ ବ୍ୟବହାର ବଢ଼ିଯାଇଛି । ଅନ୍ୟପଟେ ଜୀବାଣୁ ଦ୍ୱାରା ହେଉଥିବା ରୋଗକୁ ଦୂର କରିବା ପାଇଁ ଆଣ୍ଟିବାୟୋଟିକ୍ ବ୍ୟବହାର କରାଯାଏ । କିନ୍ତୁ ଭାଇରସ୍‌ କିମ୍ବା ଫଙ୍ଗସ୍ ଦ୍ୱାରା ହେଉଥିବା ରୋଗରେ ମଧ୍ୟ ଲୋକମାନେ ଆଣ୍ଟିବାୟୋଟିକ୍ ବ୍ୟବହାର କରନ୍ତି । ଏପରିକି ଔଷଧ ଦୋକାନରେ ଥିବା କେମିଷ୍ଟମାନେ ମଧ୍ୟ ମନ ଇଚ୍ଛା ଆଣ୍ଟିବାୟୋଟିକ୍ ରୋଗୀକୁ ଦିଅନ୍ତି । ଫଳରେ ଆଣ୍ଟିବାୟୋଟିକ୍ ନିଜର ପ୍ରଭାବ ହରାଇବା ଆରମ୍ଭ କରିଛି । ଯେତେବେଳେ ଶରୀର ପ୍ରକୃତରେ ଆଣ୍ଟିବାୟୋଟିକ୍ ଆବଶ୍ୟକ କରୁଛି ସେତେବେଳେ ଆଣ୍ଟିବାୟୋଟିକ୍‌ ଆଉ କାମ କରୁନାହିଁ । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶର ସମସ୍ତ ଡାକ୍ତରଙ୍କୁ ଯେତେବେଳେ ସେମାନେ କାହାକୁ ଆଣ୍ଟିବାୟୋଟିକ୍ ଲେଖୁଛନ୍ତି ସେତେବେଳେ ଏହାର କାରଣ ଏବଂ ଏହାର ପରିଣାମ ବିଷୟରେ ଲେଖିବାକୁ କହିଛନ୍ତି । କେବଳ ଏତିକି ନୁହେଁ, ଯଦି ଡାକ୍ତରମାନେ ଆଣ୍ଟିବାୟୋଟିକ୍ ଔଷଧ ଲେଖୁଛନ୍ତି ତେବେ ରୋଗୀକୁ ସଠିକ୍ ଭାବରେ ଏହି ଔଷଧ ବିଷୟରେ କହିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଏକ ନୋଟିସ୍‌ ଜାରି କରାଯାଇଛି ।

ବିଶେଷଜ୍ଞମାନେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଯେ ଭାଇରାଲ୍ ସଂକ୍ରମଣ ବୃଦ୍ଧି ହେବାର ଗୋଟିଏ କାରଣ ହେଉଛି ଆଣ୍ଟିବାୟୋଟିକ୍ ର ଅତ୍ୟଧିକ ବ୍ୟବହାର । ତେଣୁ ଚିକିତ୍ସକମାନଙ୍କୁ ଆଣ୍ଟି ବାୟୋଟିକ୍‌ ଲେଖିବା ଠାରୁ ଦୂରେଇ ରହିବାକୁ ସରକାର କହିଛନ୍ତି ଏବଂ ଯଦି ଡାକ୍ତରମାନେ ପ୍ରେସକ୍ରିପସନ୍‌ ରେ ଆଣ୍ଟି ବାୟୋଟିକ୍‌ ଲେଖୁଛନ୍ତି ତେବେ ବାଧ୍ୟତାମୂଳକ ଭାବେ ଏହାର ନିର୍ଦ୍ଦିଷ୍ଟ କାରଣ ବୁଝାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୋଟିସ ଜାରି କରିଛି ।

ରିପୋର୍ଟ ଅନୁସାରେ ମେଡିକାଲ କଲେଜଗୁଡିକର ସମସ୍ତ ଡାକ୍ତରଙ୍କୁ ଏକ ନୋଟିସ୍‌ ଜାରି କରାଯାଇଛି ଯେଉଁଥିରେ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡାକ୍ତର ଅତୁଲ ଗୋୟଲ ସେମାନଙ୍କୁ ଆଣ୍ଟିମାଇକ୍ରୋବାୟଲ୍ ଔଷଧ ଲେଖିବାବେଳେ ଏହାର ପ୍ରକୃତ କାରଣ ଉଲ୍ଲେଖ କରିବାକୁ କହିଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ଆଣ୍ଟିବାୟୋଟିକ୍ ଔଷଧର ଅତ୍ୟଧିକ ବ୍ୟବହାରକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଆଣ୍ଟି-ମାଇକ୍ରୋବାୟାଲ୍ ରେଜିଷ୍ଟ୍ରେସ୍‌ (AMR) ବିଶ୍ୱର ଶ୍ରେଷ୍ଠ ଦଶଟି ଜନସ୍ୱାସ୍ଥ୍ୟ ବିପଦ ମଧ୍ୟରୁ ଅନ୍ୟତମ । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଫାର୍ମାସିଷ୍ଟମାନଙ୍କୁ ଡ୍ରଗ୍ସ ଏବଂ କସମେଟିକ୍ସ ନିୟମର ସିଡ୍ୟୁଲ୍ H ଏବଂ H1 କାର୍ଯ୍ୟକାରୀ କରିବାକୁ ପଡ଼ିବ ଏବଂ କେବଳ ପ୍ରେସକ୍ରିପସନ୍ ରେ ଲେଖାଥିଲେ ହିଁ ଆଣ୍ଟିବାୟୋଟିକ୍ ବିକ୍ରି କରିବାକୁ କୁହାଯାଇଛି । ଏହା ସହିତ ଆଣ୍ଟି-ମାଇକ୍ରୋବାୟଲ୍ ଔଷଧ ଲେଖିବା ପଛରେ ପ୍ରକୃତ କାରଣ ଜଣାଇବାକୁ ଡାକ୍ତରଙ୍କୁ କୁହାଯାଇଛି ।

ଆଣ୍ଟିବାୟୋଟିକ୍ କୁ ଅଧିକ ପ୍ରୋତ୍ସାହିତ ନକରିବା ଏବଂ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ସମସ୍ତ ଚିକିତ୍ସକ ଏବଂ ଡାକ୍ତରଙ୍କୁ ନିବେଦନ କରିଛନ୍ତି । ଆକଳନ ଅନୁଯାୟୀ ୨୦୧୯ରେ ବିଶ୍ୱର ୧.୨୭ ମିଲିୟନ ଲୋକଙ୍କ ମୃତ୍ୟୁ ବ୍ୟାକ୍ଟେରିଆଅଲ୍‌ AMR ପାଇଁ ହୋଇଥିଲା ଏବଂ ଡ୍ରଗ୍ ରେଜିଷ୍ଟ୍ରସ୍‌ ସଂକ୍ରମଣରେ ୪.୯୫ ମିଲିୟନ ଲୋକଙ୍କ ମୃତ୍ୟୁ ହୋଇଥିଲା ବୋଲି ଜଣା ପଡ଼ିଛି । ଏଭଳି ମୃତ୍ୟୁ ସଂଖ୍ୟା କୁ ଏଡ଼ାଇବା ପାଇଁ ସରକାର ଏହି ନିଷ୍ପତି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.