ଡେଲ୍ଟାଠାରୁ ୬ ଗୁଣ ଅଧିକ ଦ୍ରୁତ ଗତିରେ ବ୍ୟାପିବ ‘ଓମିକ୍ରନ୍‌’, ଆଣ୍ଟିବଡି ଥେରାପି ବି କାମ ଦେବନି : ଏକ୍ସପର୍ଟ

ଥମିବାର ନାଁ ଧରୁନି କରୋନା ସଂକ୍ରମଣ। ରୂପ ବଦଳାଇ ପୁଣିଥରେ ବ୍ୟାପିବା ଆରମ୍ଭ କଲାଣି କରୋନା। ଏବେ ଓମିକ୍ରନ୍‌ ରୂପରେ ଆତଙ୍କ ରଚିବା ଆରମ୍ଭ କରିଛି କରୋନା। କରୋନା ଭାଇରସ୍‌ର ଏହି ନୂଆ ଭ୍ୟାରିଏଣ୍ଟ ଏବେ ସାରା ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଛି। କୁହାଯାଉଛି ଯେ କରୋନା ଭାଇରସ୍‌ର ଏହି ନୂଆ ଭ୍ୟାରିଏଣ୍ଟ ଉପରେ ଭ୍ୟାକ୍‌ସିନ୍‌ର ପ୍ରଭାବ କମ୍‌ ରହିବ। ତେବେ ଇତି ମଧ୍ୟରେ ଏକ୍ସପର୍ଟ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ବି.୧.୧.୫୨୯ ମୋନୋକ୍ଲୋନଲ ଆଣ୍ଟିବଡିର ଚିକିତ୍ସାକୁ ମଧ୍ୟ ମାତ୍‌ ଦେଇପାରେ ଏହି ନୂଆ ଭ୍ୟାରିଏଣ୍ଟ।

ଦକ୍ଷିଣ ଆଫ୍ରିକା ସମେତ ଅନ୍ୟ ସ୍ଥାନରେ ଓମିକ୍ରନ୍‌ ସଂକ୍ରମଣର ପ୍ରାରମ୍ଭିକ ଟେଷ୍ଟ ରିପୋର୍ଟ ଦେଖିବା ପରେ ଏକ୍ସପର୍ଟ କହିଛନ୍ତି, କରୋନାର ଏହି ନୂଆ ଷ୍ଟ୍ରେନ୍‌ କରୋନାର ଡେଲ୍ଟା ଭ୍ୟାରିଏଣ୍ଟଠାରୁ ୬ ଗୁଣ ଅଧିକ ବେଗରେ ବ୍ୟାପିବା କ୍ଷମତା ରଖିଛି। ଭାରତରେ କରୋନାର ଦ୍ୱିତୀୟ ଲହର ଡେଲ୍ଟା ଭ୍ୟାରିଏଣ୍ଟ ଯୋଗୁ ଆସିଥିଲା। ବିଶେଷଜ୍ଞଙ୍କ କହିବାନୁସାରେ, ଏହି ଓମିକ୍ରନ୍‌ ଭ୍ୟାରିଏଣ୍ଟ ଶରୀରର ଇମ୍ୟୁନିଟି ସିଷ୍ଟମ୍‌ ବା ରୋଗ ପ୍ରତିରୋଧକ ଶକ୍ତିକୁ ସହଜରେ ହରାଇ ଦେବ। ଫଳରେ ବ୍ୟକ୍ତି ଶୀଘ୍ର ଅସୁସ୍ଥ ହୋଇପଡ଼ିବେ।

ଏକ୍ସପର୍ଟଙ୍କ କହିବାନୁସାରେ, ପ୍ରଥମ ଲହରର କରୋନାକୁ ଦୃଷ୍ଟିରେ ରଖି ଟିକା ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଏହି ଟିକା ଡେଲ୍ଟା ଭ୍ୟାରିଏଣ୍ଟ ବିରୋଧରେ କାମ କରିପାରିଲା ନାହିଁ। ଏଣୁ ଦ୍ୱିତୀୟ ଲହରରେ ଭାରତରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏସବୁ ତଥ୍ୟକୁ ଦେଖି ବୈଜ୍ଞାନିକ ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଟିକା କରୋନାର ତୃତୀୟ ଲହର ଓମିକ୍ରନ୍‌କୁ ମାତ୍‌ ଦେବାରେ ସଫଳ ହୋଇ ନ ପାରେ। ଓମିକ୍ରନ୍‌ର ସଂକ୍ରମଣ କ୍ଷମତା ମଧ୍ୟ ଢେର ଅଧିକ। ଏଣୁ ଏହା ଥରେ ବ୍ୟାପିବା ଆରମ୍ଭ କଲେ ରୋକିବା ଏକ ପ୍ରକାରର ଅସମ୍ଭବ ହୋଇପଡ଼ିବ ବୋଲି ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.