ସୁବ୍ରତ ରାୟଙ୍କ ଚିନ୍ତା ବଢ଼ାଇଲା ସେବି, ୬୨,୦୦୦ କୋଟି ଟଙ୍କା ଜମା ନ କଲେ ପୁଣି ଜେଲ୍‌

କମିବାର ନାଁ ଧରୁନି ସାହାରା ଗ୍ରୁପ୍‌ର ମୁଖ୍ୟ ସୁବ୍ରତ ରାୟଙ୍କ ଦୁଃଖ। ତୁରନ୍ତ ୬୨,୬୦୨.୯୦ କୋଟି ଟଙ୍କା ଜମା ନ କଲେ ତାଙ୍କ ପାରୋଲ ରଦ୍ଦ ହୋଇପାରେ ଓ ପୁଣିଥରେ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିପାରେ। ଶୀଘ୍ର ଟଙ୍କା ଜମା କରିବାକୁ ସୁବ୍ରତଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ(ସେବି) ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କୁ ଅନୁରୋଧ କରାଯାଇଛି। ଯଦି ଟଙ୍କା ଜମା କରିବାରେ ସେ ବିଫଳ ହୁଅନ୍ତି ତେବେ ତୁରନ୍ତ ତାଙ୍କ ପାରୋଲକୁ ରଦ୍ଦ କରାଯାଉ ବୋଲି କୋର୍ଟଙ୍କୁ ସେବି କହିଛି।

ସୂଚନାଯୋଗ୍ୟ ଯେ ୨୦୧୨ରେ ସୁବ୍ରତ ରାୟଙ୍କୁ ୨୫,୭୦୦ କୋଟି ଟଙ୍କା ଜମା କରିବାକୁ କୁହାଯାଇଥିଲା। ସୁଧ ମିଶିବା ପରେ ଏବେ ଏହି ଟଙ୍କାର ପରିମାଣ ୬୨,୬୦୨.୯୦କୋଟି ଟଙ୍କାରେ ପହଞ୍ଚିଲାଣି। ସାହାରର ଦୁଇଟି କମ୍ପାନୀ ବିରୋଧରେ ବେଆଇନ୍‌ ଭାବେ ନିବେଶକଙ୍କ ଠାରୁ ଟଙ୍କା ଆଣିବା ଅଭିଯୋଗ ରହିଛି।

sahara

୨୦୧୨ରେ ଏହି ମାମଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟ କହିଥିଲେ ଯେ ସାହାରର ଦୁଇ କମ୍ପାନୀ ସେବି ନିୟମ ଉଲ୍ଲଂଘନ କରିଛନ୍ତି ଓ ବେଆଇନ୍‌ଭାବେ ନିବେଶକଙ୍କ ଠାରୁ ଟଙ୍କା ହାସଲ କରିଛନ୍ତି। ତେବେ ପ୍ରଭାବିକ ନିବେଶକଙ୍କୁ ଏବେ ଯାଏଁ ସେବି ଠାବ କରିବାରେ ସଫଳ ହୋଇନାହିଁ। ଯେଉଁମାନଙ୍କ ଠାରୁ ସାହାରା ଟଙ୍କା ଆଣିଛି ସେମାନଙ୍କୁ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେଥିରେ ବିଫଳ ହେବାରୁ ସେତେବେଳେ ଏହାର ମୁଖ୍ୟ ସୁବ୍ରତ ରାୟଙ୍କୁ ଜେଲ୍‌ ପଠାଇ ଦିଆଯାଇଥିଲା। ତେବେ ବର୍ତ୍ତମାନ ନିବେଶକଙ୍କ ସମସ୍ତ ଟଙ୍କା ଫେରସ୍ତ କରାଯାଇଛି ବୋଲି ସାହାରା ପକ୍ଷରୁ ଦାବି କରାଯାଉଛି। କିନ୍ତୁ ସେବି ତାହାକୁ ଗ୍ରହଣ କରୁନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.