ଦିଲ୍ଲୀ ପୋଲିସ ହାତରେ ଓଡ଼ିଆ ଯୁବକ ଗିରଫ, ପ୍ରେମ ଜାଲରେ ଫସାଇ ବିଭିନ୍ନ ରାଜ୍ୟର ୧୦୦ ମହିଳାଙ୍କ ଠାରୁ ଠକିନେଇଥିଲା ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ : ଦେଶର ବିଭିନ୍ନ ରାଜ୍ୟରୁ ୧୦୦ ରୁ ଅଧିକ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣେ ଓଡ଼ିଆ ଯୁବକକୁ ଦିଲ୍ଲୀ ପୋଲିସ ଆଜି ଗିରଫ କରିଛି । ଯୁବକ ଜଣକ ବିବାହର ପ୍ରତିଶୃତି ଦେଇ ବିଭିନ୍ନ ରାଜ୍ୟର ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଉ ଥିଲା । ନିଜକୁ ଅବିବାହିତ ଓ ଜଣେ ଉଚ୍ଚ ଶିକ୍ଷିତ ବ୍ୟବସାୟୀ କହି ଯୁବତୀମାନଙ୍କୁ ବିବାହ ପ୍ରସ୍ତାବ ଦେଉଥିଲା । ଏମ୍ସର ଜଣେ ମହିଳା ଡାକ୍ତରାଣୀଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ପାହାଡଗଞ୍ଜ ପୋଲିସ ଯୁବକକୁ ଗିରଫ କରିଛି ।

ସୂଚନାନୁଯାୟୀ, ଓଡ଼ିଶା କେନ୍ଦୁଝର ଜିଲ୍ଳାର ଫାରା ତସୀର ଖାନ୍‌ ନିଜକୁ ଜଣେ ଇଂଜିନିୟର ଓ ଏମବିଏ ପାସ ଯୁବକ କହିବା ସହ ବ୍ୟବସାୟ କରୁଥିବା ପରିଚୟ ଦେଇଥିଲା । ତା’ର ବାର୍ଷିକ ଆୟ ୩୦ ରୁ ୪୦ ଲକ୍ଷ ଟଙ୍କା କହିବା ସହ ଦାମୀ କାର ସହ ସୌଖୀନ ଜୀବନ ବିତାଉଥିଲା । ସୋସିଆଲ ମିଡ଼ିଆରେ ବିଭିନ୍ନ ଫେକ୍‌ ଆଇଡି ବ୍ୟବହାର କରି ଯୁବତୀମାନଙ୍କ ସହ ବନ୍ଧୁତା କରୁଥିଲା । ନିଜକୁ ଜଣେ ବାପା-ମା’ ଛେଉଣ୍ଡ ବୋଲି ପରିଚୟ ଦେଇ ବିଭିନ୍ନ ଝିଅଙ୍କ ସହ ବନ୍ଧୁତା ସ୍ଥାପନ କରୁଥିଲା ।

ପୋଲିସ କହିବା ଅନୁଯାୟୀ ଖାନ୍‌ ଉତ୍ତର ପ୍ରଦେଶ,ବିହାର,ପଶ୍ଚିମବଙ୍ଗ,ଗୁଜୁରାଟ, ଦିଲ୍ଲୀ, ପଞ୍ଜାବ, ମୁମ୍ବାଇ, ଓଡ଼ିଶାଏବଂ କର୍ଣ୍ଣାଟକର ବହୁ ଯୁବତୀଙ୍କୁ ବିବାହ କରିବାକୁ ପ୍ରେମ ଜାଲରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ଜଣାଯାଇଛି । ଖାନ୍‌ ର ପତ୍ନୀ, ୩ ବର୍ଷର ଝିଅ, ବାପା ଓ ଜଣେ ଭଉଣୀ ଥିବା ପୋଲିସ କହିଛି ।

ତେବେ ଘଟଣାଟି ପଦାକୁ ଆସିଥିଲା ଯେତେବେଳେ ଖାନ୍‌ ଦିଲ୍ଲୀ ଏମ୍ସର ଜଣେ ଡାକ୍ତରାଣୀଙ୍କ ଠାରୁ ବିବାହ କରିବାକୁ କହି ନିଜର ବ୍ୟବସାୟ ବୃଦ୍ଧି କରିବା ପାଇଁ ୧୫ ଲକ୍ଷ ଟଙ୍କା ଠକି ନେଇଥିଲା । ଉକ୍ତ ଡାକ୍ତରାଣୀଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ପୋଲିସ ଖାନ୍‌କୁ ଦିଲ୍ଲୀ ପାହାଡଗଞ୍ଜ ଅଞ୍ଚଳରୁ ଗିରଫ କରିଛି । ତା’ ଠାରୁ ଏକ ମୋବାଇଲ ଫୋନ, ୪ ଟି ସିମ କାର୍ଡ, ୯ ଟା ଏଟିଏମ୍‌ କାର୍ଡ, କାର ଓ ଏକ ହାତ ଘଣ୍ଟା ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.