ଆସନ୍ତାକାଲି ସାଧାରଣ ବଜେଟ୍, ବଢିପାରେ ପିଏମ୍‌ କିଷାନ ରାଶି

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ସାଧାରଣ ବଜେଟ୍‌ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମ୍‌ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ୍‌ ଆଗତ କରିବେ । କୋଭିଡ୍‌ରୁ ସଂପୂର୍ଣ୍ଣ ମୁକୁଳି ନାହିଁ ଭାରତ । ଦେଶରେ ଟିକାକରଣ ଚାଲିଛି । ଅର୍ଥନୀତିକୁ ମଜବୁତ କରିବା ପାଇଁ ଲୋକଙ୍କୁ ରିହାତି ଦେବା ଲାଗି ଅର୍ଥମନ୍ତ୍ରୀ ଅନେକ ଗୁଡିଏ ପଦକ୍ଷେପ ନେବା ଆଶା କରାଯାଉଛି । ବଢିପାରେ ପିଏମ୍‌ କିଷାନ ରାଶି । ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ଵିତ କରିବା ଓ କୃଷିକୁ ଆଗେଇ ନେବା ପାଇଁ ସରକାର ବଜେଟ୍‌ରେ ନିବେଶ ବଢାଇ ପାରନ୍ତି । ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆୟ ବୃଦ୍ଧି ନେଇ ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି । କୃଷି ବିଶେଷଜ୍ଞଙ୍କ ଅନୁସାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧିନରେ ଦିଆଯାଉଥିବା ରାଶିକୁ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ବଢାଇବା ଆବଶ୍ୟକ ।

nirmala sitaraman
Picture Courtesy: Indian Express

ଆୟକର ସ୍ଲାବରେ ପରିବର୍ତ୍ତନ ହୋଇପାରେ । ୫ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ ହେଲେ ଟିକସ ବୋଝ କମିବ । ଅଭିବୃଦ୍ଧିରେ ଏହା ବଡ଼ ଯୋଗଦାନ ହେବ । ଧାରା ୮୦ ସି ଅଧିନରେ ଟାକ୍ସ ଡିଡକ୍ଟେବଲ ଇନ୍‌ଭେଷ୍ଟମେଣ୍ଟ ଉପରେ ଟିକସ ଛାଡ ସୀମା ୧.୫ ଲକ୍ଷ ଟଙ୍କା ରହିଛି । ଏହାକୁ ବଢାଇବା ଉପରେ ବିଚାର କରିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି ।… କରୋନା କାଳରେ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିର ଗୁରୁତ୍ୱ ବଢିଯାଇଛି । ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌ ଉପରେ ଡିଡକ୍ଟେବଲ ଲିମିଟ୍‌କୁ ପ୍ରାୟ ୧.୨୫ ଲକ୍ଷ ଟଙ୍କାକୁ ବଢାଇବା ପାଇଁ ଅର୍ଥମନ୍ତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ଏହା ଦ୍ୱାରା ଅଧିକରୁ ଅଧିକ ଲୋକ ସ୍ୱାସ୍ଥ୍ୟ ବୀମାକୁ ଗ୍ରହଣ କରିପାରିବେ ।

nirmala sitaraman
Picture Courtesy: The Print

ମହାମାରୀ ପାଇଁ ବ୍ୟାଙ୍କ ଗୁଡିକର ଅନେକ ଋଣ ଆଦାୟ ହୋଇପାରିନାହିଁ । ଏହି ସମସ୍ୟାର ସମାଧାନ କରି ବ୍ୟାଙ୍କ ଗୁଡିକର ସ୍ଥିତିରେ ସୁଧାର ଆଣିବା ପାଇଁ ବ୍ୟାଡ୍‌ ବ୍ୟାଙ୍କ ଖୋଲିବା ପ୍ରସ୍ତାବ ରଖାଯାଇପାରେ । ଏହି ବ୍ୟାଙ୍କରେ ଏନ୍‌ପିଏ ଗୁଡିକୁ ରଖାଯାଇ ସେଗୁଡିକ ପରେ ବିକ୍ରି କରାଯିବାର ବ୍ୟବସ୍ଥା ହୋଇପାରେ । ବଜେଟ୍‌ରେ ୫୦ରୁ ଅଧିକ ଆମଦାମୀ ଶୁଳ୍କ ୫ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢିପାରେ । ଏହା ମଧ୍ୟରେ ସ୍ମାର୍ଟଫୋନ୍‌, ଇଲେକ୍ଟ୍ରୋନିକ୍‌ ଉପକରଣ ଏବଂ ଅନ୍ୟାନ୍ୟ ଅପ୍ଲାଏନ୍ସ ରହିଛି । ଆତ୍ମନିର୍ଭର ଭାରତ ଅଭିଯାନକୁ ପ୍ରୋତ୍ସାହନ କରିବା ଓ ଦେଶରେ ଏସବୁ ସାମଗ୍ରୀର ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ବଜେଟ୍‌ରେ ଆମଦାମୀ ଶୁଳ୍କ ବୃଦ୍ଧି କରାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.