Below header

କର୍ଣ୍ଣାଟକ ଡ୍ରାମାରେ ପଡ଼ିପାରେ ପୂର୍ଣ୍ଣଚ୍ଛେଦ, ସରକାର ବଞ୍ଚାଇବା ପାଇଁ ପଦ ଛାଡ଼ିପାରନ୍ତି କୁମାରସ୍ୱାମୀ

କର୍ଣ୍ଣାଟକ : କର୍ଣ୍ଣାଟକ ରାଜନୈତିକ ଅସ୍ଥିରତାରେ ପଡ଼ିପାରେ ଯବନିକା। ମେଣ୍ଟ ସରକାର ବଞ୍ଚାଇବା ଜେଡିଏସ କୌଣସି ପ୍ରକାର ତ୍ୟାଗ କରିପାରେ ବୋଲି କହିଛନ୍ତି ଗୃହମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାର। କଂଗ୍ରେସ ତରଫରୁ କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ସେ କହିଛନ୍ତି। ପୂର୍ବରୁ ବିଦ୍ରୋହୀ ବିଧାୟକମାନେ ମଧ୍ୟ କୁମାରସ୍ୱାମୀଙ୍କୁ ହଟାଇବାକୁ ଚାହୁଁଥିବାରୁ ସେ ଇସ୍ତଫା ଦେଇ କଂଗ୍ରେସରୁ କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବାଟ ଛାଡ଼ିବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି। କଂଗ୍ରେସର ବିଧାୟକ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍‌ବର କିମ୍ବା ଡିକେ ଶିବକୁମାରଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ରହିଛି। ଜେଡିଏସ ପକ୍ଷରୁ ମଧ୍ୟ କଂଗ୍ରେସକୁ ଏଭଳି ପ୍ରସ୍ତାବ ଦିଆଯାଇଛି। ମେଣ୍ଟ ସରକାର ଆସ୍ଥା ଭୋଟରେ ବିଜୟ ଲାଭ କରିବ ବୋଲି କଂଗ୍ରେସ ଆଶା ରଖିଛି।

ଜୁଲାଇର ପ୍ରଥମ ସପ୍ତାହରେ କଂଗ୍ରେସର ବିଦ୍ରୋହୀ ବିଧାୟକମାନେ ଇସ୍ତଫା ଦେବା ପରେ କୁମାରସ୍ୱାମୀ ସରକାର ଉପରେ ସଙ୍କଟ ଦେଖାଦେଇଥିଲା। ଏହାର କିଛି ଦିନ ପରେ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ପଦମିଳିଲେ ଇସ୍ତଫା ପ୍ରତ୍ୟାହାର କରିବାକୁ ସୂଚନା ଦେଇଥିଲେ ୪ ବିଧାୟକ। ସେପଟେ ଆସ୍ଥା ଭୋଟ ସପକ୍ଷରେ ଭୋଟ ଦେବାକୁ ବିଏସପିର ଏକମାତ୍ର ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦଳର ସୁପ୍ରିମୋ ମାୟାବତୀ। ଆସନ୍ତାକାଲି ସକାଳ ୧୧ଟା ସୁଦ୍ଧା ବିଦ୍ରୋହୀ ବିଧାୟକମାନେ ତାଙ୍କ କାର୍ଯ୍ୟାଳୟରେ ଭେଟିବାକୁ ନୋଟିସ ଜାରି କରିଛନ୍ତି ବାଚସ୍ପତି କେ ରମେଶ। ବିଦ୍ରୋହୀ ବିଧାୟକଙ୍କ ସଭ୍ୟପଦ ରଦ୍ଦ ନେଇ ମେଣ୍ଟ ସରକାରଙ୍କ ସଦସ୍ୟମାନେ ଦାବି କରିବା ପରେ ଏହି ନୋଟିସ ଜାରି ହୋଇଛି। ଗତ ଶୁକ୍ରବାର ବହୁମତ ସାବ୍ୟସ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦୁଇ ଦୁଇଟି ଡେଡ୍‌ ଲାଇନ ଦେଇଥିଲେ। ତଥାପି ଅନାସ୍ଥା ଭୋଟ ହୋଇପାରିନାହିଁ । ସଂକଟରେ ଥିବା ସରକାର ବାରମ୍ବାର ଭୋଟିଂ ଟାଳୁଥିବା ବିଜେପି ଅଭିଯୋଗ କରି ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.