ଯୁବତୀଙ୍କୁ ୧୨ କିମି ଘୋଷାଡି ନେବା ଘଟଣା : ସାମ୍ନାକୁ ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଯୁବତୀଙ୍କୁ ହୋଇନାହିଁ ଦୁଷ୍କର୍ମ

ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ କାରରେ ଘୋଷାଡ଼ି ହୋଇ ଯୁବତୀଙ୍କ ମୃତ୍ୟୁ ମାମଲାରେ ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ତାଙ୍କର ଗୁପ୍ତାଙ୍ଗାରେ କୌଣସି କ୍ଷତ ଚିହ୍ନ ନାହିଁ। ଏଥିସହ ଦିଲ୍ଲୀ ପୋଲିସ ମଧ୍ୟ ମୃତ ଅଞ୍ଜଳିଙ୍କ ସହ କୌଣସି ଦୁଷ୍କର୍ମ ହୋଇନଥିବା କହିଛି। ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି, ଯୁବତୀଙ୍କ ମୃତ୍ୟୁ ମୁଣ୍ଡ, ମେରୁଦଣ୍ଡ, ଗୋଡ ଆଘାତ ଏବଂ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ହୋଇଛି ।

ପୋଲିସ କହିବା ଅନୁସାରେ, ମୃତ ଯୁବତୀ ନିଜ ପରିବାରର ଏକମାତ୍ର ରୋଜଗାରିଆ ଥିଲେ । ଡିସେମ୍ବର ୩୧ ତାରିଖ ରାତିରେ ତାଙ୍କ ସ୍କୁଟି ସହ ଏକ କାର୍ ଧକ୍କା ହୋଇଥିଲା। ଏହାପରେ ସେ କାର୍ ତଳେ ଫସି ଯାଇଥିଲେ । ପ୍ରାୟ ୧୨ କିଲୋମିଟର ଯାଏଁ ପୀଡିତାଙ୍କୁ କାର୍ ଘୋଷାଡି ନେଇଥିଲା। ଏହାପରେ କଞ୍ଝାବଲର ଏକ ରାସ୍ତାରେ ନିବସ୍ତ୍ର ଅବସ୍ଥାରେ ଯୁବତୀଙ୍କ ମୃତଦେହ ମିଳିଥିଲା।

ଦିଲ୍ଲୀ ପୋଲିସ ଏହି ମାମଲାର ଅଭିଯୁକ୍ତ ଥିବା ୫ ଜଣଙ୍କୁ ପୁଲିସ ଗିରଫ କରି ସେମାନଙ୍କ ନାଁ ଜାରି କରିଛି। ଦୀପକ ଖାନ୍ନା, ଅମିତ ଖାନ୍ନା, କୃଷ୍ଣ, ମିଥୁନ ଏବଂ ମନୋଜ ମିତ୍ତଲଙ୍କୁ ଗିରଫ କରାଯାଇଛି।  ଆଇପିସି ଧାରା ୨୯୭ ଅନୁଯାୟୀ ଅପରାଧିକ ଷଡଯନ୍ତ୍ରରେ ମାମଲା ରୁଜୁ ହୋଇଛି। ଏହି ୫ ଅଭିଯୁକ୍ତଙ୍କୁ ତିନି ଦିନିଆ ରିମାଣ୍ଡରେ ପଠାଯାଇଛି। ଘଟଣା ଦିନ ସମସ୍ତ ୫ ଅଭିଯୁକ୍ତ ନିଶାଶକ୍ତ ଅବସ୍ଥାରେ ଥିଲେ। ଏମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି।

ଗାଡି ଚଳାଉଥିବା ଅଭିଯୁକ୍ତ କହିଛନ୍ତି ଯେ, ଘଟଣା ଘଟିବା ସମୟରେ ଆମେ ସମସ୍ତେ ନିଶାଗ୍ରସ୍ତ ଥିଲୁ। ଅଞ୍ଜଳିଙ୍କ ସ୍କୁଟି ସହ କାର୍ ଧକ୍କା ହେବାରୁ ଧରାପଡ଼ିବା ଭୟରେ ଆମେ ଘଟଣାସ୍ଥଳରେ ନ ଅଟକି ସେଠାରୁ ଚାଲି ଯାଇଥିଲୁ। ତା’ ପରେ କିଛି ବାଟ ଆସିବା ପରେ ମୋତେ ଗାଡି ତଳେ କିଛି ଲାଗିଥିବା ଭଳି ଅନୁଭବ ହୋଇଥିଲା। ଏ ବିଷୟରେ ମୁଁ କାରରେ ଥିବା ଅନ୍ୟ ୪ଜଣଙ୍କୁ କହିଥିଲେ ବି ସେମାନେ ନ ଅଟକି ଗାଡ଼ି ଚଳାଇବାକୁ କହିଥିଲେ। ହେଲେ ଯୁବତୀ ଗାଡି ତଳେ ଏଭଳି ଲାଖିଥିବେ ତାହା ବିଷୟରେ ଆମେ ଜାଣିନଥିଲୁ ।

ସୂଚନାଯୋଗ୍ୟ, ନୂଆବର୍ଷରେ ରାଜଧାନୀ ଦିଲ୍ଲୀରେ ଏଭଳି କାଣ୍ଡ ଘଟିଥିଲା । ଜିରୋ ନାଇଟ୍ ସେଲିବ୍ରେସନର କିଛି ଘଣ୍ଟା ପରେ ଦିଲ୍ଲୀ ସୁଲତାନପୁରୀରେ ଲୋମଟାଙ୍କୁରା ଦୁର୍ଘଟଣା ଘଟିଥିଲା । ଏହି ମାମଲାରେ ପୋଲିସ ୫ ଜଣ ଲୋକଙ୍କୁ ଗିରଫ କରିଥିଲା। ଏହି ଆଧାରରେ ପୋଲିସ କାର ମାଲିକ ସମତେ ୫ ଜଣଙ୍କୁ ଗିରଫ କରିଛି । ଧାରା ୨୭୯ (ଦ୍ରୁତ ଗାଡିଚାଳନା) ଏବଂ ୩୦୪-ଏ (ଅବହେଳା ଦ୍ୱାରା ମୃତ୍ୟୁ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ତେବେ ଅଭିଯୁକ୍ତଙ୍କ କହିବା ଅନୁଯାୟୀ, ସେମାନେ ଜାଣିନଥିଲେ ତାଙ୍କ କାର ଏକ ମୃତଦେହକୁ ଘୋଷାଡି ଆଣିଛି । ଆଉ ଯେତେବେଳେ ଜାଣିଲେ ମୃତଦେହକୁ କାରରୁ ହଟାଇବା ପରେ ଛାଡି ଫେରାର ହୋଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.