ଅସ୍ତ୍ର ନ ଧରି ରୁଷ ସହ ଯୁଦ୍ଧ କରୁଛି ଆମେରିକା! ଜାଣନ୍ତୁ ୟୁକ୍ରେନ୍-ରୁଷ ଯୁଦ୍ଧର ପ୍ରକୃତ କାରଣ

ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଗତ ୧୧ ଦିନ ହେଲାଣି ୟୁକ୍ରେନ୍ ଉପରେ ଅବିରତ ଆକ୍ରମଣ କରି ଚାଲିଛି ରୁଷ। ସ୍ଥିତି ଏମିତି ହୋଇଛି ଯେ ୟୁକ୍ରେନ୍‌ର ଅନେକ ସହର ଏବେ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ସ୍ତୂପରେ ପରିଣତ ହୋଇଛି। ରୁଷର ଏଭଳି ୟୁକ୍ରେନ୍ ଉପରେ ଆକ୍ରମଣକୁ ବିଶ୍ୱର ସବୁ ଦେଶ ବିରୋଧ କରି କଡ଼ା ନିନ୍ଦା କରୁଛନ୍ତି। ଏମିତିକି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଖଳନାୟକ ଓ ଯୁଦ୍ଧ ଅପରାଧୀ ଭାବେ ଚିତ୍ରଣ କରାଯାଇଛି। ତେଣୁ ରୁଷ୍‌ ଉପରେ ବିଭିନ୍ନ ଦେଶ କଟକଣା ଲଗାଇଛନ୍ତି। ତେବେ ରୁଷ କିନ୍ତୁ କାହା କଥା ଶୁଣିବାକୁ ନାରାଜ … କାହିଁକି ? କଣ ପାଇଁ ରୁଷ୍‌ କିଛି ଶୁଣୁ ନାହିଁ ? ଏହା ପଛରେ କିଛି ବଡ଼ କାରଣ ରହିଛି । ରୁଷ ନିଜ ଦେଶର ସୁରକ୍ଷା ପାଇଁ କିଛି ବି କରିବ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନିକଟରେ ଏକ ବୟାନ ଜାରି କରି କହିଛନ୍ତି। ସେ କହିଛନ୍ତି ତାଙ୍କ ଯୁଦ୍ଧ ଭିତରେ ଯିଏ ବି ପଶିବ ସେ ତାର ବି ୟୁକ୍ରେନ୍ ଭଳି ଅବସ୍ଥା କରିବେ। ତେବେ ୟୁକ୍ରେନ୍ ନାଟୋ ସହ ମିଶିବାକୁ ଚେଷ୍ଟା କରୁଥିବାରୁ ରୁଷ ଏହି ଯୁଦ୍ଧ କରୁଛି ବୋଲି କୁହାଯାଉଥିବା ବେଳେ ଏହାକୁ ପ୍ରକୃତ କାରଣ ଆଉ କିଛି ବୋଲି ବିଶେଷଜ୍ଞ ଯୁକ୍ତି ବାଢ଼ିଛନ୍ତି। ଆସନ୍ତୁ ଜାଣିବା ୟୁକ୍ରେନ୍ ଉପରେ ରୁଷର ଆକ୍ରମଣର ପ୍ରକୃତ କାରଣ ସମ୍ପର୍କରେ…

ରୁଷ ଓ ୟୁକ୍ରେନ୍ ମଧ୍ୟରେ ଏହି ଯୁଦ୍ଧର ପୁରୋଧା ହେଉଛି ଆମେରିକା। ଆମେରିକା ନିଜେ ଅସ୍ତ୍ର ନ ଉଠାଇ ୟୁକ୍ରେନ୍ ମାଧ୍ୟମରେ ରୁଷ ସହ ଯୁଦ୍ଧ କରୁଛି। ସିଧାସଳଖ ସାମ୍ନାକୁ ନ ଆସି ରୁଷକୁ ଦୁର୍ବଳ କରିବାକୁ ଯୋଜନା କରୁଛି ଆମେରିକା। ଆସନ୍ତୁ ଜାଣିବା କେମିତି…

ରୁଷରେ ରହିଛି ଶକ୍ତିର ବିଶାଳ ଭଣ୍ଡାର:

ୟୁକ୍ରେନ୍ ଉପରେ ରୁଷ ଏଭଳି ଆକ୍ରମଣ କରିବାର ପ୍ରମୁଖ କାରଣ ହେଉଛି ତେଲ ଓ ଗ୍ୟାସ୍। ୧୯୯୦ ଦଶକ ଆରମ୍ଭରେ ସୋଭିଏତ୍ ସଂଘର ପତନ ପରେ ରୁଷ ସ୍ୱାଧୀନ ରାଷ୍ଟ୍ର ଭାବେ ଆର୍ଥିକ ସମସ୍ୟା ଦେଇ ଗତି କରିଥିଲା। ଏହା ପରେ ଭ୍ଳାଦିମିର ପୁଟିନ୍ ଦେଶର ଶାସନ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ଶାସନ କାଳ ଠାରୁ ଇତିମଧ୍ୟରେ ରୁଷରେ ଶକ୍ତିର ଏକ ବିଶାଳ ଭଣ୍ଡାର ଗଢ଼ି ଉଠିଛି। ଏବେ ରୁଷ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଉତ୍ପାଦନକାରୀ ଦେଶ। କୁହାଯାଏ, ରୁଷ କେବଳ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଉତ୍ପାଦନ କରି ବାର୍ଷିକ ୬୩୦ ବିଲିୟନ ଡଲାର ରୋଜଗାର କରିଥାଏ।

ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧର କାରଣ ଆମେରିକା ବୋଲି କୁହାଯାଉଛି। ରୁଷ ଓ ଆମେରିକା ଉଭୟେ ଶକ୍ତିଶାଳୀ ଦେଶ ହୋଇଥିବାରୁ ଉଭୟଙ୍କ ମଧ୍ୟରେ ସବୁବେଳେ କଡ଼ା ଟକ୍କର ଲାଗିଥାଏ। ଦୁଇ ଦେଶ ନିଜକୁ ଶକ୍ତିଶାଳୀ ବୋଲି ପ୍ରମାଣିତ କରିବାକୁ ସବୁବେଳେ ଲାଗି ପଡ଼ିଥାନ୍ତି। ଏହି କାରଣରୁ ୟୁକ୍ରେନ୍ ସହ ରୁଷର ଯୁଦ୍ଧ ଯୋଗୁ ଆମେରିକା ଲାଭବାନ୍ ହେବା ବାଟ ଫିଟିଛି।

କାରଣ ୟୁରୋପର ଅଧିକାଂଶ ଦେଶ ପ୍ରାକୃତିକ ଗ୍ୟାସ୍ ଓ ଉର୍ଜା ପାଇଁ ରୁଷ ଉପରେ ନିର୍ଭର କରିଥାନ୍ତି। ଏହି ଦେଶ ମଧ୍ୟରେ ଜର୍ମାନୀ ସର୍ବାଗ୍ରେ ରହିଛି। ଏହି ଶୀତପ୍ରବଣ ଦେଶରେ ରୁମ୍କୁ ଗରମ ରଖିବାକୁ ଉର୍ଜାର ସବୁଠୁ ଅଧିକ ଆବଶ୍ୟକତା ରହିଛି। ଏଥିସହ ବିଦ୍ୟୁତ ଓ ଅନ୍ୟ ଶକ୍ତିର ବି ଆବଶ୍ୟକତା ରହିଛି। ଯାହାକୁ ରୁଷ ହିଁ ସମ୍ପୂର୍ଣ୍ଣ ଭାବେ ପୂରଣ କରେ। ଏହି ଭଳି ଭାବେ ୟୁରୋପରେ ମୋଟ ଏକ-ତୃତୀୟାଂଶ ଶକ୍ତି ରୁଷ ଯୋଗାଇଥାଏ। ଫଳରେ ମୋଟା ଅଙ୍କର ଟଙ୍କା ବି ରୋଜଗାର କରିଥାଏ। ରୁଷ ଏବେ ସମଗ୍ର ୟୁରୋପ ମହାଦେଶରେ ଶକ୍ତିର ଏକ ପ୍ରମୁଖ ସ୍ରୋତ କହିଲେ ଭୁଲ ହେବନି। ଏହା ଆମେରିକାକୁ ଆଦୌ ପସନ୍ଦ ନୁହେଁ। ଆମେରିକା କଳେ ବଳେ କୌଶଳେ ରୁଷକୁ ଆର୍ଥିକ ଭାବେ ଦୁର୍ବଳ କରିବାକୁ ଚାହୁଁଥିଲା । ରୁଷ ଯେମିତି ୟୁରୋପରେ କୌଣସି ବାଣିଜ୍ୟ କରିନପାରୁ, ଏହା ତାର ଲକ୍ଷ୍ୟ ।

ଆମେରିକାକୁ ରୁଷର ଭୟ:

ଅନ୍ୟପଟେ ଆମେରିକା ହେଉଛି ସାରା ବିଶ୍ୱର ଅନ୍ୟତମ ବୃହତ ପ୍ରାକୃତିକ ଗ୍ୟାସ୍ ଓ ତେଲର ଗନ୍ତାଘର। ସାରା ବିଶ୍ୱକୁ ଆମେରିକାରୁ ତୈଳ ରପ୍ତାନି ହୋଇଥାଏ। କେଉଁଠି ନା କେଉଁଠି ଏହା ବି ହେଉଛି ଏହି ଯୁଦ୍ଧର ଆଉ ଏକ କାରଣ। ଆମେରିକା ସାରା ବିଶ୍ୱକୁ ଶକ୍ତି ଯୋଗାଉଛି। ଖାଇବା ତେଲ ହେଉ କି ରନ୍ଧନ ଗ୍ୟାସ୍, ଆମେରିକାରୁ ପ୍ରଚୁର ପରିମାଣର ପ୍ରାକୃତିକ ଇନ୍ଧନ ସାରା ଦୁନିଆର ବିଭିନ୍ନ ଦେଶକୁ ରପ୍ତାନି ହେଉଛି। ଏହା ହେଉଛି ଆମେରିକାର ଅନ୍ୟତମ ବୃହତ ଆମଦାନୀ। ଏଥିରୁ ଆମେରିକା ପ୍ରଚୁର ଟଙ୍କା ରୋଜଗାର କରିଥାଏ।

ରୁଷ ଅନ୍ୟ ଦେଶ ସହ ବେପାର କରିବା ଯୋଗୁ ଆମେରିକାର ବଢ଼ିଛି ଚିନ୍ତା:

ତେବେ ନିକଟରେ ରୁଷ ନିଜ ତୈଳ ବ୍ୟବସାୟକୁ ଆଉ ଟିକେ ଆଗକୁ ନେବାକୁ ପାଇପ୍‌ଲାଇନ୍‌ ଯୋଗେ ତୈଳ ଯୋଗାଣ ପାଇଁ ଯୋଜନା କରିଥିଲା। ଏଥିପାଇଁ କାମ ବି ଆରମ୍ଭ ହୋଇଯାଇଥିଲା। ଏହା ଦ୍ୱାରା ଅନ୍ୟ ଦେଶ ସହଜରେ ରୁଷରୁ ତେଲ କିଣି ପାରିବେ। ଯାହା ଆମେରିକା ଆଦୌ ଚାହୁଁ ନଥିଲା। ଏଣୁ ଆମେରିକା ସିଧାସଳଖ କିଛି ନ କରି ରୁଷର ପଡ଼ୋଶୀ ଦେଶ ୟୁକ୍ରେନ୍ ମାଧ୍ୟମରେ ନିଜ ଇଚ୍ଛାକୁ ପୂରଣ କରିବାକୁ ଚାହିଁଥିଲା। ଫଳରେ ରୁଷ ବିରୋଧରେ ୟୁକ୍ରେନ୍କୁ ଉସୁକାଇଥିଲା। ଏଥିସହ ୟୁକ୍ରେନ୍କୁ ନାଟୋରେ ମିଶିବା ଉଚିତ ବୋଲି ଆମେରିକା ହିଁ ବୁଝାଇଥିଲା। ଆମେରିକା ଜାଣିଥିଲା ଯେ ୟୁକ୍ରେନ୍ ଯଦି ନାଟୋରେ ମିଶିବା କଥା ଉଠାଏ ତେବେ ରୁଷ ନିହାତି ଯୁଦ୍ଧ କରିବ। ଫଳରେ ସବୁ ଦେଶ ରୁଷକୁ ବ୍ୟାନ୍ କରିବେ ଓ ସମସ୍ତ ଚୁକ୍ତି ଭାଙ୍ଗିଯିବ। ଫଳ ସ୍ୱରୂପ ଆମେରିକା ପୁଣିଥରେ ପୂର୍ବ ପରି ଅନ୍ୟ ଦେଶରେ ନିଜ ବ୍ୟବସାୟ ଜାରି ରଖି ପାରିବ।

ଆହୁରି ମଧ୍ୟ ଯୁଦ୍ଧାସ୍ତ୍ରରେ ଆମେରିକା ପରେ ରୁଷ୍‌ ହେଉଛି ଏଭଳି ଦେଶ ଯିଏ ଅନ୍ୟ ଦେଶକୁ ଏସବୁ ବିକ୍ରି କରିଥାଏ। ତେଣୁ ଆମେରିକା ସେହି ବ୍ୟବସାୟରେ ଥିବାରୁ ଦୁହିଁଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ରହିଛି । ଏହା ବ୍ୟତୀତ ଉଭୟ ରୁଷ୍‌ ଓ ଆମେରିକା ହେଉଛନ୍ତି ପରସ୍ପରର ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ। ତେଣୁ ରୁଷ୍‌କୁ ମାତ୍‌ ଦେବାକୁ ଆମେରିକା ସବୁବେଳେ ବାଟ ଖୋଜୁଥାଏ। ଯଦି ଦେଖା ଯିବ ତେବେ ଅବିଭକ୍ତ ସୋଭିଏତ ସଂଘର କିଛି ଦେଶ ଯେଉଁମାନେ କି ରୁଷ୍‌ର ପଡ଼ୋଶୀ ସେମାନଙ୍କୁ ଆମେରିକା ନାଟୋରେ ମିଶାଇଛି। ରୁଷ୍‌ର ବାରମ୍ବାର ବିରୋଧ ସତ୍ତ୍ୱେ ଏଭଳି କରି ଆସିଛି ଆମେରିକା। ତେଣୁ ପାଶ୍ଚାତ୍ୟ ଦେଶର ପ୍ରରୋଚନାରେ ୟୁକ୍ରେନ୍‌କୁ ଉସୁକାଇ ରୁଷ୍‌ ଉପରେ ଯୁଦ୍ଧ କରିବାକୁ ପରୋକ୍ଷରେ ଚାପ ପକାଗଲା ବୋଲି ପୁଟିନ୍‌ ମଧ୍ୟ କହିଛନ୍ତି।

ତେବେ ଏତିକି କହିହେବ ଯୁଦ୍ଧ, ରକ୍ତପାତ ଓ ଧ୍ୱଂସଲୀଳା କୌଣସି ସମସ୍ୟାର ସମାଧାନ ନୁହେଁ । ହେଲେ ଯେତେବେଳେ କୌଣସି ଦେଶର ସୁରକ୍ଷା ଉପରେ ଆଞ୍ଚ ଆସିବାର ସମ୍ଭାବନା ଥିବ ସେଠି କେବେ ବି ରାଷ୍ଟ୍ର ନେତା କି ଜନତା ଚୁପ୍‌ ରହିବେ ନାହିଁ । ତେଣୁ ଏହି ଯୁଦ୍ଧ ପାଇଁ ସତରେ ପୁଟିନ୍‌ କେତେ ଦାୟୀ ତାହା ଆଗାମୀ ସମୟରେ ସ୍ପଷ୍ଟ ହେବ।

Also Read: ନିଜ ନାଗରିକଙ୍କୁ ମରିବାକୁ ୟୁକ୍ରେନ୍‌ରେ ଛାଡ଼ିଦେଲା ପାକିସ୍ତାନ, ବଞ୍ଚାଇଲା ଭାରତ; ଦୁଃଖ ବଖାଣିଲେ ପାକ୍‌ ଛାତ୍ରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.