ଟ୍ରେନ୍‌ ସାମ୍ନାରେ ଧାରଣାକୁ ଖସି ପଡ଼ିଲା ଛୁଆ, ମରଣ ମୁହଁରୁ ଟାଣି ଆଣିଲେ ରେଳ କର୍ମଚାରୀ; ଦେଖନ୍ତୁ ଭିଡିଓ

ମୁମ୍ବାଇର ବାଙ୍ଗଣୀ ରେଲୱେ ଷ୍ଟେସନ୍‌ରେ ଆଜି ଏକ ବଡ଼ ବିପଦ ଟଳିଛି। ଏଠାରେ ରେଲୱେ ଷ୍ଟେସନ୍‌ରେ ଜଣେ ରେଳ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ଧାରଣାରେ ଗଳି ପଡ଼ିଥିବା ଏକ ପିଲାର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି। ପିଲାଟି ରେଳ ଟ୍ରାକ୍‌ରେ ପଡ଼ିବା ବେଳେ ଅପର ପଟୁ ଏକ ଟ୍ରେନ୍‌ ଖୁବ୍‌ ସ୍ପିଡ୍‌ରେ ଉକ୍ତ ଟ୍ରାକ୍‌ରେ ଆସୁଥିଲା। କିନ୍ତୁ କର୍ମଚାରୀ ଜଣକଙ୍କର ସାହସିକତା ଯୋଗୁ ପିଲାଟିର ଜୀବନ ବଞ୍ଚିଯାଇଛି। ଏହି ଘଟଣା ବେଳର ଦୃଶ୍ୟକୁ ସେଣ୍ଟ୍ରାଲ ରେଲୱେ ଡିଭିଜନ୍‌ ଟ୍ଵିଟ୍‌ କରି ଉକ୍ତ ପଏଣ୍ଟସ୍‌ମ୍ୟାନ୍‌କୁ ବାହାଦୂର ବୋଲି କହିଛନ୍ତି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖାଯାଇଛି ଯେ ଏକ ମା’ ଓ ଛୁଆ ଏକାଠି ପ୍ଲାଟଫର୍ମରେ ଚାଲୁଥିଲେ। ପିଲାଟିର ମା’ ନେତ୍ରହୀନ ଥିଲେ। ପିଲାଟିର ବାଲାନ୍ସ ବିଗିଡ଼ିଯିବାରୁ ସେ ଟ୍ରେନ୍‌ ଟ୍ରାକ୍‌ରେ ଗଳିପଡ଼ିଥିଲା। ସେହି ସମୟରେ ଦ୍ରୁତ ଗତିରେ ଏକ ଟ୍ରେନ୍‌ ଆସୁଥିଲା। ଏହି ଦୃଶ୍ୟକୁ ପଏଣ୍ଟସ୍‌ମ୍ୟାନ୍‌ ମୟୂର ଶେଲ୍‌ଖେ ଦେଖିଥିଲେ। ସେ ଦୌଡ଼ି ଦୌଡ଼ି ଆସି ପ୍ରଥମେ ପିଲାଟିକୁ ପ୍ଲାଟଫର୍ମ ଉପରକୁ ଉଠାଇଥିଲେ ଓ ଟ୍ରେନ୍‌ ଖୁବ୍‌ ନିକଟତର ହେଲା ବେଳକୁ ନିଜେ ମଧ୍ୟ ପ୍ଲାଟଫର୍ମ ଉପରକୁ ଚଢ଼ିଥିଲେ।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଲୋକମାନେ ମୟୂରଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ସେହିଭଳି ଆଉ କିଛି ଲୋକ ତାଙ୍କୁ ଦେବଦୂତ ମଧ୍ୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.