ଇମ୍ରାନ ଖାନଙ୍କୁ ଆଶ୍ୱସ୍ତ କଲେ ଲାହୋର ହାଇକୋର୍ଟ; ପରବର୍ତ୍ତୀ ଆଦେଶ ଯାଏ ପୋଲିସ କାର୍ଯ୍ୟାନୁଷ୍ଠାନ ସ୍ଥଗିତ
ପାକିସ୍ତାନ ପୋଲିସ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିପାରି ନାହିଁ। ପୋଲିସ ବର୍ତ୍ତମାନ ଇମ୍ରାନଙ୍କ ଘର ବାହାରୁ ଫେରି ଆସିଛି। ପୋଲିସ ଫେରିଆସିବା ପରେ ପିଟିଆଇ ସମର୍ଥକମାନେ ଉତ୍ସବ ପାଳନ କରିବା ଆରମ୍ଭ କରି ଦେଇଛନ୍ତି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାହୋର ହାଇକୋର୍ଟଙ୍କଠାରୁ ବଡ଼ ଆଶ୍ୱସ୍ତି ମିଳିଛି। ପିଟିଆଇ ସମର୍ଥକ ଏବଂ ଲ’ ଏନ୍ଫୋର୍ସମେଣ୍ଟ ଏଜେନ୍ସି ମଧ୍ୟରେ ଦିନସାରା ଚାଲିଥିବା ବିବାଦ ମଧ୍ୟରେ ଲାହୋର ହାଇକୋର୍ଟ ବୁଧବାର ସକାଳ ୧୦ଟା ପର୍ଯ୍ୟନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଥିଲେ। ଫଳରେ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ଲାହୋରସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିବା ପୋଲିସକୁ ଖାଲି ହାତରେ ଫେରିବାକୁ ପଡ଼ିଛି।
ଅନେକ ଘଣ୍ଟାର ଚେଷ୍ଟା ସତ୍ତ୍ୱେ ପାକିସ୍ତାନ ପୋଲିସ ଇମ୍ରାନ ଖାନଙ୍କୁ ଗିରଫ କରିପାରି ନ ଥିଲା। ଇମ୍ରାନଙ୍କୁ ଗିରଫ କରିବା ପାଇଁ ପୋଲିସକୁ ପାଖାପାଖି ୨୪ ଘଣ୍ଟା ଧରି ସଂଘର୍ଷ କରିବାକୁ ପଡ଼ିଥିଲା, କିନ୍ତୁ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ସମର୍ଥକଙ୍କ ହଙ୍ଗାମା ଯୋଗୁ ଏହା ସମ୍ଭବ ହୋଇ ପାରି ନ ଥିଲା।
ଅନ୍ୟପକ୍ଷରେ ପୋଲିସ ଫେରିଯିବା ପରେ ପିଟିଆଇ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପାର୍ଟି କର୍ମକର୍ତ୍ତାମାନେ ଉତ୍ସବରେ ବୁଡି ରହିଛନ୍ତି। ଲାହୋରର ଜମାନ ପାର୍କ ବାହାରେ ଏକଜୁଟ ହୋଇ କର୍ମକର୍ତ୍ତାମାନେ ଉତ୍ସବ ପାଳନ କରୁଛନ୍ତି। କହି ରଖୁଛୁ, ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଗିରଫଦାରୀ ଉଦ୍ୟମ ବୁଧବାର ମଧ୍ୟ ଜାରି ରହିଥିଲା। ହେଲେ ପିଟିଆଇ ସମର୍ଥକଙ୍କର ଜବରଦସ୍ତ ବିରୋଧ ହେତୁ ପୋଲିସକୁ ପଛକୁ ହଟିବାକୁ ପଡ଼ିଥିଲା।
ପିଟିଆଇ ବୁଧବାର ଅଭିଯୋଗ କରିଛି ଯେ ଇମ୍ରାନ ଖାନଙ୍କ ବାସଭବନ ଉପରେ ଅନେକ ଆକ୍ରମଣ କରାଯାଇଛି। ରେଞ୍ଜର୍ସ ଏବଂ ପୋଲିସ ଖୋଲା ଗୁଳି ଚାଳନା କରିଛନ୍ତି। ଇମ୍ରାନ ଖାନ କହିଛନ୍ତି କି, ଆଶା କରୁଛି ଏ ସବୁ ଶୀଘ୍ର ଶେଷ ହୋଇଯିବ। ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଇମ୍ରାନ ଖାନଙ୍କୁ ଗ୍ୟାସ୍ ମାସ୍କ ପିନ୍ଧି ପାର୍ଟି ସମର୍ଥକମାନଙ୍କୁ ସମ୍ବୋଧିତ କରୁଥିବା ଦେଖାଯାଉଛି। ଏହି ଭିଡିଓ ଇମ୍ରାନଙ୍କ ବାସଭବନ ବାହାରେ ବୋଲି କୁହାଯାଉଛି।