‘ବିଗ୍‌ ବୁଲ୍‌’ ଭାବେ ପରିଚିତ ରାକେଶ ଝୁନଝୁନଓ୍ଵାଲାଙ୍କ ୬୨ ବର୍ଷରେ ଦେହାନ୍ତ

ନୂଆଦିଲ୍ଲୀ : ରାକେଶ ଝୁନଝୁନଓ୍ଵାଲାଙ୍କ ଦେହାନ୍ତ । ୬୨ ବର୍ଷ ବୟସରେ ଆଖି ବୁଜିଲେ ସେୟାର ବଜାରର ବିଗ୍‌ ବୁଲ୍‌ । ମୁମ୍ବାଇ ବ୍ରିଚ୍‌ କ୍ୟାଣ୍ଡି ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବିଶିଷ୍ଟ ଶିଳ୍ପପତି ତଥା ‘ୱାରେନ୍‌ ବଫେ ଅଫ୍‌ ଦି ଇଣ୍ଡିଆନ୍‌ ମାର୍କେଟ୍‌’ ଏବଂ ‘ବିଗ୍‌ ବୁଲ୍‌’ ଭାବେ ପରିଚିତ ରାକେଶ ଝୁନଝୁନଓ୍ଵାଲା । ଗତ କିଛି ଦିନ ପୂର୍ବରୁ ସେ ହସପିଟାଲରୁ ଡିସଚାର୍ଜ ହୋଇଥିଲେ । ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ସେ ପୁଣିଥରେ ହସପିଟାଲରେ ଭର୍ତ୍ତି ହୋଇଥିଲେ ।

ଆଜି ସକାଳ ୬ଟା ୪୫ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ସେୟାର ମାର୍କେଟର ପୋଖତ ଖେଳାଳି କୁହାଯାଉଥିବା ରାକେଶ ଝୁନଝୁନଓ୍ଵାଲା ଗତ କିଛି ପୂର୍ବରୁ ଏୟାରଲାଇନ୍ସ ସେକ୍ଟରରେ ପାଦ ରଖିଥିଲେ । ନୂଆ ଏୟାରଲାଇନ୍ସ ଆକାଶ ଏୟାରରେ କୋଟି କୋଟି ଟଙ୍କା ନିବେଶ କରିଥିଲେ । ୫ ହଜାର ଟଙ୍କା ନିବେଶରୁ ରାକେଶଙ୍କର ଏବେ ୪୫ ହଜାର କୋଟି ଟଙ୍କାର ସମ୍ପତ୍ତି । ସେ ହେଉଛନ୍ତି ଭାରତର ୩୬ତମ ଧନୀ ବ୍ୟକ୍ତି ।

ତାଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରିଛନ୍ତି: ରାକେଶ ଝୁନ୍‌ଝୁନ୍‌ୱାଲା ଥିଲେ ଅପରାଜେୟ। ଆର୍ଥିକ ଜଗତ୍‌ ପ୍ରତି ପ୍ରାଣଶକ୍ତି, ବୁଦ୍ଧିଦୀପ୍ତତା ଏବଂ ଅନ୍ତର୍ଦୃଷ୍ଟିସମ୍ପନ୍ନ ରାକେଶଙ୍କ ଅବଦାନ ଅବିସ୍ମରଣୀୟ। ଭାରତର ପ୍ରଗତି ପାଇଁ ମଧ୍ୟ ସେ ଥିଲେ ଖୁବ୍‌ ବ୍ୟାକୁଳ। ତାଙ୍କ ବିୟୋଗ ଦୁଃଖଦାୟକ। ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା।

୧୯୬୦ ମସିହା ଜୁଲାଇ ୫ ତାରିଖରେ ମଧ୍ୟବିତ୍ତ ପରିବାରେ ଜନ୍ମିତ ରାକେଶ ପ୍ରଥମେ ୧୯୮୫ ମସିହାରେ ମାତ୍ର ୫୦୦୦ ଟଙ୍କା ଧରି ଷ୍ଟକ୍‌ ମାର୍କେଟ୍‌ରେ ପ୍ରବେଶ କରିଥିଲେ। ସେତେବେଳେ ସେ କଲେଜ୍‌ରେ ପଢୁଥିଲେ। ୧୯୮୬ରେ ସେ ‘ଟାଟା ଟି’ ସେୟାର୍‌ କିଣି ଖୁବ୍‌ ଲାଭବାନ ହୋଇଥିଲେ। ସେ ଗୋଟାପ୍ରତି ୪୩ ଟଙ୍କାରେ କିଣିଥିବା ୫୦୦୦ ‘ଟାଟା ଟି’ ସେୟାର୍‌ର ମୂଲ୍ୟ ୩ ମାସରେ ୧୪୩ ଟଙ୍କା ହୋଇଯାଇଥିଲା। ପରବର୍ତ୍ତୀ ୩ ବର୍ଷରେ ସେ ୨୦ରୁ ୨୫ ଲକ୍ଷ ଟଙ୍କା ଲାଭ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.