ପ୍ରୋଟୋକଲ ଭାଙ୍ଗି ବାରଣାସୀ ବୁଲିଲେ ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ : ପ୍ରୋଟୋକଲ ଭାଙ୍ଗି ରାତି ଅଧରେ ବାରଣାସୀ ବୁଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ପୂର୍ବାଞ୍ଚଳ ଗସ୍ତରେ ଅଛନ୍ତି । ଗତକାଲି ସେ ତାଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ପହଞ୍ଚିଥିଲେ। ବାରଣାସୀରେ ସେ ରାତ୍ରିଯାପନ କରିଥିଲେ। ଏହା ଭିତରେ ରାତିରେ ଅଚାନକ ଅତିଥି ଭବନରୁ ବାହାରି ସହର ପରିଭ୍ରମଣ କରିଥିଲେ। ସହରର ବିକାଶ ଓ ସୌନ୍ଦର୍ୟ୍ୟକରଣର ଅନୁଧ୍ୟାନ କରିଥିଲେ।

ଏହା ପରେ ମୋଦି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ। ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ମୋଦିଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ। ସହରରେ ପାଖାପାଖି ଏକ ଘଣ୍ଟା ବୁଲିବା ପରେ ମୋଦି ପୁଣି ଅତିଥି ଭବନରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଆଜି ମୋଦି ବାରଣାସୀରେ ଏକ ଜନସଭାକୁ ସମ୍ବୋଧନ କରିବେ। ଏହା ସହ ବାଣସାଗର ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହି ଜଳସେଚନ ପ୍ରକଳ୍ପରୁ ଉତ୍ତରପ୍ରଦେଶର ମିର୍ଜାପୁର ଓ ଆହ୍ଲାବାଦର ଚାଷୀଙ୍କୁ ଲାଭ ମିଳିବ । ଏହା ସହ ମିର୍ଜାପୁର ମେଡିକାଲ କଲେଜର ଶିଳାନ୍ୟାସ କରିବେ । ସେହିପରି ରାଜ୍ୟରେ ୧୦୮ ଜନଔଷଧି କେନ୍ଦ୍ରର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ବାଲୁଘାଟ, ଚୁନାରରେ ଗଙ୍ଗା ନଦୀ ଉପରେ ନିର୍ମାଣ ହୋଇଥିବା ପୋଲକୁ ଉଦ୍ଘାଟନ କରିବେ । ଏହି ପୋଲ ମିର୍ଜାପୁର ଓ ବାରଣାସୀକୁ ଯୋଡ଼ିବ ।

Leave A Reply

Your email address will not be published.