ପାକିସ୍ତାନକୁ ଚେତାବନୀ ଦେଲେ ରାଜନାଥ ସିଂ, କହିଲେ କେବଳ କଥାବାର୍ତ୍ତା ପିଓକେକୁ ନେଇ ହେବ

ହରିଆନାର ପଞ୍ଚକୁଲାଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ଜନସଭାକୁ ଉଦ୍‌ବୋଧନ ଦେବା ଅବସରରେ ପୁଣି ଥରେ ପାକିସ୍ତାନକୁ ଟାଗେର୍ଟ କରିଛନ୍ତି। ଜମ୍ମୁ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ପାକିସ୍ତାନ ଯେଉଁଭଳି ବ୍ୟବହାର କରୁଛି ତାର ଜବାବ ଦେଇଛନ୍ତି ରାଜନାଥ। ରାଜନାଥ କହିଛନ୍ତି, ୩୭୦ ଅନୁଚ୍ଛେଦକୁ ନେଇ ମୋଦି ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହାକୁ ପାକିସ୍ତାନ ଭୁଲ ବୋଲି କହୁଛି। ଯଦି ପାକିସ୍ତାନ ଆତଙ୍କବାଦକୁ ସହଯୋଗ କରିବା ବନ୍ଦ କରିବ ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ କେବଳ ପିଓକେକୁ ନେଇ କଥାବାର୍ତ୍ତା ସମ୍ଭବ ହେବ।

ଅନ୍ୟପଟେ ରାଜନାଥ କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ କହୁଛନ୍ତି ଭାରତ ବାଲାକୋଟ ଆକ୍ରମଣ ଠାରୁ ଆହୁରି ବଡ ଧରଣର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି। ଏବେ ପାକିସ୍ତାନ ଏହାକୁ ସ୍ୱୀକାର କରୁଛି ଯେ, ବାଲାକୋଟ ଆକ୍ରମଣ ଭାରତ କରିଥିଲା ବୋଲି। କିନ୍ତୁ ପୂର୍ବରୁ ଏହାକୁ ମାନିବାକୁ ଅରାଜି ଥିଲା ପାକିସ୍ତାନ। ପାକିସ୍ତାନ କହିଥିଲା କି, ଆମ ଉପରେ କୌଣସି ଆକ୍ରମଣ ହେଇନାହିଁ କି ଆମର କେହି ବି ମରିନାହାନ୍ତି। ଏବେ ପାକିସ୍ତାନ ସମଗ୍ର ବିଶ୍ୱରେ ସାହାଯ୍ୟ ପାଇଁ ନିବେଦନ କରୁଛି। ତେଣୁ ସମୟ ଆସିଲେ ଭାରତ ସବୁ ପରିସ୍ଥିତିର ସାମ୍ନା କରିବ ବୋଲି କହିଛନ୍ତି ରାଜନାଥ ସିଂହ।