ଥମିବ କି ୟୁକ୍ରେନ ଯୁଦ୍ଧ? ଆଲୋଚନା ପାଇଁ ପୁଟିନ-ବାଇଡେନ୍ ରାଜି

କେନ୍ୟୁଜ୍: ଥମିବ କି ୟୁକ୍ରେନ ଯୁଦ୍ଧ । ଆଲୋଚନା ପାଇଁ ପୁଟିନ-ବାଇଡେନ୍ ରାଜି । କିନ୍ତୁ ଉଭୟ ପଟୁ ଯେଉଁ ସର୍ତ୍ତ ରହିଛି, ସେଥିରୁ ଆଲୋଚନା ସମ୍ଭାବନା କ୍ଷୀଣ। କ୍ରେମଲିନର ମୁଖପାତ୍ର ଦିମିତ୍ରି ପେସକୋଭ୍ କହିଛନ୍ତି, ରାଷ୍ଟ୍ରପତି ପୁଟିନ୍ ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ । କିନ୍ତୁ ରୁଷ ୟୁକ୍ରେନକୁ ନେଇ ପଛକୁ ହଟିବନି ।
ଆଲୋଚନା ଦ୍ୱାରା ଯେମିତି ରୁଷ ହିତ ପ୍ରଭାବିତ ନ ହୁଏ, ସେଥିପ୍ରତି ଧ୍ୟାନ ଦିଆଯିବ। ୟୁକ୍ରେନ ଉପରେ ହମଲାକୁ ନେଇ ପୁଟିନ ଆଦୌ ପଶ୍ଚାତାପ୍ କରୁନାହାନ୍ତି । ପାଶ୍ଚାତ୍ୟ ଦେଶଗୁଡ଼ିକର ମନମୁଖି କାର୍ଯ୍ୟକୁ ରୋକିବା ଲାଗି ତାଙ୍କୁ ଏହି ପଦକ୍ଷେପ ନେବାକୁ ପଡ଼ିଛି ବୋଲି କହିଛନ୍ତି ପେସକୋଭ ।
ଗୁରୁବାର ଦିନ ବାଇଡେନ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ କଥା ହେବାବେଳେ ପୁଟିନଙ୍କ ସହ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ଯଦି ପୁଟିନ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରନ୍ତି, ତେବେ ସେ ଆଲୋଚନ କରିବାକୁ ପ୍ରସ୍ତୁତ । ବାଇଡେନଙ୍କ ଏହି ବୟାନ ପରେ କ୍ରେମଲିନରୁ ଏଥିପାଇଁ ସବୁଜ ସଙ୍କେତ ମିଳିଛି ।
କିନ୍ତୁ ସତର୍କ କରି ଦିଆଯାଇଛି, ପାଶ୍ଚାତ୍ୟ ଦେଶ ରୁଷ ଅଧିକୃତ ଅଂଚଳକୁ ମାନ୍ୟତା ଦେବାକୁ ମନା କରିଛି ଫଳରେ ଶାନ୍ତି ଆଲୋଚନା ରାସ୍ତା ଜଟିଳ ହୋଇଯାଇଛି। ୯ ମାସ ଧରି ଲାଗିରହିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଥମିବା ନାଁ ଧରୁନାହିଁ । ପ୍ରତ୍ୟେକ ଦିନ ମିସାଇଲ ମାଡ଼ ହେଉଛି ।