ନିଜ ନାଗରିକଙ୍କୁ ମରିବାକୁ ୟୁକ୍ରେନ୍‌ରେ ଛାଡ଼ିଦେଲା ପାକିସ୍ତାନ, ବଞ୍ଚାଇଲା ଭାରତ; ଦୁଃଖ ବଖାଣିଲେ ପାକ୍‌ ଛାତ୍ରୀ

ରୁଷ ଓ ୟୁକ୍ରେନ୍‌ ଭିତରେ ଯୁଦ୍ଧ ମଧ୍ୟରେ ଫସିଯାଇଛନ୍ତି ଅନ୍ୟ ଦେଶର ନାଗରିକ। ୟୁକ୍ରେନ୍‌କୁ ପାଠ ପଢ଼ିବାକୁ ଯାଇଥିବା ଛାତ୍ରଛାତ୍ରୀ ଏବେ ଯୁଦ୍ଧ ଯୋଗୁ ସେଠାରେ ହିଁ ଫସି ରହିଛନ୍ତି। ସେଠାରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ସରକାର ଲଗାତାର ଲାଗିପଡ଼ିଛନ୍ତି। ଏଥିପାଇଁ ଅପରେସନ୍‌ ଗଙ୍ଗା ଲଞ୍ଚ୍‌ କରିଛନ୍ତି ସରକାର। ଏହି ଅପରେସନ୍‌ ମାଧ୍ୟମରେ ସରକାର ୧୪,୦୦୦ ଛାତ୍ରଛାତ୍ରୀଙ୍କୁ ଦେଶକୁ ଫେରାଇ ଆଣିସାରିଲେଣି। ଏଥିସହ ଯେଉଁମାନେ ଏବେ ବି ସେଠାରେ ଫସିଛନ୍ତି, ସରକାରୀ ଦୂତାବାସ ସେମାନଙ୍କ ଯୋଗାଯୋଗରେ ରହିଛି।

କିନ୍ତୁ ସେଠାରେ କିଛି ଏମିତି ବି ଦେଶର ପିଲା ଅଛନ୍ତି, ଯେଉଁମାନଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ସରକାର କିଛି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ସେଭଳି ଏକ ଦେଶ ହେଉଛି ପାକିସ୍ତାନ। ୟୁକ୍ରେନ୍‌ରେ ୭୬ ହଜାର ବିଦେଶୀ ଛାତ୍ର ଥିଲେ। ସେଥିମଧ୍ୟରୁ ୨୫ ପ୍ରତିଶତ ଭାରତୀୟ। ଏହା ବ୍ୟତୀତ ମରକ୍କୋ, ନାଇଜେରିଆ, ଚୀନ୍‌ ଓ ପାକିସ୍ତାନର ବି ଛାତ୍ର ଅଛନ୍ତି। ସବୁ ଦେଶର ସରକାର ନିଜ ପିଲାଙ୍କୁ ଉଦ୍ଧାର କରୁଥିବା ବେଳେ ପାକିସ୍ତାନ କିନ୍ତୁ କିଛି ପଦକ୍ଷେପ ନେଉନଥିବା ପାକ୍‌ ଛାତ୍ରୀ ମିଶା ଅରଶଦ କହିଛନ୍ତି।

ମିଶା କହିଛନ୍ତି, ୟୁକ୍ରେନ୍‌ରେ ପଢ଼ା ଖର୍ଚ୍ଚ କମ୍‌ ଥିବାରୁ ସେ ଏଠାକୁ ପଢ଼ିବାକୁ ଆସିଥିଲେ। କିନ୍ତୁ ୟୁକ୍ରେନ୍‌ ଉପରକୁ ହଠାତ୍‌ ରୁଷ ଆକ୍ରମଣ କରିଥିଲା। ଫଳରେ ତାଙ୍କୁ ହଷ୍ଟେଲର ବେସ୍‌ମେଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୧୨୦ ଜଣ ସାଙ୍ଗଙ୍କ ସହ ସେ ରହିଥିଲେ। ଏହି ସମୟରେ ତାଙ୍କ ଦୂତାବାସ ସେଠାରେ ତାଙ୍କୁ କୌଣସି ସାହାଯ୍ୟ କରି ନଥିଲା। କିନ୍ତୁ ସେଠାରେ ଥିବା ଭାରତୀୟ ଛାତ୍ରଙ୍କୁ ଦୂତାବାସ ପକ୍ଷରୁ ଲଗାତାର ଯୋଗାଯୋଗ କରାଯାଇଥିଲା। ସେ ମଧ୍ୟ ଭାରତୀୟ ରାଷ୍ଟ୍ରଦୂତଙ୍କ ସାହାଯ୍ୟରେ କିଭ୍‌ରୁ ବାହାରିପାରିଛନ୍ତି। ଭାରତ ପକ୍ଷରୁ ଉଦ୍ଧାର ପାଇଁ ଯାଇଥିବା ବସ୍‌ରେ ସେ ୟୁକ୍ରେନ୍‌ରୁ ବାହାରିପାରିଛନ୍ତି। ଏହି ବସ୍‌ରେ ସେ ଜଣେ ମାତ୍ର ପାକିସ୍ତାନୀ ଥିଲେ।

ଏଥିସହ ସେ କହିଛନ୍ତି ଯେ ପାକିସ୍ତାନର ଦୂତାବାସ ପକ୍ଷରୁ କୁହାଯାଉଥିବା ସାହାଯ୍ୟ କଥା ସମ୍ପୂର୍ଣ୍ଣ ମିଛ। ୟୁକ୍ରେନ୍‌ରେ କେହି ବି ପାକିସ୍ତାନ ଛାତ୍ରଙ୍କୁ ସାହାଯ୍ୟ କରୁନାହାନ୍ତି। ପାକ୍‌ ମନ୍ତ୍ରୀ ମିଛ କହୁଛନ୍ତି ବୋଲି କହିଛନ୍ତି ପାକିସ୍ତାନର ଏହି ଛାତ୍ରୀ ଜଣକ।

Also Read: ଗିରଫ ହେବେ ସୋନାକ୍ଷୀ ସିହ୍ନା! ଦବଙ୍ଗ ଗାର୍ଲଙ୍କ ବିରୋଧରେ ଜାମିନ୍‌ବିହୀନ ଓ୍ଵାରେଣ୍ଟ ଜାରି କଲେ କୋର୍ଟ