ରାଫେଲ ଦୁର୍ନୀତି ମାମଲା : ସବିଶେଷ ତଥ୍ୟ ୧୦ ଦିନ ମଧ୍ୟରେ ଦେବାକୁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଫ୍ରାନ୍ସ ସରକାରଙ୍କଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବା ଓ ଏହାର ଦର ସଂପର୍କିତ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କିତ ସମସ୍ତ ତଥ୍ୟ ୧୦ ଦିନ ମଧ୍ୟରେ ବନ୍ଦ ଲଫାପାରେ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ପ୍ରତିରକ୍ଷା ସଂପର୍କିତ ଗୋପନୀୟ ତଥ୍ୟକୁ ପ୍ରଘଟ ନ କରିବା ସପକ୍ଷରେ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି।
ଫ୍ରାନ୍ସଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କେତେ ଦରରେ କିଣାଯାଇଛି ? ସେ ସଂପର୍କରେ ସବିଶେଷ ତଥ୍ୟ ୧୦ ଦିନ ମଧ୍ୟରେ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଏହି ଯୁଦ୍ଧ ବିମାନ କିଣିବା ପାଇଁ ଡିଲ୍ ସଂପର୍କିତ ତଥ୍ୟ କେନ୍ଦ୍ର ସରକାର ସର୍ବସାଧାରଣରେ ପ୍ରକାଶ କରିବା ଉଚିତ। ମୁଖ୍ୟତଃ ରାଫେଲ ଦର ସଂପର୍କିତ ତଥ୍ୟ ବନ୍ଦ ଲଫପାରେ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆଟର୍ଣ୍ଣି ଜେନେରାଲ କେ.କେ. ଭେନୁଗୋପାଳ କୋର୍ଟରେ କହିଥିଲେ ଯେ, ରାଫେଲ ଯୁଦ୍ଧ ବିମାନ କିଣା କାରବାର ଘଟଣା ଅଫିସିଆଲ ସିକ୍ରେଟ୍ ଆକ୍ଟ ପରିସରଭୁକ୍ତ। ତେଣୁ କେନ୍ଦ୍ର ସରକାର ଏ ସଂପର୍କିତ ତଥ୍ୟ କାହାରିକୁ ମଧ୍ୟ ଦେଇପାରିବେ ନାହିଁ। ଅପରପକ୍ଷରେ କୋର୍ଟ କହିଥିଲେ, ଯଦି କେନ୍ଦ୍ର ସରକାର ଏହି ତଥ୍ୟ ବନ୍ଦ ଲଫାପାରେ ଦେବାକୁ ଚାହୁଁନାହାନ୍ତି, ତେବେ ସତ୍ୟପାଠ କରି ଜଣାନ୍ତୁ।
ରାଫେଲ୍ ଯୁଦ୍ଧ ବିମାନ କିଣାରେ ଦୁର୍ନୀତି ଅଭିଯୋଗ କରି ଆଇନଜୀବୀ ପ୍ରଶାନ୍ତ ଭୁଷଣ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ସୌରୀ ଓ ଯଶବନ୍ତ ସିହ୍ନାଙ୍କ ପକ୍ଷରୁ ଦାୟର କେସ୍ ସମେତ ୪ଟି ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ ଏହାର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ରାଫେଲ ଯୁଦ୍ଧ ବିମାନର କିଣା ପ୍ରକ୍ରିୟା ଓ ମୂଲ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ। ତେବେ ୩୬ଟି ରାଫେଲ ବିମାନକୁ କିଣିବା ବେଳେ କେନ୍ଦ୍ର ସରକାର କି ପଦକ୍ଷେପ ନେଇଥିଲେ, ସେ ସଂପର୍କିତ ତଥ୍ୟ ଗତ ୧୦ ତାରିଖରେ କୋର୍ଟଙ୍କ ନିକଟରେ ଦାଖଲ କରିଛନ୍ତି । ଏହି ଡିଲ୍ରେ ଅନିଲ ଅମ୍ବାନୀଙ୍କ କଂପାନୀଙ୍କୁ ଅଫ୍ସେଟ ପାର୍ଟନର ଭାବେ ଗ୍ରହଣ କରାଯିବା ବିଷୟକୁ କୋର୍ଟ ବେଶ୍ ଗୁରୁତ୍ୱ ଦେଇଛନ୍ତି।