ପାକିସ୍ତାନୀ ସାମ୍ବାଦିକାଙ୍କ ସହ ଥରୁର୍ଙ୍କ ସମ୍ପର୍କର ପର୍ଦ୍ଦାଫାସ୍, ପୋଲିସ୍ ଲଗାଇଲା ବଡ଼ ଆରୋପ

ନୂଆଦିଲ୍ଲୀ: ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ପରେ କଂଗ୍ରେସ ନେତା ଶଶୀ ଥରୁର୍ଙ୍କ ଅଡ଼ୁଆ ବଢ଼ିଛି। ଶନିବାର ଦିଲ୍ଲୀ ପୁଲିସ ରାଉଜ ଏଭନ୍ୟୁ କୋର୍ଟରେ କହିଛି ଯେ ଶଶି ଥରୁର୍ଙ୍କ ବିରୋଧରେ ସୁନନ୍ଦାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବା ନେଇ ମାମଲା ରୁଜୁ କରିବା ଉଚିତ। ଶୁଣାଣି ବେଳେ ବହୁ ଆଶ୍ଚର୍ଯ୍ୟଜନକ ବିଷୟ ପଦାକୁ ଆସିଛି। ପାକିସ୍ତାନୀ ସାମ୍ବାଦିକା ମେହେର ତରାରଙ୍କ ସହ ଥରୁରର୍ଙ୍କ ସମ୍ପର୍କ ଓ ସୁନନ୍ଦାଙ୍କ ସହ ଦୁବାଇରେ ହୋଇଥିବା ଝଗଡ଼ା ନେଇ ମଧ୍ୟ ପୁଲିସ ସୂଚନା ଦେଇଛି।
ସୁନନ୍ଦାଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ଠାରୁ ଏହି ସୂଚନା ମିଳିଥିବା ପୁଲିସ କୋର୍ଟଙ୍କୁ ଜଣାଇଛି। ସେହିପରି ଯଦି କୋର୍ଟ ଆଦେଶ ଦେବେ ତେବେ ପୁଲିସ ଶଶିଙ୍କ ଉପରେ ହତ୍ୟା ଅଭିଯୋଗରେ ମାମଲା ରୁଜୁ କରିବ। ଶୁଣାଣି ବେଳେ ପୁଲିସ ସୂଚନା ଦେଇଛି ଯେ ସୁନନ୍ଦାଙ୍କ ସହ ଶଶୀ ତୃତୀୟ ଥର ପାଇଁ ବିବାହ କରିଥିଲେ। ସୁନନ୍ଦାଙ୍କ ପୁଅ ଶିବ ମେନନ୍ କହିଛନ୍ତି ଯେ ସୁନନ୍ଦା କେବେ ବି ଆତ୍ମହତ୍ୟା କରିବାକୁ ଚାହୁଁ ନଥିଲେ। ଶଶୀଙ୍କର ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କକୁ ନେଇ ସୁନନ୍ଦା ଦୁଃଶ୍ଚିନ୍ତାରେ ଥିଲେ। ଏକଥା ସହ୍ୟ କରିନପାରି ସୁନନ୍ଦା ମୃତ୍ୟୁବରଣ କରିଥିବା ସେ କହିଛନ୍ତି।
ଦୁବାଇରେ ମଧ୍ୟ ଶଶି ଓ ସୁନନ୍ଦାଙ୍କ ଝଗଡ଼ା ପାକିସ୍ତାନୀ ସାମ୍ବାଦିକାଙ୍କୁ ନେଇ ହୋଇଥିଲା। ସେତେବେଳେ ସୁନନ୍ଦା ପାକିସ୍ତାନୀ ସାମ୍ବାଦିକା ମେହେର ଓ ଥରୁରଙ୍କ କିଛି ଚାଟ୍ ମୋବାଇଲ୍ରେ ପଢ଼ିବାକୁ ପାଇଥିଲେ। ମେସେଜ୍ରେ ସୁନନ୍ଦାଙ୍କୁ ଡିଭୋର୍ସ ଦେବା କଥା ମଧ୍ୟ ରହିଥିଲା। ଏଥିସହ ଉଭୟଙ୍କ କିଛି ରୋମାଣ୍ଟିକ କଥାବାର୍ତ୍ତା ବି ଥିଲା। ସେହି ମେସେଜ୍ରୁ ଶଶୀ ମେହେରଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଜାଣିବାକୁ ପାଇଥିଲେ ସୁନନ୍ଦା। ତେବେ ଶଶୀ ନିଜ ବାଟରୁ ସୁନନ୍ଦାଙ୍କୁ ହଟାଇବା ପାଇଁ ତାଙ୍କୁ ଜୀବନରୁ ମାରି ଦେଇଥିବା ନେଇ ପୁଲିସ ସନ୍ଦେହ ପ୍ରକାଶ କରିଛି।
ଏହାସହ ପଢ଼ନ୍ତୁ: ଆମେରିକାର ଟେକ୍ସାସ୍ରେ ଗୁଳିକାଣ୍ଡ; ୫ ମୃତ, ୨୧ ଗୁରୁତର
ତେବେ ସୁନନ୍ଦାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ତାଙ୍କ ମୃତ୍ୟୁ ବିଷକ୍ରିୟା ଯୋଗୁ ହୋଇଥିବା ସୂଚନା ମିଳିଛି। ଏଥିସହ ତାଙ୍କ ଶରୀରରେ ୧୫ଟି ଆଘାତର ଚିହ୍ନ ରହିଥିଲା। ତେଣୁ ଖାଦ୍ୟରେ କିମ୍ବା ଇଞ୍ଜେକସନ୍ରେ ତାଙ୍କୁ ବିଷ ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି। ଏସବୁ ତଥ୍ୟ ପ୍ରମାଣ ଭିତ୍ତିରେ ଦିଲ୍ଲୀ ପୁଲିସ ଥରୁର୍ଙ୍କୁ ଗିରଫ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଛି।