ସାବରୀମାଳାରେ ମହିଳାଙ୍କ ପ୍ରବେଶ ଓ ରାଫେଲ ଚୁକ୍ତିକୁ ନେଇ ରିଭ୍ୟୁ ପିଟିସନର ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାବରୀମାଳାରେ ମହିଳାଙ୍କ ପ୍ରବେଶ ଓ ରାଫେଲ ଚୁକ୍ତିକୁ ନେଇ ରିଭ୍ୟୁ ପିଟିସନର ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ। ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଆରଏଫ ନରିମନ, ଜଷ୍ଟିସ ଏ ଏମ ଖାନୱିଲକର, ଜଷ୍ଟିସ ଡି. ଓ୍ଵାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଇନ୍ଦୁ ମାଲହୋତ୍ରା ସାବରିମାଳା ରାୟ ଶୁଣାଇବେ। ସାବରିମାଳାରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମ କୋର୍ଟ ୨୦୧୮ ସେପ୍ଟେମ୍ବର ୨୮ ତାରିଖରେ ଐତିହାସିକ ରାୟ ଦେଇଥିଲା। ଏହାକୁ ବିଭିନ୍ନ ବର୍ଗ ଚ୍ୟାଲେଞ୍ଜ କରି ରାୟର ପୁନଃ ସମୀକ୍ଷା ପାଇଁ ରିଭ୍ୟୁ ପିଟିସନ ଦାଖଲ କରାଯାଇଥିଲା । ଚଳିତବର୍ଷ ଫେବୃଆରିରେ ରିଭ୍ୟୁ ପିଟିସନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।
ସେହିପରି ରାଫେଲ ମାମଲାରେ ରିଭ୍ୟୁ ପିଟିସନ ଉପରେ ମେ ମାସରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ଭାରତ ସରକାର ଫ୍ରାନ୍ସ ଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ କରିଥିବା ଚୁକ୍ତିରେ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ କରି ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ହୋଇଥିଲା। ଆଜି ଏହାର ଚୂଡ଼ାନ୍ତ ରାୟ ଆସିବ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ସଞ୍ଜୟ କିଶନ କୌଲ ଓ ଜଷ୍ଟିସ କେ.ଏମ ଯୋଶେଫ ରିଭ୍ୟୁ ପିଟିସନ ଉପରେ ରାୟ ଶୁଣାଇବେ। ସେହିପରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁରେ ରୁଜୁ ହୋଇଥିବା ମାନହାନି ମାମଲାରେ ଆସିବ ରାୟ। ବିଜେପି ସାଂସଦ ମୀନାକ୍ଷି ଲେଖୀଙ୍କ ଦ୍ୱାରା ରୁଜୁ ମାମଲାରେ ପ୍ରକାଶ ରାୟ ଶୁଣାଇବେ ସୁପ୍ରିମ କୋର୍ଟ।