ଆଜି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଜନ୍ମଦିନ, ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଆଜି କେନ୍ଦ୍ର ରେଳ, ସଞ୍ଚାର ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଜନ୍ମ ଦିନ। ଆଜି ସେ ନିଜର ୫୧ତମ ଜନ୍ମ ଦିନ ପାଳନ କରୁଛନ୍ତି। ଏ ଅବସରରେ ଚାରି ଆଡ଼ୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ଵିଟ୍‌ କରି ଅଶ୍ୱିନୀ ବୈଷ୍ଣବଙ୍କୁ ଶୁଭକାମନା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍‌ କରି ଲେଖିଛନ୍ତି, ଅଶ୍ୱିନୀ ବୈଷ୍ଣବଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ। ସେ ଶାସନ କ୍ଷେତ୍ରରେ ଆବଶ୍ୟକୀୟ ପରିବର୍ତ୍ତନ ପାଇଁ କାମ କରୁଛନ୍ତି, ଯାହା ଦ୍ୱାରା ଆମ ଦେଶର ନାଗରିକମାନେ ଉପକୃତ ହେବେ। ତାଙ୍କ ଲମ୍ବା ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି। ପ୍ରଧାନମନ୍ତ୍ରୀଙ୍କ ଏହି ଟ୍ଵିଟ୍‌ର ଜବାବରେ ଅଶ୍ୱିନୀ ବୈଷ୍ଣବ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଅଶ୍ୱିନୀ ବୈଷ୍ଣବ ଜଣେ ପୂର୍ବ ଆଇଏଏସ୍‌ ଅଫିସର। ସେ ଆଇଆଇଟି କାନପୁରରୁ ଏମ୍‌ଟେକ୍‌ ଶିକ୍ଷା ଶେଷ କରିଛନ୍ତି। ପରେ ସେ ପେନ୍‌ସିଲଭାନିଆ ବିଶ୍ୱବିଦ୍ୟାଳୟରୁ ଏମ୍‌ବିଏ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଭାରତୀୟ ପ୍ରଶାସନିକ ଅଧିକାରୀ ଭାବେ କାମ କରିଥିଲେ। ୨୦୧୯ ମସିହାରେ ସେ ବିଜେପିରେ ଯୋଗ ଦେଇ ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। ୮ ଜୁଲାଇ ୨୦୨୧ରୁ ସେ କେନ୍ଦ୍ର ମନ୍ତ୍ରୀ ଭାବେ ସେବା ଯୋଗାଉଛନ୍ତି ।

ରାଜସ୍ଥାନରେ ଜନ୍ମିତ ଅଶ୍ୱିନୀ ଓଡ଼ିଶାର ବାଲେଶ୍ୱର ଓ କଟକ ଜିଲ୍ଲାର ଜିଲ୍ଲାପାଳ ଭାବେ କାମ କରିଛନ୍ତି। ଏଣୁ ଓଡ଼ିଶା ପ୍ରତି ତାଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ପରେ ବିଜେପି ତରଫରୁ ମଧ୍ୟ ତାଙ୍କୁ ଓଡ଼ିଶା କ୍ୟାଡରରେ ଟିକେଟ୍‌ ମିଳିଥିଲା। ଏଣୁ କେନ୍ଦ୍ର ମନ୍ତ୍ରୀ ଭାବେ ଓଡ଼ିଶା ପାଇଁ ସେ ଅଧିକ କାମ କରିବେ ବୋଲି କୁହାଯାଉଛି। ତେବେ ଆଜି ତାଙ୍କ ଜନ୍ମଦିନରେ ଓଡ଼ିଶାର ବଡ଼ ନେତା ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.