ଶ୍ରୀଲଙ୍କାରେ ଶିଖର ଛୁଇଁଲା ଦର! ପେଟ୍ରୋଲ ୪୨୦, ଡିଜେଲ ୪୦୦ ଟଙ୍କା ପ୍ରତି ଲିଟର…

ଶ୍ରୀଲଙ୍କାରେ ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ୍‌ ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଛି। ପେଟ୍ରୋଲ ଦାମ୍‌ରେ ୨୪.୩ ପ୍ରତିଶତ ଏବଂ ଡିଜେଲ୍‌ ଦାମ୍‌ରେ ୩୮.୪ ପ୍ରତିଶତ ବୃଦ୍ଧି ଫଳରେ ଇନ୍ଧନ ଢେର୍‌ ମହଙ୍ଗା ହୋଇଯାଇଛି। ବୈଦେଶିକ ମୁଦ୍ରା ଭଣ୍ଡାରର ଅଭାବ ହେତୁ ଦେଶକୁ ଘୋର୍‌ ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ପଡ଼ୁଛି, ଯେଉଁଥିପାଇଁ ଏହି ବୃଦ୍ଧି ହୋଇଛି। ତେବେ ଏପ୍ରିଲ ୧୯ ପରଠୁ ଇନ୍ଧନ ଦାମ୍‌ରେ ଏହା ଦ୍ୱିତୀୟ ଥର ପାଇଁ ବୃଦ୍ଧି ଘଟିଛି।

ବର୍ତ୍ତମାନ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଓକ୍ଟେନ ୯୨ ପେଟ୍ରୋଲ ଦାମ୍‌ ପ୍ରତି ଲିଟର ପିଛା ୪୨୦ ଟଙ୍କା (୧.୧୭ ଡଲାର) ଏବଂ ଡିଜେଲ୍‌ ଦାମ୍‌ ୪୦୦ ଟଙ୍କା (୧.୧୧ ଡଲାର) ହେବାକୁ ଯାଉଛି, ଯାହାକି ଏ ପର୍ଯ୍ୟନ୍ତର ଉଚ୍ଚତମ ସ୍ତର। ଯଦିଓ ଭାରତୀୟ ଟଙ୍କାରେ ଏହା ମାତ୍ର ୯୦.୫୦ ଟଙ୍କା ହେବ। ଅର୍ଥାତ୍‌ ଶ୍ରୀଲଙ୍କାରେ ପେଟ୍ରୋଲ ଦର ବର୍ତ୍ତମାନ ଭାରତ ତୁଳନାରେ ଶସ୍ତା ରହିଛି। କାହିଁକି ନା, ଦିଲ୍ଲୀରେ ୧ ଲିଟର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଯଥାକ୍ରମେ ୯୬.୭୨ ଟଙ୍କା ଓ ୮୯.୬୨ ଟଙ୍କା ରହିଛି। ସେପଟେ ଶ୍ରୀଲଙ୍କାରେ ଡିଜେଲ ମୂଲ୍ୟ ଭାରତୀୟ ଟଙ୍କାରେ ଦେଖିବାକୁ ଗଲେ, ଲିଟର ପିଛା ୮୬.୧୯ ଟଙ୍କା ପଡ଼ିବ।

ବିଦେଶୀ ମୁଦ୍ରା ସଙ୍କଟରୁ ବଞ୍ଚିବା ପାଇଁ ଶ୍ରୀଲଙ୍କା ମନ୍ତ୍ରୀମଣ୍ଡଳ ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲା। ଏଥିରେ ପେଟ୍ରୋଲିୟମ୍‌ ଉତ୍ପାଦଗୁଡ଼ିକୁ କିଣିବା ପାଇଁ ଭାରତୀୟ Exim ବ୍ୟାଙ୍କରୁ ୫୦ କୋଟି ଆମେରିକୀୟ ଡଲାରର କରଜ ମଗାଯିବାକୁ ପ୍ରସ୍ତାବ ରହିଥିଲା। ଶ୍ରୀଲଙ୍କାର ବିଭିନ୍ନ ପେଟ୍ରୋଲ ପମ୍ପ୍‌ରେ ଯେପରି ପେଟ୍ରୋଲ-ଡିଜେଲ ଶେଷ ହେବ ନାହିଁ, ସେଥିପାଇଁ ସମସ୍ତ ସମ୍ଭାବ୍ୟ ଉପାୟ ଆପଣାଯାଉଛି। ଦେଶରେ ବିଦେଶୀ ମୁଦ୍ରା ସଙ୍କଟ ଯୋଗୁ ଆମଦାନୀ ପାଇଁ ଦେୟ ଦେବାରେ କଷ୍ଟକର ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.