ଏହା ଆମ ଲୋକତନ୍ତ୍ରର ଶକ୍ତି, ଯାହାପାଇଁ ମୁଁ ଓ୍ୱାର୍ଡ କାଉନସିଲରରୁ ଆସି ରାଷ୍ଟ୍ରପତି ପଦରେ ବସିପାରିଛି : ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଭାରତର ଗଣତାନ୍ତ୍ରିକ ଇତିହାସରେ ଯୋଡ଼ି ହେଲା ନୂଆ ଅଧ୍ୟାୟ। ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ ଶୁଣିଛି ସାରା ଦେଶ। ପ୍ରଥମେ ସମସ୍ତ ସାଂସଦ ଓ ବିଧାୟକଙ୍କୁ ଜଣାଇଥିଲେ ଧନ୍ୟବାଦ। ଦ୍ରୌପଦୀ ମୁର୍ମୁଙ୍କ ଶପଥ ପାଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ସମସ୍ତ କେନ୍ଦ୍ରମନ୍ତ୍ରୀ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ  ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

ଏହାସହ କହିଥିଲେ- ‘ଦେଶର ସବୁ ନାଗରିକଙ୍କ ଆଶା, ଆକାଂକ୍ଷା ପୂରଣ କରିବି ’ । ଏହା ସହିତ କହିଥିଲେ ଏହା ଆମ ଲୋକତନ୍ତ୍ରର ଶକ୍ତି, ଯାହା ଫଳରେ ଜଣେ ଆଦିବାସୀ ଶୀର୍ଷକୁ ଯାଇପାରିଛି। ଓ୍ୱାର୍ଡ କାଉନସିଲରରୁ ଆସି ମୁଁ ଶୀର୍ଷ ଆସନ ରାଷ୍ଟ୍ରପତି ପଦରେ ବସିପାରିଛି।

ଏହା ସହିତ ଜୁଲାଇ ୨୬ କାରଗିଲ ବିଜୟ ଦିବସ ଅବସରରେ ଯବାନଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଥିଲେ। କରୋନା ମହାମାରୀରେ ସାରା ବିଶ୍ୱକୁ ସାମର୍ଥ୍ୟ ଦେଖାଇଥିବା ଭାରତର ଭୂମିକା ଓ ନିକଟରେ ଦେଶ ୨୦୦ କୋଟି ଡୋଜ୍ କରୋନା ଟିକା ଦେଇଥିବା ନେଇ କହିଥିଲେ ଦ୍ରୌପଦୀ ମୁର୍ମୁ। ଏହା ଏକ ଐତିହାସିକ ମୁହୂର୍ତ୍ତ, ଆଗାମୀ ୨୫ ବର୍ଷର ଲକ୍ଷ୍ୟ ନେଇ କାମ କରିବେ ବୋଲି କହିଥିଲେ ଦ୍ରୌପଦୀ ମୁର୍ମୁ।

ଅଭିଭାଷଣରେ ସନ୍ଥ କବି ଭୀମଭୋଇଙ୍କ କବିତା ଆବୃତ୍ତି କଲେ ଦ୍ରୌପଦୀ ମୁର୍ମୁ। ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତେ ଉଦ୍ଧାର ହେଉ କହିଥିଲେ । ଜଗତ କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି କାର୍ଯ୍ୟ କରିବା ସହ ସମସ୍ତେ ଏକଜୁଟ ହୋଇ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

ଏହା ସହିତ ‘ଭୋକାଲ୍ ଫର୍ ଲୋକାଲ୍ ହେବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଉଛି। ରେକର୍ଡ ସଂଖ୍ୟକ ଷ୍ଟାର୍ଟ ଅପ୍ ସୃଷ୍ଟି କରିବାରେ ଯୁବକଙ୍କ ଭୂମିକା ପ୍ରଶଂସନୀୟ ବୋଲି କହିଥିଲେ। ଜନଜାତିର ସଂସ୍କୃତି ହଜାରେ ବର୍ଷ ତଳର, ତାହା ସହ ଯୋଡ଼ି ହୋଇ ରହିଥିବା କଥା କହିଥିଲେ ଦ୍ରୌପଦୀ ମୁର୍ମୁ।

ଏହା ମଧ୍ୟ କହିଥିଲେ ସେ ଓଡିଶାର ଯେଉଁ ଏକ ଛୋଟ ପୃଷ୍ଠଭୂମିରୁ ଆସିଛନ୍ତି ସେଠି ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ବି କଷ୍ଟକର । ତଥାପି ଅନେକ ପ୍ରତିବନ୍ଧକ ସତ୍ତ୍ୱେ ତାଙ୍କର ସଙ୍କଳ୍ପ ଦୃଢ ରହିଛି । ଏବଂ ସେ କଲେଜରେ ଶିକ୍ଷା ପ୍ରାପ୍ତ କରିବାର ପ୍ରଥମ ଝିଅ । ସେ ଜନଜାତି ସମାଜରୁ ଆସିଥିବା ଜଣେ ସାଧାରଣ ଝିଅ । ତଥାପି ତାଙ୍କ ଧୈର୍ଯ୍ୟ ଓ ଦୃଢ ସଙ୍କଳ୍ପ ପାଇଁ ସେ ଜଣେ ଜଣେ କାଉନସିଲରରୁ ଆଜି ଦେଶର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ପଦ ଅଳଙ୍କୃତ କରିପାରିଛନ୍ତି । ଏହା ତାଙ୍କର ବ୍ୟକ୍ତିଗତ ଅନୁଭୂତି ନୁହେଁ ବରଂ ଦେଶର ଗଣତନ୍ତ୍ରର ଶକ୍ତି ତଥା ଭାରତ ବର୍ଷର ମହାନତା ବୋଲି କହିଛନ୍ତି ଦୌପଦୀ ମୁର୍ମୁ ।

ଏହା ଭାରତ ବର୍ଷର ଗଣତନ୍ତ୍ରର ଶକ୍ତି, ଯାହା ଆଦିବାସୀ ଅଧ୍ୟୁଷିତ ଇଲାକାର ଅତି ଗରୀବ ପରିବାରର ଜଣେ ଝିଅକୁ ଆଜି ଦେଶର ସର୍ବୋଚ୍ଚ ପଦରେ ପହଞ୍ଚାଇପାରିଛି । ରାଷ୍ଟ୍ରପତି ପଦରେ ପହଞ୍ଚିବା ତାଙ୍କର ବ୍ୟକ୍ତିଗତ ଉପଲବ୍ଧି ନୁହେଁ ବରଂ ଭାରତର ପ୍ରତିଟି ଗରୀବର ଉପଲବ୍ଧି । ‘ଆଜିର ଦିନ ପ୍ରମାଣ କରୁଛି ଯେ, ଭାରତ ବର୍ଷରେ ଜଣେ ଗରୀବ ସ୍ୱପ୍ନ ଦେଖିପାରେ, ତାକୁ ପୂରଣ ବି କରିପାରେ’ ବୋଲି ସାରା ଦେଶବାସୀଙ୍କୁ କହିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.