‘ରକ୍ତ ଦିଅନ୍ତୁ, କିଲେ ଚିକେନ୍‌ ଘରକୁ ନିଅନ୍ତୁ’: ବାଲ୍‌ ଠାକ୍‌ରେଙ୍କ ଜୟନ୍ତୀରେ ଶିବସେନାର ନିଆରା ଅଫର

ରକ୍ତ ଦିଅନ୍ତୁ, କିଲେ ଚିକେନ୍‌ ଘରକୁ ନିଅନ୍ତୁ। ମହାରାଷ୍ଟ୍ରରେ ଶିବସେନାର ପ୍ରତିଷ୍ଠାତା ଦିବଂଗତ ବାଲ୍‌ ଠାକରେଙ୍କ ୯୬ ତମ ଜୟନ୍ତୀ ଅବସରରେ ରବିବାର ଦିନ ଥାଣେ ଜିଲ୍ଲାର ଉଲ୍ଲାସନଗରରେ ଶିବସେନା ପକ୍ଷରୁ ଆୟୋଜିତ ରକ୍ତ ଦାନ ଶିବିରରେ ଏଭଳି ନିଆରା ଅଫର ଦିଆଯାଇଛି। ଲୋକଙ୍କୁ ସଚେତନ କରିବା ପାଇଁ ଦଳ ପକ୍ଷରୁ ଏହି ଉପହାର ରଖାଯାଇଥିଲା। ଲୋକଙ୍କୁ ରକ୍ତ ଦାନ କରିବା ବଦଳରେ ୧ କିଲୋଗ୍ରାମ୍‌ ଚିକେନ୍‌ ଦିଆଯିବ ବୋଲି କୁହାଯାଇଥିଲା। ପ୍ରକାଶ ଯେ ଏହି ରକ୍ତଦାନ ଶିବିରରେ ମୋଟ୍‌ ୬୫ ବୋତଲ ରକ୍ତ ସଂଗ୍ରହ କରାଯାଇଛି।

ଉଲ୍ଲାସନଗରର ମ୍ୟୁନିସିପାଲ କର୍ପୋରେସନ୍‌ରେ ପାର୍ଟିର ନେତା ଧନଞ୍ଜୟ ବୋଡାରେ କହିଛନ୍ତି, ଶିବିରରେ ୬୫ ବୋତଲ ରକ୍ତ ସଂଗ୍ରହ କରାଯାଇଛି। ବ୍ଲଡ୍‌ ବ୍ୟାଙ୍କ ସହଯୋଗରେ ଆୟୋଜିତ ଶିବିରରେ ଭାଗ ନେଇଥିବା ପ୍ରତ୍ୟେକ ରକ୍ତ ଦାତାଙ୍କୁ ପାର୍ଟିର କାର୍ଯ୍ୟକର୍ତ୍ତା ଅଫର ମୁତାବକ ୧ କିଲୋଗ୍ରାମ୍‌ ଚିକେନ୍‌ ବି ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ରକ୍ତଦାନ କରିବା ଦ୍ୱାରା ଲୋକଙ୍କ ଶରୀରରେ କୌଣସି ପ୍ରକାରର ସମସ୍ୟା ହୋଇନଥାଏ, ବରଂ ରକ୍ତ ଦାନ କରିବା ଦ୍ୱାରା ଶରୀରର ଅନେକ ଫାଇଦା ହୋଇଥାଏ। ଜଣେ ଡୋନର ବର୍ଷକ ମଧ୍ୟରେ ୨୪ ଥର ପ୍ଲେଟଲେଟ୍‌ସ ଦେଇପାରିବ। ସେହିପରି ୪ ଥର ରକ୍ତ ଦାନ କରିପାରିବ। ତେବେ ବର୍ତ୍ତମାନ ଲୋକଙ୍କୁ ଆଉ ପୂରା ରକ୍ତ ଦରକାର ପଡ଼ୁନାହିଁ। ଲୋକଙ୍କୁ କେବଳ ରକ୍ତର ଉପାଦାନ ଦରକାର ହେଉଛି। ଏହି ଉପାଦାନ ମଧ୍ୟରେ ପ୍ଲେଟ୍‌ଲେଟ୍ସ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ।