ଏ ଘୃଣାର ଦୁନିଆରେ ଆଉ ବଞ୍ଚିହେବନି… ସୁଇସାଇଡ୍ ନୋଟ୍ରେ ଏମିତି ଲେଖି ଛାତରୁ ଡେଇଁ ପଡ଼ିଲେ ୧୦ମ ଶ୍ରେଣୀ ଛାତ୍ର

କ୍ଲାସ୍ମେଟ୍ଙ୍କ ଟାହି ଟାପରା ସହି ନ ପାରି ମରଣକୁ ଆବୋରି ନେଲେ ୧୦ମ ଶ୍ରେଣୀର ଛାତ୍ର। ସାଙ୍ଗମାନେ ସବୁବେଳେ ଚିଡ଼ାଉଥିବା କଥାକୁ ସହଜରେ ଗ୍ରହଣ କରିପାରିନଥିଲେ। ଫଳରେ ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତ୍ତି ନେଇଥିଲେ। ଆଉ ବାପା ମା’ଙ୍କ ପାଇଁ ସୁଇସାଇଡ୍ ନୋଟ୍ ଲେଖି ସବୁଦିନ ପାଇଁ ଶୋଇ ଯାଇଛନ୍ତି ଚିର ନିଦ୍ରାରେ। ଗ୍ରେଟର ଫରିଦାବାଦ ସ୍ଥିତ ଡିସ୍କଭରି ସୋସାଇଟିର ୧୫ ମହଲାରୁ ଡେଇଁ ଗୁରୁବାର ରାତିରେ ଜଣେ ୧୦ମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ସେ ଲେଖିଥିବା ସୁଇସାଇଡ୍ ନୋଟ୍ରେ ସ୍କୁଲର ପ୍ରବନ୍ଧକ ତାଙ୍କୁ ହଇରାଣ କରୁଥିବା ନେଇ ଅଭିଯୋଗ କରିଛନ୍ତି। ଏଥିସହ ସେ ହିଁ ତାଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି କହିଛନ୍ତି। ପୋଲିସ ଏବେ ସୁଇସାଇଡ୍ ନୋଟ୍ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
A class 10 student of #DPS #faridabad died by suicide by jumping off 10th floor of a building on Feb 24; left a suicide note. IN sucide note alleges bullying over sexuallity .. allegation against academic head of #school …@FBDPolice @mlkhattar @anilvijminister @cmohry pic.twitter.com/XstAW5dHHl
— Ravi Jalhotra (@ravijalhotra) February 26, 2022
ଛାତରୁ ଡେଇଁବା ପୂର୍ବରୁ ଛାତ୍ର ଜଣକ ସୁଇସାଇଡ୍ ନୋଟ୍ରେ ଲେଖିଥିଲା- ପ୍ରିୟ ମାମା, ତୁମେ ଦୁନିଆର ସବୁଠୁ ଭଲ ମା’। ମୁଁ ସାହସୀ ହୋଇପାରିଲିନି ବୋଲି ଦୁଃଖିତ। ଏହି ସ୍କୁଲ ମୋତେ ମାରି ଦେଲା। ମୁଁ ଏ ଘୃଣା ଭର୍ତ୍ତି ଦୁନିଆରେ ରହିବାକୁ ଚାହୁଁନାହିଁ। ମୁଁ ବଞ୍ଚିବାକୁ ବହୁତ ଚେଷ୍ଟା କଲି। କିନ୍ତୁ ଲାଗୁଛି ବୋଧେ ଜୀବନକୁ ଆଉ କିଛି ଦରକାର। ଲୋକମାନେ ମୋ ବିଷୟରେ କ’ଣ କହୁଛନ୍ତି, ତାହାକୁ ବିଶ୍ୱାସ କର ନାହିଁ। ତୁମେ ସବୁଠୁ ଭଲ। ପରିବାରକୁ ମୋ ଶାରୀରିକ ମନୋଦଶା ଓ ମୋ ସହ କଣ ହୋଇଥିଲା, ସେ ବିଷୟରେ କହିବ। କିଏ କଣ କହୁଛି ତାହାକୁ ଶୁଣନି। ମୁଁ ଯଦି ମରିଯିବି ତେବେ ତୁମେ ତୁମ ପାଇଁ ଏକ ନୂଆ ଚାକିରି ଖୋଜିବ। ତୁମେ କଳାକାର ଓ ଏହାକୁ ଜାରି ରଖ। ତୁମକୁ ଏ ଜନ୍ମରେ ପାଇ ମୁଁ ଧନ୍ୟ ହେଲି। ମୁଁ ମଜଭୁତ ନୁହେଁ, ମୁଁ ଦୁର୍ବଳ।
ପୁଅର ମୃତ୍ୟୁ ପରେ ତାଙ୍କ ମା’ କହିଛନ୍ତି, ସ୍କୁଲରେ ମୋ ପୁଅକୁ ‘ଗେ’ ବୋଲି ଡାକୁଥିଲେ। ଏ ନେଇ ମୁଁ ସ୍କୁଲ ପ୍ରବନ୍ଧକଙ୍କୁ ଅଭିଯୋଗ କରିଥିଲି। କିନ୍ତୁ ସେ କିଛି କାର୍ଯ୍ୟାନୁଷ୍ଠାନ ନେଲେନି। ମୁଁ ବି ତା’ ସହ ଏ ନେଇ ଅନେକ ଥର କଥା ହୋଇଛି, ବୁଝାଇଛି କିନ୍ତୁ ତା ଉପରେ କୌଣସି ପ୍ରଭାବ ପଡ଼ିଲାନି। ଲଗାତାର ସାଙ୍ଗସାଥୀଙ୍କ କଥା ଶୁଣି ଶୁଣି ସେ ଡିପ୍ରେସନ୍କୁ ଚାଲିଯାଇଥିଲା। ଏବେ ତା’ ଚିକିତ୍ସା ବି ଚାଲିଥିଲା। କିନ୍ତୁ ସେ ଚାଲିଗଲା। ପୁଅ ତ ଆଉ ନାହିଁ କିନ୍ତୁ ତାକୁ ନ୍ୟାୟ ମିଳୁ ବୋଲି ମୃତକର ମା’ କହିଛନ୍ତି।