ମହାରାଷ୍ଟ୍ର: ଚଳନ୍ତା ଟ୍ରେନ୍‌ରେ ଖସିପଡ଼ିଲେ ମହିଳା ଯାତ୍ରୀ, ଏମିିତି ଜୀବନ ବଞ୍ଚାଇଲେ ଦୁଇ ଯବାନ

ଆର୍‌ପିଏଫ୍‌ର ଦୁଇ ଅନ୍‌-ଡ୍ୟୁଟି ଯବାନ ଜଣେ ମହିଳା ଯାତ୍ରୀଙ୍କ ଜୀବନ ରକ୍ଷା କରିଛନ୍ତି । ଏହି ଘଟଣା ଗତ ଶନିବାର ମହାରାଷ୍ଟ୍ରର ମୀରା-ଭାୟନ୍ଦର ରେଳ ଷ୍ଟେସନରେ ଘଟିଥିଲା ।

ରେଲୱେ ସୁରକ୍ଷା ବଳ (ଆର୍‌ପିଏଫ୍‌)ର ଦୁଇ ଅନ୍‌-ଡ୍ୟୁଟି ଯବାନ ଜଣେ ମହିଳା ଯାତ୍ରୀଙ୍କ ଜୀବନ ରକ୍ଷା କରିଛନ୍ତି । ଏହି ଘଟଣା ଗତ ଶନିବାର ମହାରାଷ୍ଟ୍ରର ମୀରା-ଭାୟନ୍ଦର ରେଳ ଷ୍ଟେସନରେ ଘଟିଥିଲା । ଏଠାରେ ପ୍ଲାଟ୍‌ଫର୍ମରେ ପହଞ୍ଚିବା ପରେ ଟ୍ରେନ୍‌ ଆଗକୁ ଗଡ଼ୁଥିଲା । ଭିରାର୍‌-ବାଉଣ୍ଡ୍‌ ଲୋକାଲ୍‌ ଟ୍ରେନ୍‌ ଆଗକୁ ଗଡ଼ୁଥିବା ବେଳେ ହଠାତ୍‌ ଜଣେ ମହିଳା ଯାତ୍ରୀ ଭାରସାମ୍ୟ ହରାଇ ବସିଥିଲେ । ଫଳରେ ତାଙ୍କ ଗୋଡ଼ ଖସିଯାଇଥିଲା ।

ସେ ଟ୍ରେନ୍‌ ଭିତରେ ହିଁ ପଡ଼ିଯାଇଥିଲେ, ହେଲେ ତାଙ୍କର ମୁଣ୍ଡ ବାହାରକୁ ଲଟକି ରହିଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ଦୁଇ ଆର୍‌ପିଏଫ୍‌ ଯବାନ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ନେଇଥିଲେ । ୧ ନଂ. ପ୍ଲାଟ୍‌ଫର୍ମରେ ଦ୍ୱିପ୍ରହର ୧୨ଟା ୧୨ ମିନିଟ୍‌ରେ ଏହି ଘଟଣାର ସୂଚନା ଦିଆଯାଇଥିଲା ।

ଘଟଣାର ଏକ ସିସିଟିଭି ଫୁଟେଜ୍‌ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଦେଖାଯାଉଛି ଯେ ମହିଳା ଯାତ୍ରୀ ଜଣକ ଟ୍ରେନ୍‌ରେ ଚଢ଼ୁଛନ୍ତି । ଟ୍ରେନ୍‌ ଚାଲିବାର କିଛି ସେକେଣ୍ଡ ପରେ ତାଙ୍କ ଗୋଡ଼ ଖସିଯାଉଛି ଏବଂ ସେ ପଡ଼ିଯାଉଛନ୍ତି । ଟ୍ରେନ୍‌ ଭିତରେ ହିଁ ପଡ଼ିଥିବା ଅବସ୍ଥାରେ ସେ କିଛି ଦୂରତା ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଚାଲିଯାଉଛନ୍ତି । ତାଙ୍କ ମୁଣ୍ଡ ତଳକୁ ଲଟକି ରହିଛି ଏବଂ ଚୁଟି ତଳକୁ ଝୁଲିଛି । ଏହି ମହିଳାଙ୍କ ନାମ ପ୍ରିୟା ମୋରେ ବୋଲି ଜଣାପଡ଼ିଛି ।

ଘଟଣାର ତୁରନ୍ତ ପରେ ଦୁଇ ଅନ୍‌-ଡ୍ୟୁଟି ଯବାନ ଏକନାଥ ମାନେ ଓ ଚୌହାନ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଦୌଡ଼ିଥିଲେ । ସେମାନେ ଅନ୍ୟ ଯାତ୍ରୀମାନଙ୍କ ସହାୟତାରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.